Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ratha yatra / ଭକ୍ତିମୟ ବଡଦାଣ୍ଡ, ଚକା ଚକା ଆଖିରେ ବିଭୋର ଭକ୍ତ

Smruti Parija
Browse all articles by Smruti Parija
·1 year ago·3 min read
ଭକ୍ତିମୟ ବଡଦାଣ୍ଡ, ଚକା ଚକା ଆଖିରେ ବିଭୋର ଭକ୍ତ
Sana purnima

Key Points

ତିନି ଠାକୁର ସେ ଭଉଣୀ ଭାଇ | ରଥେ ଚଢି ସିଏ ଆସନ୍ତି ଧାଇଁ | ଭକ୍ତଙ୍କୁ ତାଙ୍କର ଦେଖିବା ପାଇଁ | ରଥ ଉପରୁ ସେ ଥାଆନ୍ତି ଚାହିଁ

ସ୍ନାନ ବେଦୀକୁ ବିଜେ କରିସାରିଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଘଣ୍ଟ ଘଣ୍ଟା ହୁଳହୁଳି, ଝାଞ୍ଚ ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର । ଭକ୍ତିମୟ ବଡଦାଣ୍ଡ । ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବର୍ଷ ସାରା ପର୍ବପର୍ବାଣି ଲାଗି ରହିଥିଲେ ହେଁ, ସେଥିମଧ୍ୟରୁ 12 ଗୋଟି ବିଶିଷ୍ଟ ଉତ୍ସବ ଭାବରେ ପାଳିତ ହୁଏ ।

ଯାହାକୁ କୁହାଯାଏ ଦ୍ୱାଦଶ ଯାତ୍ରା । ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରାକୁ ପ୍ରଥମ ସ୍ଥାନ ଦିଆଯାଇଛି । ପୂର୍ବ ଯେତେବେଳେ ସ୍ନାନବେଦୀ ନଥିଲା, ସେତେବେଳେ କାଠରେ ଗୋଟିଏ ମଞ୍ଚା କରାଯାଉଥିଲା । ଉକ୍ତ ମଞ୍ଚରେ ବିଗ୍ରହମାନଙ୍କୁ ବସାଇ ସ୍ନାନ କରାଯାଉଥିଲା । ଯାହାକୁ ମଞ୍ଚାସ୍ନାନ ମଧ୍ୟ କୁହାଯାଏ । ଠିକ୍ ସେମିତି ସ୍ନାନଯାତ୍ରାର ଅନ୍ୟନାମ ଜ୍ୟୋଷ୍ଠସ୍ନାନ ଓ ଦେବସ୍ନାନ ମଧ୍ୟ ।

ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାବାହୁ। ଆଉ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦିବ୍ୟ ଦର୍ଶନ। ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।

ହେଲେ ମହାପ୍ରଭୁମାନେ ଯେଉଁ ଜଳରେ ସ୍ନାନ କରିଥାନ୍ତି ସେ କଣ ସାଧାରଣ ଜଳ ଥାଏ, ନା ସେଥିରେ ଆଉ କିଛି ମିଶିଥାଏ । ଆଉ ସବୁଠୁ ବଡ କଥା ଏହି 108 ଗରା ସୁବାସିତ ଜଳ କେଉଁଠୁ ଆସିଥାଏ ।

ଖରା ପରେ ବର୍ଷା ଆସିବା ପୂର୍ବରୁ ମୌସୁମୀ ପରିବର୍ତ୍ତନ ବେଳେ ମଣିଷ ଅତ୍ୟଧିକ ସ୍ନାନ କଲେ ଯେମିତି ଜ୍ୱରରେ ପଡେ, ଆମ ଠାକୁରମାନେ ମଧ୍ୟ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡନ୍ତି ।

ବର୍ଷର ସବୁ ସମୟରେ ଶ୍ରୀଜୀଉମାନେ ପରୋକ୍ଷ ଭାବରେ ଦର୍ପଣ ସାହାଯ୍ୟରେ ସ୍ନାନ କରିଥାନ୍ତି । ଯାହାକୁ ବିମ୍ୱସ୍ନାନ ବୋଲି କୁହାଯାଏ । ମାତ୍ର କେବଳ ବର୍ଷକୁ ଥରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡିଥାନ୍ତି ଆମ ଠାକୁରମାନେ ।

ପ୍ରଭୁ ଜଗନ୍ନାଥ 35, ଶ୍ରୀବଳଭଦ୍ର 33, ମା ସୁଭଦ୍ରା 22 ଏବଂ ଶ୍ରୀସୁଦର୍ଶନ 18 କୁମ୍ଭ ଜଳ ମୋଟ 108 ଗରା ପାଣିରେ ଗାଧେଇଥାନ୍ତି ଶ୍ରୀଜୀଉମାନେ ।

କୁହାଯାଏ ସ୍ନାନଉତ୍ସବରେ ବ୍ୟବହୃତ ଜଳ ଅତୀତରେ ଭାରତବର୍ଷର ସବୁ ତୀର୍ଥମାନଙ୍କରୁ ଆସି ସୁବର୍ଣ୍ଣପାତ୍ରରେ ରଖି ଶ୍ରୀମନ୍ଦିରର ବାହାର ବେଢା ବା ଉତ୍ତରଦ୍ୱାର ସନ୍ନିକଟ ମା ଶୀତଳାଙ୍କ ନିକଟରେ ଥିବା ସୁନାକୂଅରେ ବୁଡାଇରଖାଯାଉଥିଲା ।

