'ମୁଁ ୧୦ ବର୍ଷ ଧୋନିଙ୍କ ସହ କଥା ହୋଇନି'- ଏମିତି କହିଲେ ଭଜି, ହେଲେ....

ଅର୍ଗସ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ହରଭଜନ ସିଂ କିଛିଦିନ ପୂର୍ବରୁ ପୂର୍ବତନ କ୍ୟାପଟେନ ଏମଏସ ଧୋନିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ସେ ଟ୍ରୋଲର ଶିକାର ହେଉଥିଲେ । ଭଜି କିଛିଦିନ ତଳେ କହିଥିଲେ , ସେ ଦୀର୍ଘ ୧୦ ବର୍ଷ ହେବ ଧୋନିଙ୍କ ସହ କଥା ହେଉନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ପୁଣି ଉଭୟ ଏକାଠି ନଜର ଆସିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପରସ୍ପର ସହ ସେମାନେ କଥା ହେଉଛନ୍ତି ।
ଭିଡିଓରେ ଭଜି ଆଉ ଧୋନିଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ଥିବା ଜଣାପଡୁଛି । ଏକ ଇଭେଣ୍ଟରେ ଦୁହେଁ ଏକାଠି ନଜର ଆସିଥିବା ବେଳେ ଧୋନି ଭଜିଙ୍କୁ ବସିବା ପାଇଁ ଚେୟାର ପଛକୁ କରୁଛନ୍ତି । ପୁଣି ଭଜି ମଧ୍ୟ ଧୋନିଙ୍କୁ ସାହାଯ୍ୟ କରୁଛନ୍ତି । ଭିଡିଓ ଦେଖିଲେ ଏପରି ଲାଗୁଛି ଯେମିତି ଉଭୟଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଅଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଭଜି କହିଥିଲେ, ସେ ଯେତେବେଳେ ସିଏସକେ(CSK) ଦଳରେ ଖେଳୁଥିଲେ, ସେତେବେଳେ ସେ ଧୋନିଙ୍କ ସହ କଥା ହେଉଥିଲେ । ହେଲେ ଏବେ ପୁରା କଥାବାର୍ତ୍ତା ୧୦ ବର୍ଷ ହେବ ବନ୍ଦ ଅଛି । ଏହାର କାରଣ ସେ ଜାଣି ନାହାନ୍ତି । କିନ୍ତୁ ଧୋନିଙ୍କୁ ଜଣାଥାଇପାରେ ବୋଲି କହିଛନ୍ତି ଭଜି । ଖେଳିବା ବେଳେ କେବଳ ଗ୍ରାଉଣ୍ଡରେ ତାଙ୍କର ଧୋନିଙ୍କ ସହ କଥାବାର୍ତ୍ତା ହେଉଥିଲା । କିନ୍ତୁ ଖେଳ ସରିବା ପରେ ନା ସେ ମୋ ରୁମକୁ ଆସୁଥିଲେ, ନା ମୁଁ ତାଙ୍କ ରୁମକୁ ଯାଉଥିଲି ।
ଭଜି କହିଥିଲେ, " ମତେ କାହା ସହ କିଛି ଅସନ୍ତୋଷ ନାହିଁ । ମୁଁ ତାଙ୍କୁ କେବେବି ଫୋନ କରିନି । କାରଣ ମୁଁ ଟିକେ ଅଲଗା ପ୍ରକାରର । ମୋର ଫୋନ ଯିଏ ଉଠାଏ, ମୁଁ ତାଙ୍କୁ ଫୋନ କରେ ।"
ଭଜିଙ୍କର ଏପର ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ଧୋନିଙ୍କ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିବାରେ ଲଗାଥିଲେ । କିନ୍ତୁ ଏବେ ଏକ କାର୍ଯ୍ୟକ୍ରମରେ ଉଭୟ ଏକାଠି ନଜର ଆସିବା ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା ।
Harbhajan Singh is Ashneer Grover.
— Sameer Allana (@HitmanCricket) February 14, 2025
MS Dhoni is Salman Khan.pic.twitter.com/Xgg2HFIQKz