ratha yatra / ଭକ୍ତିମୟ ବଡଦାଣ୍ଡ, ଚକା ଚକା ଆଖିରେ ବିଭୋର ଭକ୍ତ

Key Points
ତିନି ଠାକୁର ସେ ଭଉଣୀ ଭାଇ | ରଥେ ଚଢି ସିଏ ଆସନ୍ତି ଧାଇଁ | ଭକ୍ତଙ୍କୁ ତାଙ୍କର ଦେଖିବା ପାଇଁ | ରଥ ଉପରୁ ସେ ଥାଆନ୍ତି ଚାହିଁ
ସ୍ନାନ ବେଦୀକୁ ବିଜେ କରିସାରିଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଘଣ୍ଟ ଘଣ୍ଟା ହୁଳହୁଳି, ଝାଞ୍ଚ ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର । ଭକ୍ତିମୟ ବଡଦାଣ୍ଡ । ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ ।
ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବର୍ଷ ସାରା ପର୍ବପର୍ବାଣି ଲାଗି ରହିଥିଲେ ହେଁ, ସେଥିମଧ୍ୟରୁ 12 ଗୋଟି ବିଶିଷ୍ଟ ଉତ୍ସବ ଭାବରେ ପାଳିତ ହୁଏ ।
ଯାହାକୁ କୁହାଯାଏ ଦ୍ୱାଦଶ ଯାତ୍ରା । ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରାକୁ ପ୍ରଥମ ସ୍ଥାନ ଦିଆଯାଇଛି । ପୂର୍ବ ଯେତେବେଳେ ସ୍ନାନବେଦୀ ନଥିଲା, ସେତେବେଳେ କାଠରେ ଗୋଟିଏ ମଞ୍ଚା କରାଯାଉଥିଲା । ଉକ୍ତ ମଞ୍ଚରେ ବିଗ୍ରହମାନଙ୍କୁ ବସାଇ ସ୍ନାନ କରାଯାଉଥିଲା । ଯାହାକୁ ମଞ୍ଚାସ୍ନାନ ମଧ୍ୟ କୁହାଯାଏ । ଠିକ୍ ସେମିତି ସ୍ନାନଯାତ୍ରାର ଅନ୍ୟନାମ ଜ୍ୟୋଷ୍ଠସ୍ନାନ ଓ ଦେବସ୍ନାନ ମଧ୍ୟ ।
ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାବାହୁ। ଆଉ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦିବ୍ୟ ଦର୍ଶନ। ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।
ହେଲେ ମହାପ୍ରଭୁମାନେ ଯେଉଁ ଜଳରେ ସ୍ନାନ କରିଥାନ୍ତି ସେ କଣ ସାଧାରଣ ଜଳ ଥାଏ, ନା ସେଥିରେ ଆଉ କିଛି ମିଶିଥାଏ । ଆଉ ସବୁଠୁ ବଡ କଥା ଏହି 108 ଗରା ସୁବାସିତ ଜଳ କେଉଁଠୁ ଆସିଥାଏ ।
ଖରା ପରେ ବର୍ଷା ଆସିବା ପୂର୍ବରୁ ମୌସୁମୀ ପରିବର୍ତ୍ତନ ବେଳେ ମଣିଷ ଅତ୍ୟଧିକ ସ୍ନାନ କଲେ ଯେମିତି ଜ୍ୱରରେ ପଡେ, ଆମ ଠାକୁରମାନେ ମଧ୍ୟ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡନ୍ତି ।
ବର୍ଷର ସବୁ ସମୟରେ ଶ୍ରୀଜୀଉମାନେ ପରୋକ୍ଷ ଭାବରେ ଦର୍ପଣ ସାହାଯ୍ୟରେ ସ୍ନାନ କରିଥାନ୍ତି । ଯାହାକୁ ବିମ୍ୱସ୍ନାନ ବୋଲି କୁହାଯାଏ । ମାତ୍ର କେବଳ ବର୍ଷକୁ ଥରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡିଥାନ୍ତି ଆମ ଠାକୁରମାନେ ।
ପ୍ରଭୁ ଜଗନ୍ନାଥ 35, ଶ୍ରୀବଳଭଦ୍ର 33, ମା ସୁଭଦ୍ରା 22 ଏବଂ ଶ୍ରୀସୁଦର୍ଶନ 18 କୁମ୍ଭ ଜଳ ମୋଟ 108 ଗରା ପାଣିରେ ଗାଧେଇଥାନ୍ତି ଶ୍ରୀଜୀଉମାନେ ।
କୁହାଯାଏ ସ୍ନାନଉତ୍ସବରେ ବ୍ୟବହୃତ ଜଳ ଅତୀତରେ ଭାରତବର୍ଷର ସବୁ ତୀର୍ଥମାନଙ୍କରୁ ଆସି ସୁବର୍ଣ୍ଣପାତ୍ରରେ ରଖି ଶ୍ରୀମନ୍ଦିରର ବାହାର ବେଢା ବା ଉତ୍ତରଦ୍ୱାର ସନ୍ନିକଟ ମା ଶୀତଳାଙ୍କ ନିକଟରେ ଥିବା ସୁନାକୂଅରେ ବୁଡାଇରଖାଯାଉଥିଲା ।
