Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Latest Update / ହରମନପ୍ରୀତଙ୍କ ଅର୍ଦ୍ଧଶତକ ବି ଆସିଲାନି କାମରେ…ଅଷ୍ଟ୍ରେଲିଆଠାରୁ ହାରି ବିଶ୍ୱକପରୁ ବିଦା ହେଲା ଭାରତ

Ritu Das
Browse all articles by Ritu Das
·3 weeks ago·2 min read
ହରମନପ୍ରୀତଙ୍କ ଅର୍ଦ୍ଧଶତକ ବି ଆସିଲାନି କାମରେ…ଅଷ୍ଟ୍ରେଲିଆଠାରୁ ହାରି ବିଶ୍ୱକପରୁ ବିଦା ହେଲା ଭାରତ
Cricket

Key Points

କାମରେ ଆସିଲାନି ଅଧିନାୟକ ହରମନପ୍ରୀତଙ୍କ ବିସ୍ଫୋରକ ଅର୍ଦ୍ଧଶତକ
ଧୂଳିସାତ ହେଲା ମହିଳା ଟି-୨୦ ବିଶ୍ବକପ ସ୍ପପ୍ନ। ଅଷ୍ଟ୍ରେଲିଆ ଠାରୁ ହାରି ଟି-୨୦ ବିଶ୍ୱକପ ୨୦୨୬ରୁ ବିଦା ହେଲା ଭାରତ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ ଦଳର ଟି-୨୦ ବିଶ୍ୱକପ ୨୦୨୬ ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି। ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଭାରତୀୟ ଦଳର ବିଶ୍ୱକପ ଅଭିଯାନ ଶେଷ ହୋଇଛି ଏବଂ ଦଳ ସେମିଫାଇନାଲ ଦୌଡ଼ରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ପଡ଼ିଛି। ଭାରତୀୟ ପ୍ରଶଂସକଙ୍କ ଆଶା ଥିଲା ଯେ 'ୱିମେନ୍ ଇନ୍ ବ୍ଲୁ' ଏଥର ଇତିହାସ ରଚିବେ, କିନ୍ତୁ କଙ୍ଗାରୁ ଦଳ ପୁଣିଥରେ ବଡ଼ ମ୍ୟାଚରେ ନିଜର ଦବଦବା ସାବ୍ୟସ୍ତ କରି ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିଦେଇଛି।

ଏହାସହ ପଢ଼ନ୍ତୁ: ମ୍ୟାଚ୍ ହାରିବା ପରେ ଖୋଲିଲା ରହସ୍ୟ…ପରାଜୟର ଅସଲି ଖଳନାୟକ କିଏ?..ଆୟର କଲେ ବଡ଼ ଖୁଲାସା

  • କାମରେ ଆସିଲାନି ଅଧିନାୟକ ହରମନପ୍ରୀତଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଆଜିର ମ୍ୟାଚ୍ ଭାରତୀୟ ମହିଳା ଦଳ ପାଇଁ କର ବା ମର ପରିସ୍ଥିତି ଥିଲା। ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଆରମ୍ଭ ଧୀମା ରହିବା ଏବଂ ଜେମିମା ରୋଡ୍ରିଗେଜ୍ କୌଶଳଗତ ଭାବେ 'ରିଟାୟର୍ଡ ଆଉଟ୍' ହେବା ପରେ, ଅଧିନାୟକ ହରମନପ୍ରୀତ ଦାୟିତ୍ୱ ନେଇଥିଲେ। ସେ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଚୌକା ଓ ଛକାର ବର୍ଷା କରି ନିଜ କ୍ୟାରିୟରର ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ହରମନପ୍ରୀତଙ୍କ ଏହି ଅଧିନାୟକତ୍ୱ ପାଳି ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୦ ରନର ଏକ ମଜଭୁତ ସ୍କୋର ଛିଡ଼ା କରିଥିଲା ଏବଂ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୭୧ ରନର ଲକ୍ଷ୍ୟ ଦେଇଥିଲା।

୧୭୧ ରନର ଲକ୍ଷ୍ୟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲୀୟ ଦଳର ଆରମ୍ଭ ଭଲ ନଥିଲା। ୬୮ ରନ ସ୍କୋର ବେଳକୁ ଦଳ ୩ଟି ୱିକେଟ ହରାଇଥିଲା, କିନ୍ତୁ ଏହାପରେ ଏଲିସ୍ ପେରୀ ଏବଂ ଏଶ ଗାର୍ଡନର ଭାରତୀୟ ବୋଲରଙ୍କ ଦୁର୍ବଳ ବୋଲିଂର ସୁଯୋଗ ନେଇ ମଇଦାନର ଚାରିଆଡ଼େ ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ଏହି ବିଶାଳ ଲକ୍ଷ୍ୟକୁ ଅନ୍ତିମ ଓଭରରେ ମାତ୍ର ୪ ୱିକେଟ୍ ହରାଇ ହାସଲ କରିନେବା ସହ ମ୍ୟାଚକୁ ୬ ୱିକେଟରେ ଜିତିନେଇଛି।

ଭାରତୀୟ ବୋଲରମାନେ ଆରମ୍ଭରୁ ଭଲ ବୋଲିଂ କରି ତିନୋଟି ୱିକେଟ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ଚାପ ପକାଇଥିଲେ। ହେଲେ ଏଲିସ୍ ପେରୀ ଏବଂ ଏଶ ଗାର୍ଡନରଙ୍କ ବିରୋଧରେ କୌଣସି ବି ଭାରତୀୟ ବୋଲରଙ୍କ ଯାଦୁ କାମ ଦେଇ ନଥିଲା। ଯାହାର ପରିଣତି ସ୍ୱରୂପ ଭାରତକୁ ବିଶ୍ୱକପରୁ ବିଦା ହେବାକୁ ପଡ଼ିଛି।

  • ଗ୍ରୁପ-ଏରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ

ଏହି ମ୍ୟାଚର ଫଳାଫଳ ସହିତ ଗ୍ରୁପ-ଏରୁ ସେମିଫାଇନାଲରେ ପହଞ୍ଚିଥିବା ଦଳ ସ୍ପଷ୍ଟ ହୋଇଯାଇଛି। ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ନିହାତି ଜରୁରୀ ଥିଲା, କିନ୍ତୁ ଏହି ପରାଜୟ ସହ ନେଟ୍ ରନ୍-ରେଟର ସମସ୍ତ ସମୀକରଣ ଶେଷ ହୋଇଛି। ସେହିପରି ଗ୍ରୁପ-ବି ରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମିଶି ଅନ୍ତିମ-୪ ସ୍ତାନ ପକ୍କା କରିବାକୁ ଲଢ଼େଇ କରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored