Videos
|
Sports

ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳକୁ ମିଳିବ ୫୮ କୋଟି ଟଙ୍କା ପୁରସ୍କାର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳକୁ ମିଳିବ ୫୮ କୋଟି ଟଙ୍କା ପୁରସ୍କାର

ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ଇଣ୍ଡିଆକୁ ବଡ଼ ପରିମାଣର ପୁରସ୍କାର ମିଳିବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ୫୮ କୋଟି ଟଙ୍କା ପୁରସ୍କାର ବାବଦରେ ଦେବାକୁ ଘୋଷଣା କରିଛି । ଏହି ପୁରସ୍କାର ଅର୍ଥ ରାଶି ଦଳର ସମସ୍ତ ଖେଳାଳି, କୋଚିଂ ଓ ସହଯୋଗୀ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ତେବେ ବିସିସିଆଇ ଏହା ସ୍ପଷ୍ଟ କରି ନାହିଁ କୋଚିଂ ଷ୍ଟାଫ ଓ ଖେଳାଳିଙ୍କୁ କେତେ ଲେଖାଏଁ ଅର୍ଥ ରାଶି ମିଳିବ ।


ଦୁବାଇରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ହରାଇଥିଲା ରୋହିତ ବାହିନୀ । ମାର୍ଚ୍ଚ ୯ରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ଫାଇନାଲ୍ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୧ ରନ୍ କରିବାରେ ସମର୍ଥ ହୋଇଥିଲା । ଜବାବରେ ଭାରତ ୪୯ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହସାଲ କରିଥିଲା । ଅଧିନାୟକ ରୋହିତ ଶର୍ମା ୭୬ ରନ୍‌ର ପାଳି ଖେଳି ଦଳର ସ୍ଥିତି ସୁଦୃଢ଼ କରିଥିଲେ ।


ସବୁ ମ୍ୟାଚ୍ ଜିତିଥିଲା ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ରହିଥିଲା । ପାକିସ୍ତାନ ସହ ଦୁବାଇରେ ହାଇବ୍ରିଡ୍ ମଡେଲରେ ଖେଳା ଯାଇଥିଲା ଟୁର୍ଣ୍ଣାମେଣ୍ଟ । ଦୁବାଇରେ ଭାରତ ସମସ୍ତ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ବି ହାରି ନଥିଲା । ଅର୍ଥାତ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଥିଲା ଅପରାଜେୟ । ପ୍ରଥମ ମ୍ୟାଚରେ ଭାରତ, ବାଂଲାଦେଶକୁ ୬ ୱିକେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଥିଲା । ଦ୍ଵିତୀୟ ମ୍ୟାଚରେ ୬ ୱିକେଟ୍‌ରେ ପାକିସ୍ତାନ ଓ ତୃତୀୟ ମ୍ୟାଚ୍‌ରେ ୪୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ସେହିଭଳି ସେମି ଫାଇନାଲ୍‌ରେ ୪ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତୀୟ ଦଳ ।


ଏବେ ସୁଦ୍ଧା ଭାରତ ୩ଥର ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୦୦୨ରେ ଶ୍ରୀଲଙ୍କା ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ରହିଥିଲା । ସେହିବର୍ଷ ଭାରତ-ଶ୍ରୀଲଙ୍କା ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ୨୦୧୩ରେ ଇଂଲଣ୍ଡ ଆୟୋଜ ଥିବା ବେଳେ ଭାରତ ଜିତିଥିଲା ଚାମ୍ପିଅନ୍ସ ଟ୍ରଫି । ଏବେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ରହିଥିବା ବେଳେ ଭାରତ ଟାଇଟଲ୍ ହାତେଇଛି ।


ତେବେ ୯ ମାସ ମଧ୍ୟରେ ଅଧିନାୟକ ଭାବେ ରୋହିତ ଶର୍ମା ଲଗାତାର ୨ଟି ଆଇସିସି ଟ୍ରଫି ଜିତିଛନ୍ଚି । ଗତବର୍ଷ ଜୁନ୍ ୨୯ରେ ରୋହିତଙ୍କ ଅଧିନାୟକତ୍ଵରେ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜିତିଥିଲା । ଆଉ ଏହା ପରେ ହିଁ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରୁ ଅବସର ଘୋଷଣା କରିଥିଲେ ରୋହିତ ଶର୍ମା ।

BCCI Announces Cash Prize for India's victorious ICC Champions Trophy | Argus News