Videos
|
Sports

CommonwealthGames / କମନୱେଲଥ ଗେମ୍ସରେ ଭାରତର ଡବଲ ଧମାକା... ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ

Ritu Das
Browse all articles by Ritu Das
·2 hours ago·2 min read
କମନୱେଲଥ ଗେମ୍ସରେ ଭାରତର ଡବଲ ଧମାକା... ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ
India

Key Points

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳି କମାଲ କରିଛନ୍ତି
ଗ୍ଲାସଗୋ କମନୱେଲଥ ଗେମ୍ସରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳି କମାଲ କରିଛନ୍ତି । ଗ୍ଲାସଗୋ କମନୱେଲଥ ଗେମ୍ସରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି । ୮୫.୮୩ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ସଫଳତା ହାସଲ କରିଛନ୍ତି ନୀରଜ ଚୋପ୍ରା । ସେହିପରି ଭାରତର ଯଶବୀର ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ୮୫.୪୧ ମିଟର ଜାଭେଲିନ୍ ଫିଙ୍ଗି ବ୍ରୋଞ୍ଜ ହାତେଇଛନ୍ତି ଯଶବୀର ସିଂହ ।

ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଡବଲ ପଦକ । ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ରୌପ୍ୟ ଏବଂ ଯଶବୀର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଶ୍ରୀଲଙ୍କାର ରୁମେଶ ଥରଙ୍ଗା ସମସ୍ତଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଫାଇନାଲରେ ନୀରଜଙ୍କୁ ନେଇ ୩ ଜଣ ଭାରତୀୟ ସାମିଲ ରହିଥିଲେ । ନୀରଜ ନିଜର ଦ୍ୱିତୀୟ ପ୍ରୟାସରେ ସିଜନର ଶ୍ରେଷ୍ଠ ପ୍ରଦର୍ଶନ (୮୫.୮୩ ମିଟର) ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଯଶବୀର ଷଷ୍ଠ ତଥା ଅନ୍ତିମ ପ୍ରୟାସରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେ ୮୫.୪୧ ମିଟର ଥ୍ରୋ କରିଥିଲେ । ରୋହିତ ଯାଦବ ୮୧.୫୬ ମିଟର ଥ୍ରୋ କରି ସପ୍ତମ ସ୍ଥାନରେ ରହିଥିଲେ । ଶ୍ରୀଲଙ୍କାର ରୁମେଶ ପ୍ରଥମେ ଫାଉଲ ମାରିଥିଲେ । ଦ୍ୱିତୀୟ ପ୍ରୟାସରେ ୮୯.୭୫ ମିଟର ଥ୍ରୋ କରି ନିଜର ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ।

ରୌପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରା କହିଛନ୍ତି, "ଏହା ଏସୀୟ କ୍ରୀଡ଼ାର ସ୍ମୃତିକୁ ଫେରାଇ ଆଣିଲା, ଯେଉଁଠାରେ କିଶୋର ଏବଂ ମୁଁ ଦୁହେଁ ପଦକ ଜିତିଥିଲୁ। ମୁଁ ପ୍ରକୃତରେ ଖୁସି ଯେ ଯଶବୀର ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ସଫଳତା ହାସଲ କରିଛନ୍ତି । ଏକାଠି ପୋଡିୟମରେ ରହିବାକୁ ଭଲ ଲାଗେ । ଜାତୀୟ ସଙ୍ଗୀତ ଶୁଣିବା ସର୍ବଦା ଏକ ଆନନ୍ଦର ବିଷୟ । ଏହାଛଡା ମୁଁ ଗୋଟିଏ ସିଜିନରେ ସର୍ବୋତ୍ତମ ସଫଳତା ହାସଲ କରିଛି । ମୋର ପ୍ରତ୍ୟାବର୍ତ୍ତନ ଭଲ ଚାଲିଛି । ଆଗକୁ ଆହୁରି ପ୍ରତିଯୋଗିତା ଅଛି । ତେଣୁ ମୁଁ ବହୁତ ଖୁସି ।''

ନୀରଜ ଦୀର୍ଘ ୮ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୧୮ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ନୀରଜ ଆଜି ୮୦.୯୭ ମିଟର ଥ୍ରୋରୁ ଅଭିଯାନ ଆରମ୍ଭ କରିଥିଲେ । ତୃତୀୟରେ ୮୧.୨୯ ମିଟର ଏବଂ ଚତୁର୍ଥ ପ୍ରୟାସରେ ୮୦.୭୩ ମିଟର ଥ୍ରୋ କରିବାରେ ସଫଳ ରହିଥିଲେ । ପାକିସ୍ତାନର ଅର୍ଶଦ ନଦୀମ ୭୭.୪୧ ମିଟର ଥ୍ରୋ କରି ନବମ ସ୍ଥାନରେ ରହିଥିଲେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: