Champions Trophy: ପାକିସ୍ତାନକୁ ହରାଇଲେ ସେମିଫାଇନାଲ୍ ଟିକେଟ୍ ପକ୍କା !

ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ଆରମ୍ଭ ଭଲ ରହିଛି । ପ୍ରଥମ ମ୍ୟାଚରେ ଭାରତ, ବାଂଲାଦେଶକୁ ହରାଇଥିଲା । ଆଜି ସୁପର୍ ସନ୍ଡେରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ । ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ୍ରେ ଦୁବାଇରେ ମୁହାଁମୁହିଁ ହେବେ ୨ ପଡ଼ୋଶୀ । ଯଦି ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଯାଏ ତ ସେମିଫାଇନାଲ୍ ଖେଳିବା ନିଶ୍ଚିତ ହୋଇଯିବ । ଆଉ ହାରିବା ସହ ସେମିଫାଇନାଲ୍ ଦୌଡ଼ରୁ ବାହାରି ଯିବ ପାକିସ୍ତାନ ।
ଭାରତ ଓ ପାକିସ୍ତାନ ଉଭୟ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ଏରେ ଅଛନ୍ତି । ଯଦି ଗ୍ରୁପ୍-ଏର ପଏଣ୍ଟ ଟେବୁଲ୍ ଦେଖିବା ତ ଏବେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ଭାରତ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟ ଗୋଟିଏ ମୁକାବିଲା ଜିତିଛି । କିନ୍ତୁ ଭାରତ ଠାରୁ ନ୍ୟୁଜିଲାଣ୍ଡର ରନ୍ ରେଟ୍ ଉତ୍ତମ । ଏଭଳି ସ୍ଥିତିରେ ଭାରତ ଆଜି ପାକିସ୍ତାନକୁ ହରାଇ ଦେଲେ ସେମି ଖେଳିବା ପ୍ରାୟ ନିଶ୍ଚିତ ହୋଇଯିବ ।
📱 Get Argus News App
✨ଗ୍ରୁପ୍-ଏର ପଏଣ୍ଟ ଟେବୁଲ୍ର ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ରନ୍ ରେଟ୍ +୧.୨୦୦ ଥିବାବେଳେ ଭାରତର ରନ୍ ରେଟ୍ +୦.୪୦୮ ରହିଛି । ବାଂଲାଦେଶ ତୃତୀୟ ଓ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ଗ୍ରୁପ୍-ବି ପଏଣ୍ଟ ଟେବୁଲ୍ରେ ଦକ୍ଷିଣ ଆଫ୍ରିକା ଶୀର୍ଷରେ ଥିବା ବେଳେ ରନ୍ ରେଟ୍ +୨.୧୪୦ ରହିଛି । ସେହିଭଳି ଦ୍ଵିତୀୟରେ ଅଷ୍ଟ୍ରେଲିଆ, ତୃତୀୟରେ ଇଂଲଣ୍ଡ ଓ ଚତୁର୍ଥରେ ଆଫଗାନିସ୍ତାନ ଅଛି ।
ଆଜିର ମ୍ୟାଚ୍ରେ ଭାରତ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍ । ପାକିସ୍ତାନ ବିରୋଧରେ ଶୁବମନ ଗିଲ୍, ଶ୍ରେୟସ ଆୟର ଓ କେଏଲ୍ ରାହୁଲ ପ୍ରମୁଖ ଭୂମିକା ନିଭାଇ ପାରନ୍ତି । ସେହିଭଳି ବୋଲିଂରେ ମହମ୍ମଦ ସାମିଙ୍କ ଗୁରୁତ୍ଵ ରହିଛି । ଆଇସିସିର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି, ଯାହାକି ଦଳକୁ ବିଜୟ ଦେବ ବୋଲି ଆଶା କରାଯାଉଛି ।