Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

Puri / ମହାରାଷ୍ଟ୍ରର ଭକ୍ତ ପାଇଁ ଜଗନ୍ନାଥଙ୍କ ହୁଅନ୍ତି ହାତୀ ବେଶ

Smruti Parija
Browse all articles by Smruti Parija
·1 year ago·3 min read
ମହାରାଷ୍ଟ୍ରର ଭକ୍ତ ପାଇଁ ଜଗନ୍ନାଥଙ୍କ ହୁଅନ୍ତି ହାତୀ ବେଶ
Gajanna Besha

Key Points

କୋଟି ଓଡିଆଙ୍କ ମଉଡମଣି | ହେଲେ କାଳିଆର ଭକ୍ତ ପୀରତି ଖାଲି ଓଡିଶାରେ ସୀମିତ ନାହିଁ | ସୁଦୂର ମହାରାଷ୍ଟ୍ରର ଭକ୍ତ ପାଇଁ ବି ହୁଅନ୍ତି ଗଜାନନ ବେଶ

ଭକ୍ତ ପ୍ରିୟ କାଳିଆ ସାଆନ୍ତ । ଭକ୍ତର ଭକ୍ତି ତାକୁ ପାଗଳ କରିଦିଏ । ଭକ୍ତ ପାଇଁ ସେ ସବୁକିଛି ତ୍ୟାଗ କରିଦେଇପାରେ । ନନ୍ଦିଘୋଷ ଛାଡି ବିଜେ କରିପାରେ ବଳରାମ ଦାସଙ୍କ ବାଲିରଥକୁ ତ ଷାଠିଏ ପଉଟି ଭୋଗ ଛାଡି ଖାଇ ପାରେ କରମା ବାଇର କ୍ଷୀରି ।

ଭକ୍ତ ଓ ଭଗବାନଙ୍କର ଭଲପାଇବାର ଏମିତି ଅନେକ କାହାଣୀ ରହିଛି । କାଳିଆର ଭକ୍ତ ପୀରତି ଖାଲି ଓଡିଶାରେ ସୀମିତ ନାହିଁ...ସୁଦୂର ମହାରାଷ୍ଟ୍ରର ଭକ୍ତ ପାଇଁ ବି ସେ ଧାରଣ କରିଥିଲେ ଗଜାନନ ବେଶ ବା ହାତୀ ବେଶ । ଯାହାରି ପାଇଁ ଆଜି ଏ ଆୟୋଜନ...ଏ ଆଡମ୍ବର ।

ମହାରାଷ୍ଟ୍ରର ଗଣପତି ଭଟ୍ଟ । ଗଣେଶ ଦେବତାଙ୍କର ପରମ ଭକ୍ତ । ଦିନେ ସେ ପୁରୀ ଆସିଥିଲେ । ତାଙ୍କର ପାଣ୍ଡିତ୍ୟ ପାଇଁ ସେ ରାଜାଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁରୋଧ କରିଥିଲେ । ଯୋଗକୁ ସେଦିନ ପଡିଥିଲା ସ୍ନାନପୂର୍ଣ୍ଣିମା ।

ହେଲେ ଭଟ୍ଟ ମହାଶୟ ସ୍ନାନବେଦୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ସତ । କିନ୍ତୁ ସ୍ନାନବେଦୀରେ ସେ ଯେଉଁ ଜଗନ୍ନାଥଙ୍କୁ ଦେଖିଲେ, ତାଙ୍କର ଧାରଣା ହେଲା ଏ ଯେହେତୁ ଗଣେଶରୂପ ନୁହନ୍ତି, ତେଣୁ ଏ ବ୍ରହ୍ମ ନୁହନ୍ତି । ସେ ନିରାଶ ମନରେ ଫେରିଗଲେ ।

ଏହା ଜାଣି ଶ୍ରୀଜଗନ୍ନାଥ ମୁଦିରଥ ସେବକଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ ମୋର ପରମଭକ୍ତ ଗଣପତି ଭଟ୍ଟ ମୋର ଗଣପତି ରୂପର ଦର୍ଶନ ନପାଇ ନିରାଶ ମନରେ ଫେରିଯାଉଛି । ତୁମେ ଯାଇ ତାକୁ କୁହ ସେ ଆସି ଏକାଗ୍ର ଚିତ୍ତରେ ମୋର ଦର୍ଶନ କରୁ । ମୁଁ ତାକୁ ଗଣପତି ରୂପରେ ଦର୍ଶନ ଦେବି । ଏହାପରେ ଗଣପତି ଭଟ୍ଟ ଅଧାବାଟରୁ ଫେରିଥିଲେ । ଆଉ ଦେଖିବାକୁ ପାଇଥିଲେ ସ୍ନାନବେଦୀରେ ବିରାଜିତ ଥିବା ବିଗ୍ରହମାନେ ଆଉ କେହି ନୁହନ୍ତିଁ, ତାଙ୍କର ଚିର ଆରାଧ୍ୟ ଦେବତା ଗଜାନନ ।