ତେଣୁ ପ୍ରତି ସ୍ନାନପୂର୍ଣ୍ଣିମା ପୂର୍ବଦିନ ଏହି କୂଅର ଢାଙ୍କୁଣୀ ଖୋଲାଯାଏ ଏବଂ ସୁନାଗୋସାଇଁ ଓ ମୁଦିରସ୍ତ ସେବକ ସୁନାକୂଅରୁ 108 ଗରା ପାଣିଆଣି ଜଳ ଅଧିବାସ ଘରେ ରଖନ୍ତି । ତାପରେ ଏହି ଜଳରେ କର୍ପୂର, ଚୁଆ, ଚନ୍ଦନ, ଆଦି ସୁବାସିତ ଦ୍ରବ୍ୟମାନ ମିଶାଇ ଅଧିବାସ କରାଯାଏ । ସ୍ନାନପୂର୍ଣ୍ଣିମା ଦିନ ପ୍ରଭୁମାନଙ୍କୁ ଏହି ଜଳରେ ସ୍ନାନ କରାଯାଏ । ଏହି କୂଅର ନାମ ସୁନାକୂଅ ବୋଲି କଥିତ ରହିଛି ।

ସୁନାକୂଅ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କୂଅଟି 50 ଫୁଟ୍ ରୁ ଅଧିକ ଗଭୀର ଓ ଗୋଲାକୃତି । କୂଅର ଚାନ୍ଦିନୀଟି ସଦାସର୍ବଦା ଚାରିପଟୁ ସିମେଣ୍ଟ ଚାଦର ଦ୍ୱାରା ଆଦୃତ ହୋଇଥାଏ । କାରଣ ଏହି କୂଅର ପାଣି କେବଳ ପ୍ରଭୁଙ୍କ ସ୍ନାନ ଉତ୍ସବ ପାଇଁ ହିଁ ବର୍ଷକରେ ମାତ୍ର ଥରକ ପାଇଁ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରର ବାହାର ବେଢା ବା ଉତ୍ତରଦ୍ୱାର ସନ୍ନିକଟ ମା ଶୀତଳାଙ୍କ ନିକଟରେ ରହିଛି ଏହି ସୁନାକୂଅ ।

ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ୍ ଜ୍ୟୋଷ୍ଠମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅର ଘୋଡଣୀ ଖୋଲାଯାଏ । କାରଣ ସ୍ନାନପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା ରହିଛି । ଉଝାଳିବା ଦୟିତ୍ୱ ମଧ୍ୟ ଦୟଣାମାଳି ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି ।

ଉଝାଳିବା ଦ୍ୱାରା ସୁନାକୂଅ ଜଳଶୂନ୍ୟ ହୋଇଥିଲେ ବି ପୂର୍ଣ୍ଣିମା ଦିନ କୂଅରେ ପର୍ଯ୍ୟାପ୍ତ ପାଣି ଝରିଯାଏ । ଏହି ପାଣିରେ ବିଗ୍ରହମାନଙ୍କର ସ୍ନାନନୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ । ଏହି କୂଅଟି ଶୀତଳାଟାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ସତେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହାପ୍ରଭୁଙ୍କ ସ୍ନାନ ପରେ ସବୁ ତୀର୍ଥଜଳ ସୁନା କୂଅରୁ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ତେଣୁ ସେ କୂଅରୁ ଆଉ ଜଳ ବ୍ୟବହୃତ ହୋଇନଥାଏ । ଏହାର ବର୍ଷକ ପରେ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ହିଁ ଚତୁର୍ଦ୍ଧାମୂରତିଙ୍କ ସ୍ନାନ ପାଇଁ ସେହି କୂଅରୁ ଜଳ ଅଣାଯାଏ ।

ଦାରୁବ୍ରହ୍ମଙ୍କର ଏ ସ୍ନାନଉତ୍ସବ ଏକ ଦୁର୍ଲଭ ଲୀଳା । ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ଦର୍ଶନ କଲେ ମହାପାପରୁ ମୁକ୍ତି ମିଳେ ବୋଲି କୁହାଯାଏ । ଜ୍ୟୋଷ୍ଠମାସର ପୂର୍ଣ୍ଣିମାରେ ଏହି ଯାତ୍ରାଟି ପଡୁଥିବାରୁ ସବୁ ଯାତ୍ରା ମଧ୍ୟରେ ଏହା ଶ୍ରେଷ୍ଠ ଓ ପବିତ୍ର ବୋଲି କୁହାଯାଏ ।

ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଯାନିଯାତ୍ରା କାର୍ଯ୍ୟକ୍ରମ ସ୍ନାନପୂର୍ଣ୍ଣିମା ଠାରୁ ହିଁ ଆରମ୍ଭ ହୋଇଥାଏ । ଶ୍ରୀଜଗନ୍ନାଥ କେବଳ ବ୍ରହ୍ମ କି ବ୍ରହ୍ମାଣ୍ଡର ଠାକୁର ନୁହନ୍ତି, ସେ ପ୍ରେମ, ଭକ୍ତି ଓ ହୃଦୟର ଠାକୁର ବୋଲି ସ୍ନାନଯାତ୍ରା ଏହାର ବିରାଟ ବଡ ପ୍ରମାଣ । ସ୍ନାନଯାତ୍ରା ବଡ ଠାକୁରଙ୍କର ମାନବୀୟ ଲୀଳାର ଅନନ୍ୟ ଦୃଷ୍ଟାନ୍ତ ।

ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ଦର୍ଶନ କଲେ ମହାପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

Related Topics

Explore more stories

Sponsored
ଭକ୍ତିମୟ ବଡଦାଣ୍ଡ, ଚକା ଚକା ଆଖିରେ ବିଭୋର ଭକ୍ତ | Argus News