କେକେଆର୍ର ବଡ଼ ବିଜୟ, ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର

ଅର୍ଗସ ବ୍ୟୁରୋ: ବ୍ୟାଟର୍ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମ୍ଦାର ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ରେ ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ବୁଧବାର କେକେଆର୍ ୧୦୬ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୨୭୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର (୧୮) ଓ ପୃଥ୍ବୀ ସ’ (୧୦)ଙ୍କ ଯୋଡ଼ି ଭାଙ୍ଗିଥିଲା।
୩୩ ରନ୍ ଭିତରେ ଦଳ ୪ ୱିକେଟ୍ ହରାଇ ସାରିଥିବାରୁ ଋଷଭ ପନ୍ତ (୫୫) ଓ ତ୍ରିଷ୍ଟାନ୍ ଷ୍ଟବ୍ସ୍ (୫୪) ପଞ୍ଚମ ୱିକେଟ୍ରେ ୯୩ ରନ୍ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଆଉ କାହାର ଯୋଗଦାନ ନରହିବାରୁ ଦଳ ୧୭.୨ ଓଭରରେ ୧୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ବୈଭବ ଅରୋଡ଼ା ଓ ବରୁଣ ଚକ୍ରବର୍ତ୍ତୀ ୩ ୱିକେଟ୍ ଲେଖାଏଁ ନେଇଥିଲେ।
ପୂର୍ବରୁ କେକେଆର୍ ଚଳିତ ଆଇପିଏଲ୍ରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର କରିଥିଲା। ସୁନୀଲ ନାରାୟଣ (୮୫ ରନ୍, ୩୯ ବଲ୍), ଅଙ୍ଗକ୍ରିସ ରଘୁବଂଶୀ (୫୪ ରନ୍, ୨୭ ବଲ୍), ଆନ୍ଦ୍ରେ ରସେଲ୍ (୪୧ ରନ୍, ୧୯ ବଲ୍), ରିଙ୍କୁ ସିଂହ (୨୬ ରନ୍, ୮ ବଲ୍)ଙ୍କ ଆତସବାଜି ବ୍ୟାଟିଂ ବଳରେ ୨୭୨/୭ କରିଥିଲା। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍ ସର୍ବୋଚ୍ଚ ୨୭୭/୩ ସ୍କୋର କରିଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର