ସ୍ନାନଯାତ୍ରା;ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼

Key Points
ସ୍ନାନ ବେଦୀକୁ ବିଜେ କରିସାରିଛନ୍ତି ଶ୍ରୀଜୀଉ
୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ
ଦିନ 12.20ରୁ 1.45 ମଧ୍ୟରେ ଜଳଲାଗି ନୀତି
ପବିତ୍ର ସ୍ନାନଯାତ୍ରାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀଜୀଉଙ୍କ ପହଣ୍ଡି ସହ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସ୍ନାନବେଦୀରୁ ହାତ ହଲେଇ ଭକ୍ତଙ୍କୁ ଅଭିବାଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସ୍ନାନ ବେଦୀକୁ ବିଜେ କରିସାରିଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଶ୍ରୀଜୀଉଙ୍କର ଏହି ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ପହଣ୍ଡି ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ 70 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବାସହ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛି ପୁରୀ ପୋଲିସ।
📱 Get Argus News App
✨ମଇଲମ,ତଡପଲାଗି,ଅଧରପୋଛା ଓ ଅନ୍ୟାନ୍ୟ ନୀତି କରାଯାଇ ଦିନ 12.20ରୁ 1.45 ମଧ୍ୟରେ ଜଳଲାଗି ନୀତି ଅନୁଷ୍ଠିତ ହେବ । ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖି ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ଅପରାହ୍ନ 3.30ରେ ଛେରାପହଁରା ନୀତି ବଢିବା ପରେ ସ୍ନାନମଣ୍ଡପ ଉପରେ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ପରେ ଦୁର୍ଲଭ ହାତୀବେଶକୁ ଭକ୍ତ ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ସଂଧ୍ୟା 7.30ରୁ 10.30 ଅର୍ଥାତ 3ଘଣ୍ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବାର ସୁଯୋଗ ପାଇବେ । ପରେ ରାତି 11ଟାରେ ହାତୀବେଶ ମଇଲମ ବା ଓଲାଗି କରାଯାଇ ରାତି 11.30ରୁ 2ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ।