ଏଥର ରଥଯାତ୍ରା ବଜେଟ୍ ୩୪ କୋଟି, ରଥ ଖଳା ଖର୍ଚ୍ଚ ୨ କୋଟି ୨୦ ଲକ୍ଷ

Key Points
ଚଳିତ ମାସ ୧୧ ତାରିଖରେ ସ୍ନାନ ଯାତ୍ରା ।
୯ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ କରିବେ ଦଇତାପତି ସେବକ ।
ଚଳିତ ଥର ପରିମାଣିକ ଦର୍ଶନ ପାଇଁ ୫ ହଜାର ଟିକେଟ ବ୍ୟବସ୍ଥା।
ସ୍ନାନ ଓ ରଥଯାତ୍ରା ପାଇଁ ପହଣ୍ଡି ଷ୍ଟ୍ରାଟେଜି ଓ ନୀତି ଶୃଙ୍ଖଳା ଚ୍ୟାଲେଞ୍ଜ । ଶୃଙ୍ଖଳିତ ନୀତି ପାଇଁ ପାଳିଆ ପୁରସ୍କାର । ସେବକଙ୍କ ସହ ଆଲୋଚନା କଲା ଶ୍ରୀମନ୍ଦିର ପ୍ରଶାସନ। ଖୁବ୍ ଶୀଘ୍ର ଚୟନ ହେବ ପହଣ୍ଡି ଟିମ୍ । ଯୁବ ତଥା ଅଭିଜ୍ଞ ଏବଂ ସକ୍ଷମ ସେବକଙ୍କୁ ନେଇ ପହଣ୍ଡି ପାଇଁ ଫୋକସ୍ । ଦଇତାପତି ସେବକ କହିଲେ ବ୍ୟବସ୍ଥାବଳୀର ଅନୂପାଳନ ରହିବ ମୁଖ୍ୟ ଲକ୍ଷ୍ୟ । ସଅଳ ନୀତି, ଶୃଙ୍ଖଳିତ ପହଣ୍ଡି ପାଇଁ ଏଥର ନୂଆ ଷ୍ଟ୍ରାଟେଜି ।
ଗତ ବର୍ଷ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ହୋଇଥିଲା ବଡ଼ ଅଘଟଣ । ଏଥର ସ୍ନାନ, ରଥ ଓ ବାହୁଡ଼ା ଯାତ୍ରାରେ ପହଣ୍ଡିକୁ ଶୃଙ୍ଖଳିତ କରିବାକୁ ଜୋରଦାର ପ୍ରସ୍ତୁତି କରୁଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଯାୟୀ ଏଥର ନିର୍ଦ୍ଧିଷ୍ଟ ସେବକଙ୍କୁ ନେଇ ପହଣ୍ଡି ହେବ। କେଉଁ ନିଯୋଗରୁ କେତେ ସେବକ ରହିବେ ସଂଖ୍ୟା ଧାର୍ଯ୍ୟ ହେବ । ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ପ୍ରଶାସନ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ସୁଦ୍ଦୁ ସୁଆର, ଦର୍ପଣିଆ, ଦତ୍ତ ମହାପାତ୍ର ସେବକଙ୍କୁ ନେଇ ବୈଠକ ହୋଇଛି । ଉଭୟ ସ୍ନାନ ଓ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁପାଳନ କରିବାକୁ ସହମତି ଦେଇଛନ୍ତି ବିଭିନ୍ନ ନିଯୋଗ।
ଚଳିତ ମାସ ୧୧ ତାରିଖରେ ସ୍ନାନ ଯାତ୍ରା । ୯ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ କରିବେ ଦଇତାପତି ସେବକ । ମଙ୍ଗଳାର୍ପଣ, ଯାତ୍ରାଙ୍ଗୀ ମହାସ୍ନାନ ଆଦି ସୁରୁଖୁରୁରେ ହେବା ପାଇଁ ସୁଦ୍ଦୁ ସୁଆରଙ୍କ ସହ ଆଲୋଚନା ସରିଛି । ଚଳିତ ଥର ପରିମାଣିକ ଦର୍ଶନ ପାଇଁ ୫ ହଜାର ଟିକେଟ ବ୍ୟବସ୍ଥା ରହିଛି । ଦେଢ଼ ଶହ ଟଙ୍କା ଦେଇ ଦର୍ଶନ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ପହଣ୍ଡି ପାଇଁ ୩ ହଜାର, ନବଯୌବନ ଦର୍ଶନ ସମୟରେ ୩ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି। ପ୍ରାପ୍ୟ ପାଉଣା ନେଇ ମଧ୍ୟ ହୋଇଛି ଆଲୋଚନା । ସେପଟେ ଏଥର ରଥଯାତ୍ରା ବଜେଟ ଆଉ ୧ କୋଟି ବଢି଼ ଏଥର ୩୪ କୋଟିରେ ପହଞ୍ଚିଛି । ଏଥିରୁ କେବଳ ସେବକଙ୍କ ପ୍ରାପ୍ୟ ୨୦ କୋଟି ଟଙ୍କା । ରଥଖଳା ଖର୍ଚ୍ଚ ୨ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଛି।
ସଅଳ ନୀତି, ଶୃଙ୍ଖଳିତ ପହଣ୍ଡି ପାଇଁ ଏଥର ଥର ନୂଆ ଷ୍ଟ୍ରାଟେଜି ଆପଣାଯାଇଛି। ପ୍ରତି ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ଅଧିକାରୀ, ଆର୍ ଓ ଆର୍ ଅନୁସାରେ ନିର୍ଦ୍ଧିଷ୍ଟ ସଂଖ୍ୟକ ସେବକ, ଚାରମାଳର ଦୀର୍ଘତା ବିଜେ ଡୋରି ବା ଛାଟେଣିକୁ ସଠିକ୍ ଭାବରେ ବାନ୍ଧିବାକୁ ଫୋକସ୍ ଦିଆଯାଇଛି।