ଟ୍ରୋଲ୍ ହେଲେ ‘ବିଶ୍ବକପ୍ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ବସିଥିବା ଅଷ୍ଟ୍ରେଲିଆର ମିଚେଲ୍ ମାର୍ସ

ଅର୍ଗସ ବ୍ୟୁରୋ: ଗତକାଲି ବିଶ୍ବକପ ମ୍ୟାଚରେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି। ଅଷ୍ଟ୍ରେଲିଆ ମ୍ୟାଚ ଜିତିଛି ସତ କିନ୍ତୁ କପକୁ ନେଇ ଅସମ୍ମାନ ଯେଉଁଭଳି କରିଛି ତାହା କେବେ ବି ଗ୍ରହଣୀୟ ନୁହେଁ। ‘ବିଶ୍ବକପ୍ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ବସିଥିବା ଅଷ୍ଟ୍ରେଲିଆର ମିଚେଲ୍ ମାର୍ସ ଟ୍ରୋଲ ହୋଇଛନ୍ତି।
‘ବିଶ୍ବକପ୍ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳି ମିଚେଲ୍ ମାର୍ସ ବସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ‘ଟ୍ରୋଲ୍’ ବା ସମାଲୋଚନାର ଶିକାର ହୋଇଛନ୍ତି।
ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ର ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ୍ ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମକୁ ଯାଇଛି।
‘ଇଣ୍ଟର୍ନେଟ୍’ ୟୁଜର୍ସମାନେ ମାର୍ସଙ୍କର ଏତାଦୃଶ ଆଚରଣକୁ ‘ଅସମ୍ମାନଜନକ’ କହି ତାଙ୍କୁ ‘ଟ୍ରୋଲ୍’ କରିଛନ୍ତି। ରବିବାର ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ପ୍ରାୟୋଜକ ଦେଶ ଭାରତ ବିପକ୍ଷରେ ‘ଆଇସିସି କ୍ରିକେଟ୍ ବିଶ୍ବକପ୍’ ମ୍ୟାଚ୍ରେ ବିଜୟୀ ହୋଇ ‘ବିଶ୍ବକପ୍ ଟ୍ରଫି’ ଗ୍ରହଣ କରିବାର କିଛି ସମୟ ପରେ ଏହି ଫଟୋଟି ଉଠାଯାଇଥିଲା। ଜଣାପଡୁଛି, ଏହି ଫଟୋଟି ଅଷ୍ଟ୍ରେଲିଆ ଟିମ୍ ରହୁଥିବା ହୋଟେଲ୍ ରୁମ୍ରେ ଉଠାଯାଇଛି। ସେଠାରେ ଖେଳାଳିମାନେ ବସି ଗପସପ କରୁଥିବା ବେଳେ ମାର୍ସ ଏଭଳି ବସିଥିଲେ।
ରିପୋର୍ଟ ଅନୁସାରେ ଅଧିନାୟକ କ୍ୟୁମିନ୍ସ୍ ଡ୍ରେସିଙ୍ଗ୍ ରୁମ୍ରେ ଚାଲିଥିବା ବିଜୟ ଉତ୍ସବ ପାଳନ କାଳୀନ ଅଳ୍ପ କେତୋଟି ଫଟୋ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରିଥିଲେ। ସେଥିରୁ ଗୋଟିଏ ଫଟୋରେ ଦେଖାଯାଉଛି ଅଷ୍ଟ୍ରେଲିଆ ‘ଓପେନର୍’ ମିଚେଲ୍ ମାର୍ସ ହାତରେ ମଦ ବୋତଲଧରି ସୋଫାରେ ବସିଥିବା ବେଳେ ତଳେ ଥୁଆ ଯାଇଥିବା ‘ବିଶ୍ବକପ୍ ଟ୍ରଫି’ ଉପରେ ପାଦ ଯୋଡ଼ି ରଖିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର