ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର

ଅର୍ଗସ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ର ବହୁଚର୍ଚ୍ଚିତ ମହୋତ୍ସବ। ଚେନ୍ନାଇରେ ବାଜିବ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ର ସପ୍ତଦଶ ସଂସ୍କରଣ ବିଗୁଲ। ମ୍ୟାଚ ୮ଟାରୁ ଆରମ୍ଭ ହେବ। ହେଲେ ସଂଧ୍ୟା ସାଢ଼େ ୬ଟାରୁ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଧମାଲ କରିବେ। ରଙ୍ଗାରଙ୍ଗ ପରିବେଶ ଭିତରେ ପ୍ରଥମ ଲଢ଼େଇରେ ମୁହାଁମୁହିଁ ହେବେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ ନୂଆ ନାଁରେ ଖେଳିବାକୁ ଯାଉଥିବା ଆରସିବି (ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)।
ଲିଗ୍ର ସଫଳତମ ଓ କେବେବି ଟ୍ରଫି ଜିତି ନପାରିବାର ଅପଯଶ ବହନ କରିଆସୁଥିବା ଦଳ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ନେଇ ସମଗ୍ର କ୍ରିକେଟ୍ ଦୁନିଆ ଉଲ୍ଲସିତ। ‘କ୍ୟାପ୍ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନିଙ୍କ ଇସ୍ତଫା ପରେ ଯୁବ ତାରକା ଋତୁରାଜ ଗାଏକ୍ବାଡ ଏହି ମ୍ୟାଚ୍ରେ ସିଏସ୍କେର ନେତୃତ୍ବ ନେବେ। ତା’ ସହ ଏକ ନୂଆ ଯୁଗର ଅବସାନ ଘଟିବ। ଅନ୍ୟପକ୍ଷରେ ଆର୍ସିବିର ନେତୃତ୍ବ ଦାୟିତ୍ବ ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ପ୍ଲେସିସ୍ ତୁଲାଇବେ। ଧୋନିଙ୍କ ସହ ଭାରତୀୟ କ୍ରିକେଟର୍ ଅନ୍ୟତମ ମହାନ ତାରକା ବିରାଟ କୋହଲି ଏହି ମ୍ୟାଚ୍ରେ ପରସ୍ପର ବିପକ୍ଷରେ ଅଣଅଧିନାୟକ ଭାବେ ଖେଳିବେ।
ଆଇପିଏଲ୍ର ୧୬ଟି ଋତୁ ବିତିଯାଇଥିଲେ ମଧ୍ୟ ଆର୍ସିବି ଆଜି ପର୍ଯ୍ୟନ୍ତ ବିଜେତା ହୋଇନି। ତଥାପି ଏହାର ମହିଳା ଦଳ ଡବ୍ଲ୍ୟୁପିଏଲ୍ ବିଜୟରୁ ପ୍ରେରଣା ନେଇ ଏଥର ଟ୍ରଫି ମରୁଡ଼ି ଦୂର କରିବାକୁ ଚେଷ୍ଟା କରିବ। ନୂଆ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କର ବେଶ୍ ସୁନାମ ଥିବାରୁ ଏଥର ଆରସିବି ପ୍ରଶଂସକଙ୍କ ବହୁଦିନର ଆଶା ପୂରଣ ହେବ ବୋଲି ଆଶା କରାଯାଉଛି। ତେବେ ଘରୋଇ ପରିବେଶରେ ୧୦୦ ମ୍ୟାଚ୍ ଖେଳି ୬୬ ବିଜୟ ପାଇଥିବା ସିଏସକେକୁ ହରାଇବା ଆରସିବି ପାଇଁ ଆଦୌ ସହଜ ହେବନି। ଅତୀତରେ ସିଏସକେ ନିଜ ସ୍ପିନବାହିନୀ ବଳରେ ପ୍ରତିପକ୍ଷକୁ ଘାଇଲା କରିବାର ବହୁ ଉଦାହରଣ ରହିଛି।
📱 Get Argus News App
✨ଏଥର ସ୍ପିନ ଅଲରାଉଣ୍ଡର୍ ରାଚିନ ରବୀନ୍ଦ୍ର ଓ ସ୍ପିନରଙ୍କୁ ନିର୍ମମ ପ୍ରହାର କରୁଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କ ଉପସ୍ଥିତି ଏହି ଦଳକୁ ଆହୁରି ବଳଶାଳୀ କରିଛି। ରବୀନ୍ଦ୍ର ଜାଡ଼େଜା, ମହିଶ ତୀକ୍ଷଣାଙ୍କ ପାଇଁ ଚିଦାମ୍ବରମ୍ ଷ୍ଟାଡିୟମ୍ର ସ୍ପିନ ଉପଯୋଗୀ ପିଚ୍ରେ ଆର୍ସିବି ବ୍ୟାଟର୍ ନିଶ୍ଚିତ ଭାବେ ପରୀକ୍ଷାରେ ପଡ଼ିବେ। ଏବର୍ଷ ବି ଡେଭନ୍ କନୱେ ଓ ଗାଏକ୍ବାଡ୍ଙ୍କ ଯୋଡ଼ି ଆରମ୍ଭରୁ ସିଏସକେ ପାଇଁ ଦୃଢ଼ ମୂଳଦୁଆ ପକାଇବାକୁ ଚାହିବେ। ତେବେ ଚୂଡ଼ାନ୍ତ ଏକାଦଶରେ ରହିଲେ କିମ୍ବଦନ୍ତି ଧୋନି କେଉଁ ସ୍ଥାନରେ ବ୍ୟାଟିଂ କରିବେ, ପ୍ରଶଂସକ ତାହା ଦେଖିବାକୁ ନିଶ୍ଚିତ ଭାବେ ପ୍ରତୀକ୍ଷା କରିଥିବେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର