Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡ ପୁଣି ନିରାଶ: ସ୍ପେନ୍‌କୁ ଚତୁର୍ଥ ୟୁରୋ କପ୍ ଟ୍ରଫି

Ritu Das
Browse all articles by Ritu Das
·2 years ago·2 min read
ଇଂଲଣ୍ଡ ପୁଣି ନିରାଶ: ସ୍ପେନ୍‌କୁ ଚତୁର୍ଥ ୟୁରୋ କପ୍ ଟ୍ରଫି

ଅର୍ଗସ ବ୍ୟୁରୋ: ଅତୁଳନୀୟ ଉତ୍କଣ୍ଠାଭରା ତଥା ଘଡ଼ିଘଡ଼ି‌କେ ମୋଡ଼ ବଦଳୁଥିବା ମେଗା ଫାଇନାଲ୍‌ରେ ଇଂଲଣ୍ଡକୁ ନାଟକୀୟ ଭାବେ ୨-୧ ଗୋଲ୍‌ରେ ହରାଇ ସ୍ପେନ୍ ୟୁରୋକପ୍-୨୦୨୪ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ସ୍ପେନ୍ ସର୍ବାଧିକ ଚତୁର୍ଥ ଥର ପାଇଁ ବିଜେତା ହୋଇଥିଲା ବେଳେ ପ୍ରତିପକ୍ଷ ଇଂଲଣ୍ଡ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍‌ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଛି। ଇଂଲଣ୍ଡ ୨୦୧୬ରେ ଇଟାଲି ଏବଂ ଏବେ ସ୍ପେନ୍‌ଠାରୁ ହାରିବା ପରେ ଏହି ଦେଶର ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସ୍ପେନ୍ ପ୍ରଥମ ଦଳ ଭାବେ ଚାରିଟି ୟୁରୋ କପ୍ ଟ୍ରଫି ଜିତିବା ପରେ ଏହି ଦେଶ ଉତ୍ସବମୁଖର ‌ହୋଇଛି।

ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍‌ରେ ଖେଳାଯାଇଥିବା‌ ଏହି ମ୍ୟାଚ୍‌ରେ ସ୍ପେନ୍ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଟ୍ରଫି ଜିତିବା ସଂଖ୍ୟାଠାରୁ ଫାଇନାଲ୍ ଖେଳିବାର ଅଭିଜ୍ଞତା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଇଂଲଣ୍ଡଠୁ ଆଗୁଆ ଥିଲା ସ୍ପେନ୍। ଏହାର ପ୍ରତିଫଳନ ମଧ୍ୟ ପୂରା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଲଗାତାର ଦ୍ବିତୀୟ ଫାଇନାଲ୍ ଖେଳିଥିବା ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେଇଥିଲା। ସ୍ପେନ୍ ଅଗ୍ରଭାଗ ଖେଳାଳିଙ୍କ ପ୍ରତିଟି ଚାଲ୍‌କୁ ଇଂଲଣ୍ଡ ରକ୍ଷଣଭାଗ ଆଗୁଆ ଠଉରାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ତେବେ ଗୋଲ୍ ପାଇଁ ପ୍ରୟାସ ନକରି ଅଧିକ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବା ରଣନୀତି ଇଂଲଣ୍ଡକୁ ଅଡ଼ୁଆରେ ପକାଇଥିଲା। ତଥାପି ପ୍ରଥମାର୍ଦ୍ଧରେ ସ୍ପେନ୍‌କୁ ଅଟକାଇ ସ୍ଥିତି ୦-୦ ରଖି ନେଇଥିଲା। 

ମଧ୍ୟାନ୍ତର ପରେ କିନ୍ତୁ ସ୍ପେନ୍ ରଣନୀତି ବଦଳାଇ ଆକ୍ରମଣକୁ ଆହୁରି ତୀବ୍ର କରିଥିଲା। ଯାହାର ଫଳ ଦ୍ବିତୀୟାର୍ଦ୍ଧର ଦ୍ବିତୀୟ ମିନିଟ୍‌ରେ ତାକୁ ମିଳିଥିଲା। ୪୭ ମିନିଟ୍‌ରେ ୧୬ ବର୍ଷୀୟ ଲାମିନ ୟାମଲଙ୍କଠୁ ପାଇଥିବା ପାସ୍‌କୁ ସଫଳତାର ସହ ଇଂଲଣ୍ଡ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ନିକୋ ୱିଲିୟମ୍ସ ସ୍ପେନ୍‌କୁ ଆଗୁଆ କରି ଦେଇଥିଲେ। ୭୩ ମିନିଟ୍‌ରେ ଇଂଲଣ୍ଡର ତାରକା ଖେଳାଳି କୋଲ୍ ପାଲମର୍ ଅବଶ୍ୟ ଯାହାକୁ ଶୁଝି ଦେଇଥିଲେ। ତେବେ ବଦଳ ଖେଳାଳି ମିକେଲ ଓୟାରଜବଲ୍ ୮୬ ମିନିଟ୍‌ରେ ଦେଇଥିବା ଗୋଲ୍ ବଳରେ ସ୍ପେନ୍ ଷ୍ଟାଇଲ୍‌ରେ ମ୍ୟାଚ୍‌ ଫେରିବା ସହ ବିଜୟ ମୁକୁଟ ପିନ୍ଧିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
England | Argus News