ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ୍ ତାଲିକାର ପ୍ରଥମକୁ ଉଠିଛି ଗୁଜରାଟ

ଆଇପିଏଲ୍ର ୨୩ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫୮ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଗୁଜରାଟ ୨୧୮ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ରାଜସ୍ଥାନ ୪ ବଲ୍ ପୂର୍ବରୁ ୧୫୯ ରନରେ ଅଲ୍ ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ଗୁଜରାଟ ପଞ୍ଚମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ୍ ତାଲିକାର ପ୍ରଥମକୁ ଉଠିଛି। ଅନ୍ୟପକ୍ଷରେ ରାଜସ୍ଥାନ ପଞ୍ଚମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରି ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଶୁବମନ ଗିଲ୍ ମାତ୍ର ୨ ରନ କରି ଆଉଟ ହୋଇଥିଲେ।
ଏହା ସତ୍ତ୍ବେ ଗୁଜରାଟ ୬ ୱିକେଟ୍ ହରାଇ ୨୧୭ ରନ୍ର ବଡ଼ ସ୍କୋର୍ କରି ନେଇଥିଲା। ଏଥିରେ ଓପନର୍ ସାଇ ସୁଦର୍ଶନ ୮୨ ରନ ସ୍କୋର କରିଥିଲେ।ଉଭୟ ବ୍ୟାଟିଂ ଓ ବୋଲିଂ ସହ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଭଲ ପ୍ରଦର୍ଶନ କରି ଚଳିତ ସଂସ୍କରଣରେ ଚତୁର୍ଥ ବିଜୟ ହାସଲ କରିଛି। ଦଳ ୫ ମ୍ୟାଚ୍ରୁ ୪ଟି ଜିତି ୮ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ରାଜସ୍ଥାନ ସମାନ ମ୍ୟାଚ୍ ଖେଳି ତୃତୀୟ ପରାଜୟ ଭୋଗିଛି।
୨୧୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ଆରମ୍ଭରୁ ଓ୍ଵିକେଟ୍ ହରାଇ ଚାପରେ ରହିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ପତନ ଯୋଗୁଁ ଦଳ ଆଉ ଚାପରୁ ମୁକୁଳି ପାରି ନ ଥିଲା। ଅଧିନାୟକ ସଞ୍ଜୁ ସାମସନ ୪୧ ରନ କରିଥିଲେ ହେଁ ଦଳର ସ୍ଥିତି ସୁଧୁରି ନ ଥିଲା। ଯଶସ୍ଵୀ ଜୟସ୍ଵାଲ ୬ ରନ, ନୀତିଶ ରାଣା ୧ ରନ, ଧ୍ରୁବ ଜୁରେଲ ୫ ରନ ନିରାଶ କରିଥିଲେ। ମଧ୍ୟକ୍ରମରେ ସିମରନ ହେଟମାୟର ୩୨ ବଲରୁ ୫୨ ରନ କରିଥିଲେ ହେଁ କୌଣସି ବ୍ୟାଟର ତାଙ୍କୁ ସହାୟତା ଦେଇ ନ ଥିଲେ। ରିୟାନ ପରାଗ ୨୬ ରନ କରିଥିଲେ। ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଳରେ ରାଜସ୍ଥାନ ୧୯.୨ ଓଭରରେ ୧୫୯ ରନରେ ଅଲଆଉଟ୍ ହୋଇଛି।
