ଚାଲିବା ପାଇଁ ସାହାରା ଲୋଡ଼ୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର

ଅର୍ଗସ ବ୍ୟୁରୋ: ଇଣ୍ଡିଆ ଟିମର ଜଣେ ବରିଷ୍ଠ ଖେଳାଳିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚ। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ କଥା। ଏହି ଭିଡିଓରେ କାମ୍ବଲି ସିଧା ଚାଲିପାରୁନାହାନ୍ତି। ଯେଉଁଠି ସେ ଠିକ୍ ଭାବେ ଛିଡ଼ା ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଧରି ଧରି ନେଉଛନ୍ତି। ଭିଡିଓଟି ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। କାମ୍ବଲି ଏତେ ବଡ଼ ଖେଳାଳି ହୋଇ କି ବି ଦୁର୍ଦ୍ଦିନରେ ଅଛନ୍ତି ବୋଲି ଫ୍ୟାନ ମାନେ ପ୍ରଶ୍ନ କରିଛନ୍ତି।
ଦିନେ ଥିଲେ ଷ୍ଟାର କ୍ରିକେଟର୍। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ଠାରୁ ଭଲ ଖେଳାଳି ଭାବେ ବିବେଚିତ ହେଉଥିଲେ। କ୍ରିକେଟ ମଇଦାନରେ ଯିଏ ରନ୍ କରିବାକୁ ଥକୁ ନ ଥିଲେ। ଆଜି କିନ୍ତୁ ଚାଲିବା ପାଇଁ ସାହାରା ଖୋଜୁଛନ୍ତି। ତେବେ ଏହା ପଛରେ କାରଣ କଣ ଏଯାଏ ଜଣାପଡ଼ିନି।
ଉକ୍ତ ଭିଡିଓରେ କାମ୍ବଲି ଗାଡ଼ି ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ଏହାପରେ ସେ ଠିକ୍ ଭାବେ ଚାଲି ପାରୁ ନାହାନ୍ତି। ଯାହା ଦେଖି ସେଠାରେ ଥିବା ଲୋକେ ଦୌଡ଼ି ଯାଇ ତାଙ୍କୁ ଧରି ପକାଇଛନ୍ତି ଏବଂ ତାଙ୍କୁ ଗୋଟିଏ ସ୍ଥାନରେ ବସାଇଦେଇଛନ୍ତି। ତେବେ ଏହି ଭିଡିଓରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।
ବିନୋଦ କାମ୍ବଲି କିଛି ବର୍ଷ ହେବ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। କିଛି ବର୍ଷ ତଳେ ସେ ହାର୍ଟ ଆଟାକର ଶିକାର ହୋଇଥିଲେ। ସେତେବେଳେ ମୁମ୍ବାଇ ପୋଲିସ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିଲେ। କାମ୍ବଲିଙ୍କ ଆର୍ଥିକ ଅବସ୍ଥା ବି ଏବେ ଭଲ ନ ଥିବା କୁହାଯାଉଛି।
କାମ୍ବଲି ଭାରତ ପାଇଁ ୧୦୪ ଦିନିକିଆ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ୨ଟି ଶତକ ୧୪ଟି ଅର୍ଦ୍ଧଶତକ ବଳରେ ୨୪୭୭ ରନ ହାସଲ କରିଛନ୍ତି। ସେହିପରି ଟେଷ୍ଟରେ ୪ଟି ଶତକ ବଳରେ ୧୦୮୪ ରନ ହାସଲ କରିଛନ୍ତି। ଯେଉଁଥିରେ ଏକ ଦ୍ୱିଶତକ ମଧ୍ୟ ରହିଛି।
📱 Get Argus News App
✨ସବୁ କ୍ରିକେଟର ସଚିନ କିମ୍ବା ଧୋନୀ ନୁହନ୍ତି। ସମସ୍ତଙ୍କ ପାଖରେ କୋଟି କୋଟି ଟଙ୍କାର ବାଲାନ୍ସ ନାହିଁ। ଜଣେ ବରିଷ୍ଠ କ୍ରିକେଟର ଯେତେବେଳେ ଖେଳ ଛାଡ଼ିଦିଏ ଆମେମାନେ ମଧ୍ୟ ଖେଳିବା ସମୟରେ ଯେତିକି ସମ୍ମାନ ଦିଅନ୍ତି ଖେଳରୁ ଅବସର ନେବା ପରେ ମଧ୍ୟ ତାଙ୍କୁ ସେ ସମ୍ମାନ ମିଳିବା ଉଚିତ ଏବଂ ବିସିସିଆଇ ଏଦିଗରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରଣ ଆମେ କୌଣସି ବ୍ୟକ୍ତି ନୁହେଁ ପ୍ରତିଭାକୁ ସମ୍ମାନ ଦେବା ଉଚିତ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର