Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Champions Trophy 2025: ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗିଦେଲେ ଭାରତର କୁଳଦୀପ-ବରୁଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Champions Trophy 2025: ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗିଦେଲେ ଭାରତର କୁଳଦୀପ-ବରୁଣ

ଭାରତ ଆଗରେ ୨୫୨ ରନ୍‌ର ବିଜୟ ଲକ୍ଷ । ୫୦ ଓଭର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ଓ୍ୱିକେଟ୍‌ ହରାଇ ୨୫୧ ରନ୍‌ କରିବାରେ ସକ୍ଷମ ହୋଇଛି । ୨୫୨ ରନ୍‌ର ବିଜୟ ଲକ୍ଷ ନେଇ ଭାରତ ମଇଦାନକୁ ଓହ୍ଲାଇଛି । ତେବେ ଆଜି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଦଳ ପକ୍ଷରୁ ଦୁଇ ଓପନ୍‌ର ଧୁଆଁଧାର ଆରମ୍ଭ କରିଥିଲେ ମଧ୍ୟ ଅଷ୍ଟମ ଓଭରରେ ପ୍ରଥମ ଓ୍ୱିକେଟ ହରାଇଥିଲା ଦଳ । ତାପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ନ୍ୟୁଜିଲାଣ୍ଡ । ୧୩ ଓଭର ବେଳକୁ ଦଳ ୩ ଓ୍ୱିକେଟ୍ ହରାଇ ସାରିଥିଲା ।

ପରେ ଦଳ ଟିକେ ସମ୍ଭାଳି ଆସିଥିଲା । ଡାର୍ଲି ମିଚେଲ ଓ ଟମ୍‌ ଲାଥମ୍‌ ଦଳକୁ ଭଲ ସ୍ଥିତିକୁ ଆଣିବା ପାଇଁ ଖୁବ୍‌ ଚେଷ୍ଟା କରିଥିଲେ । ହେଲେ ଲାଥମ୍‌ ୨୪ ତମ ଓଭରରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ । ଭାରତର ରାବିନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଲାଥମ୍‌ ଏଲ୍‌ବିଡବ୍ଲୁର ଶିକାର ହୋଇଥିଲେ । ସେ ୩୦ ବଲ୍‌ ଖେଳି ୧୪ ରନ୍‌ କରି ପ୍ୟାଭିଲିଅନ୍ ଫେରିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ୱିଲ ୟଙ୍ଗ ୨୩ ବଲ ଖେଳି ୧୫ ରନ୍‌ କରିଥିବା ବେଳେ ପ୍ୟାଭିଲିଅନ୍‌ ଫେରିଥିଲେ । ସେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁର ଶିକାର ହୋଇଥିଲେ । ରଚିନ୍‌ ରବିନ୍ଦ୍ର ୨୯ ବଲ ଖେଳି ୩୭ ରନ୍‌ କରିଥିବା ବେଳେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । କେନ୍‌ ଓ୍ୱିଲିୟମସନ୍‌ ୧୪ ବଲ ଖେଳି ୧୧ ରନ୍‌ କରିଥିବା ବେଳେ କୂଳଦୀପ ଯାଦବଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ ।

ଡାରି ମିଚେଲ୍ ୧୦୧ ବଲ ଖେଳି ୬୩ ରନ୍‌ କରିଥିବା ବେଳେ ମହମ୍ମଦ ସାମିଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ତାଙ୍କ କ୍ୟାଚ୍‌ ଧରିଥିଲେ ରୋହିତ ଶାର୍ମା । ଟମ୍‌ ଲାଥମ୍ ୩୦ ବଲ ଖେଳି ୧୪ ରନ୍‌ କରିଥିବା ବେଳେ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ରବିନ୍ଦ୍ର ଜାଡେଜା । ଗ୍ଲେନ୍‌ ଫିଲିପ୍ସ ୫୨ ବଲ ଖେଳି ୩୪ ରନ୍‌ କରିଥିବା ବେଳେ ତାଙ୍କୁ ବୋଲ୍ଡ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ମିଚେଲ୍‌ ସାଣ୍ଟନର ୧୦ ବଲ୍ ଖେଳି ୮ ରନ୍‌ କରିଥିବା ବେଳେ ବିରାଟ ଓ ରାହୁଲଙ୍କ ଦ୍ୱାରା ରନ୍‌ ଆଉଟ୍ ହୋଇଥିଲେ ।

ତେବେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ୱିକେଟ୍‌ ପାଇଥିବା ବେଳେ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି । କୁଳଦୀପ ଯାଦବ ୨ଟି ଓ୍ୱିକେଟ୍‌ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲଙ୍କୁ କୌଣସି ଓ୍ୱିକେଟ ମିଳିନାହିଁ ।

ଆଜିର ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ୍‌ ହାରି ନଥିବାରୁ ମନୋବଳ ଢ଼େର ଅଧିକ ରହିଛି । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏକମାତ୍ର ଦଳ ଭାବେ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ୧୨ ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି ।

ଏହି ଚାମ୍ପଅନ୍ସ ଟ୍ରଫି ଜିତିଲେ ଭାରତ ଏକ ନୂଆ ଇତିହାସ ରଚିବ। ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ନିଜ ନାଁରେ କରିବ । ଏହା ପୂର୍ବରୁ କୌଣସି ଦେଶ ୩ ଥର ଚାମ୍ପିଅନ୍ସ ଟ୍ରଫି ଜିତିପାରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champions Trophy 2025: Kuldeep Yadav, Varun Chakravarthy Stand Out As India Retrict New | Argus News