ସେହିଦିନଠୁ ପ୍ରତିବର୍ଷ ସ୍ନାନମଣ୍ଡପରେ ପ୍ରଭୁଙ୍କର ହାତୀବେଶକୁ ଭକ୍ତମାନେ ଦର୍ଶନ କରିଆସୁଛନ୍ତି । କୁହାଯାଏ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ଏହି ଦୁଇଟି ଯାତ୍ରାରେ ଶ୍ରୀଜୀଉମାନେ ନିଜ ଇଚ୍ଛାରେ ରତ୍ନବେଦୀରୁ ଓହ୍ଲାଇ ଆସିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଖନ୍ତୁ ଏଠାରେ: Divine Darshan Of Lord Jagannath In 'Gajanana Besha' In Puri

ଭକ୍ତ ବତ୍ସଳ କାଳିଆ ସାଆନ୍ତ । ଦାସିଆ ବାଉରୀ ହାତରୁ ସେ ନଡିଆ ନେଇଛନ୍ତି, ବଳରାମ ଦାସଙ୍କ ଉପରେ ରାଜରୋଷରେ କ୍ଷୁବ୍ଧ ହୋଇ ନନ୍ଦିଘୋଷ ଛାଡି ବାଙ୍କୀ ମୁହାଣର ବାଲିରଥକୁ ଚାଲି ଯାଇଛନ୍ତି । ଜଗନ୍ନାଥ ଦାସଙ୍କ ଭକ୍ତିରେ ବିଭୋର ହୋଇ ମହୋଦଧିକୁ ସାତଲହଡି ପର୍ଯ୍ୟନ୍ତ ଘୁଞ୍ଚାଇ ଆଣିଛନ୍ତି । ଛଦ୍ମ ଜୟଦେବ ବେଶରେ ଗୀତଗୋବିନ୍ଦର ଅପୂର୍ଣ୍ଣ ପଦ ପୂରଣ କରିଛନ୍ତି ।

ରତ୍ନ ମୁଦି ବନ୍ଧା ଦେଇ ମାଣିକ ଗଉଡୁଣୀ ଠାରୁ ଦହି ଖାଇଛନ୍ତି । ଶ୍ରୀମନ୍ଦିର ପ୍ରତିଷ୍ଠାତା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁତ୍ର ହୋଇ ପୟାଶ୍ରାଦ୍ଧରେ ପିଣ୍ଡଦାନ କରିଛନ୍ତି । ଗଜପତିଙ୍କ ପାଇଁ କାଞ୍ଚି ଅଭିଯାନରେ ଯାଇଛନ୍ତି । ଏମିତି ପ୍ରଭୁଙ୍କ କେତେ ଅଦ୍ଭୂତ, ଅଲୌକିକ ଲୀଳା । ସେମିତି ସେହି ଭକ୍ତମାନଙ୍କ ମଧ୍ୟରୁ ଜଣେ ଗଣପତି ଭଟ୍ଟ । ଯାହାଙ୍କ ପାଇଁ ସ୍ନାନଯାତ୍ରା ଦିନ 108 ସୁବାସିତ ଗରା ଜଳରେ ସ୍ନାନ ପରେ ହାତୀବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ ।

ଦୁଃଖୀ ରଙ୍କୀ, ପାପୀ ତପୀ ସମସ୍ତଙ୍କ ପାଇଁ ତାଙ୍କ ଦୁଆର ସାଆଣ ମେଲା । ତାଙ୍କ ପାଖରେ ଜାତି ଅଜାତି, ଧନୀ ଗରିବ ବଡ ସାନର ବିଚାର ନାହିଁ କି ଆଭିଜାତ୍ୟର ଅହଙ୍କାର ନାହିଁ । ଯିଏ ଯେଉଁ ଭାବରେ ତାଙ୍କୁ ଡାକିଛି, ସେ ରୂପରେ ସେ ଦେଖା ଦେଇଛନ୍ତି । ତାଙ୍କ ପୀଠରେ ଗଜପତି ଚଣ୍ଡାଳର କାମ କରନ୍ତି । ତାଙ୍କ ଆନନ୍ଦ ବଜାରରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ପ୍ରସାଦ ସେବନ କରନ୍ତି । ସେ ଭକ୍ତ ବତ୍ସଳ । ଭକ୍ତି ଓ ଭାବାବେଗରେ ବଶୀଭୂତ ।

Sponsored
ମହାରାଷ୍ଟ୍ରର ଭକ୍ତ ପାଇଁ ଜଗନ୍ନାଥଙ୍କ ହୁଅନ୍ତି ହାତୀ ବେଶ | Argus News