ତେଣୁ ପ୍ରତି ସ୍ନାନପୂର୍ଣ୍ଣିମା ପୂର୍ବଦିନ ଏହି କୂଅର ଢାଙ୍କୁଣୀ ଖୋଲାଯାଏ ଏବଂ ସୁନାଗୋସାଇଁ ଓ ମୁଦିରସ୍ତ ସେବକ ସୁନାକୂଅରୁ 108 ଗରା ପାଣିଆଣି ଜଳ ଅଧିବାସ ଘରେ ରଖନ୍ତି । ତାପରେ ଏହି ଜଳରେ କର୍ପୂର, ଚୁଆ, ଚନ୍ଦନ, ଆଦି ସୁବାସିତ ଦ୍ରବ୍ୟମାନ ମିଶାଇ ଅଧିବାସ କରାଯାଏ । ସ୍ନାନପୂର୍ଣ୍ଣିମା ଦିନ ପ୍ରଭୁମାନଙ୍କୁ ଏହି ଜଳରେ ସ୍ନାନ କରାଯାଏ । ଏହି କୂଅର ନାମ ସୁନାକୂଅ ବୋଲି କଥିତ ରହିଛି ।
ସୁନାକୂଅ
📱 Get Argus News App
✨ଏହି କୂଅଟି 50 ଫୁଟ୍ ରୁ ଅଧିକ ଗଭୀର ଓ ଗୋଲାକୃତି । କୂଅର ଚାନ୍ଦିନୀଟି ସଦାସର୍ବଦା ଚାରିପଟୁ ସିମେଣ୍ଟ ଚାଦର ଦ୍ୱାରା ଆଦୃତ ହୋଇଥାଏ । କାରଣ ଏହି କୂଅର ପାଣି କେବଳ ପ୍ରଭୁଙ୍କ ସ୍ନାନ ଉତ୍ସବ ପାଇଁ ହିଁ ବର୍ଷକରେ ମାତ୍ର ଥରକ ପାଇଁ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରର ବାହାର ବେଢା ବା ଉତ୍ତରଦ୍ୱାର ସନ୍ନିକଟ ମା ଶୀତଳାଙ୍କ ନିକଟରେ ରହିଛି ଏହି ସୁନାକୂଅ ।
ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ୍ ଜ୍ୟୋଷ୍ଠମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅର ଘୋଡଣୀ ଖୋଲାଯାଏ । କାରଣ ସ୍ନାନପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା ରହିଛି । ଉଝାଳିବା ଦୟିତ୍ୱ ମଧ୍ୟ ଦୟଣାମାଳି ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି ।
ଉଝାଳିବା ଦ୍ୱାରା ସୁନାକୂଅ ଜଳଶୂନ୍ୟ ହୋଇଥିଲେ ବି ପୂର୍ଣ୍ଣିମା ଦିନ କୂଅରେ ପର୍ଯ୍ୟାପ୍ତ ପାଣି ଝରିଯାଏ । ଏହି ପାଣିରେ ବିଗ୍ରହମାନଙ୍କର ସ୍ନାନନୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ । ଏହି କୂଅଟି ଶୀତଳାଟାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ସତେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହାପ୍ରଭୁଙ୍କ ସ୍ନାନ ପରେ ସବୁ ତୀର୍ଥଜଳ ସୁନା କୂଅରୁ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ତେଣୁ ସେ କୂଅରୁ ଆଉ ଜଳ ବ୍ୟବହୃତ ହୋଇନଥାଏ । ଏହାର ବର୍ଷକ ପରେ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ହିଁ ଚତୁର୍ଦ୍ଧାମୂରତିଙ୍କ ସ୍ନାନ ପାଇଁ ସେହି କୂଅରୁ ଜଳ ଅଣାଯାଏ ।
ଦାରୁବ୍ରହ୍ମଙ୍କର ଏ ସ୍ନାନଉତ୍ସବ ଏକ ଦୁର୍ଲଭ ଲୀଳା । ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ଦର୍ଶନ କଲେ ମହାପାପରୁ ମୁକ୍ତି ମିଳେ ବୋଲି କୁହାଯାଏ । ଜ୍ୟୋଷ୍ଠମାସର ପୂର୍ଣ୍ଣିମାରେ ଏହି ଯାତ୍ରାଟି ପଡୁଥିବାରୁ ସବୁ ଯାତ୍ରା ମଧ୍ୟରେ ଏହା ଶ୍ରେଷ୍ଠ ଓ ପବିତ୍ର ବୋଲି କୁହାଯାଏ ।
ଶ୍ରୀଜଗନ୍ନାଥଙ୍କ ବାର୍ଷିକ ଯାନିଯାତ୍ରା କାର୍ଯ୍ୟକ୍ରମ ସ୍ନାନପୂର୍ଣ୍ଣିମା ଠାରୁ ହିଁ ଆରମ୍ଭ ହୋଇଥାଏ । ଶ୍ରୀଜଗନ୍ନାଥ କେବଳ ବ୍ରହ୍ମ କି ବ୍ରହ୍ମାଣ୍ଡର ଠାକୁର ନୁହନ୍ତି, ସେ ପ୍ରେମ, ଭକ୍ତି ଓ ହୃଦୟର ଠାକୁର ବୋଲି ସ୍ନାନଯାତ୍ରା ଏହାର ବିରାଟ ବଡ ପ୍ରମାଣ । ସ୍ନାନଯାତ୍ରା ବଡ ଠାକୁରଙ୍କର ମାନବୀୟ ଲୀଳାର ଅନନ୍ୟ ଦୃଷ୍ଟାନ୍ତ ।
ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ଦର୍ଶନ କଲେ ମହାପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
Related Topics
Explore more stories