ହକି ସେମିଫାଇନାଲ,ଜର୍ମାନୀ ସହ ଭାରତର ମହାମୁକାବିଲା,ଜିତିଲେ ପଦକ ପକ୍କା

ଅର୍ଗସ ବ୍ୟୁରୋ:ବଢୁଛି ହାର୍ଟବିର୍ଟ,ଫୋକସ୍ ରେ ହକି ସେମି ଫାଇନାଲ ମହାମୁକାବିଲା। ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ଭାରତର ହେବ କଡା ଟକ୍କର । ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ। ବ୍ଲୁ-ଆର୍ମି ଆଜିର ମ୍ୟାଚ୍ ଜିତିଲେ ଫାଇନାଲକୁ ଯିବା ସହ ରୌପ୍ୟ ପଦକ ପକ୍କା କରିବ ଭାରତ। ମ୍ୟାଚ୍ ପରାଜିତ ହେଲେ ବ୍ରୋଞ୍ଜ ପଦକ ଦୌଡରେ ରହିବ ଟିମ୍ ଇଣ୍ଡିଆ।
କ୍ରମାଗତ ଦ୍ୱିତୀୟ ଥର ଅଲମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। କିନ୍ତୁ ଏପଟେ ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ଯୋଗୁଁ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ପୁଅ ଅମିତ ରୋହିଦାସ,ତାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନରୁ ହରାଇ ସେମି ଟିକେଟ୍ ହାତେଇଥିଲା ଭାରତ। ସେପଟେ ଆର୍ଜେଣ୍ଟିନାକୁ ହରାଇ ସେମିକୁ ଆସିଛି ଜର୍ମାନୀ।ଟୋକିଓରେ ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା ଭାରତ।
ରେକର୍ଡ ଉପରେ ନଜର ପକାଇଲେ, ଉଭୟ ଦେଶ ମଧ୍ୟରେ ୧୮ ମ୍ୟାଚ୍ ଖେଳାଯାଇଛି। ଭାରତ ୮ଟି ଏବଂ ଜର୍ମାନୀ ୬ଟି ମୁକାବିଲା ଜିତିଛି,ଡ୍ରରେ ଶେଷ ହୋଇଛି ୪ଟି ମ୍ୟାଚ୍। । ଏପରିକି ଶେଷ ୬ ମ୍ୟାଚରେ ୫ଟିରେ ଜର୍ମାନୀକୁ ହରାଇଛି ଭାରତ। ତେଣୁ ରେକର୍ଡ ଦୃଷ୍ଟିକୋଣରୁ ଦେଖିଲେ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଭାରତର ପଲା ଭାରୀ ରହିଛି କିନ୍ତୁ ଜର୍ମାନୀ ସହ କଡାମୁକାବିଲା ଏକଥାକୁ ଏଡାଇଦିଆଯାଇନପାରେ। ୱାର୍ଲଡ ରାଙ୍କିଂରେ ଭାରତର ୫ ନମ୍ବର ସ୍ଥାନରେ ଥିବା ବେଳେ ଜର୍ମାନୀ ୱାର୍ଲଡ ଚାମ୍ପିଅନ୍ ରହିଛି। ତେଣୁ ପ୍ୟାରିସ ଅଲିମ୍ପିକ୍ସରେ ଆଜିର ମ୍ୟାଚ୍ ଉପରେ ରହିଛି ସାରା ବିଶ୍ବର ନଜର,ଭାରତ ଆଜିର ମ୍ୟାଚ୍ ଜିତି ପଦକ ପକ୍କା କରିବା ସହ ଫାଇନାଲକୁ ପ୍ରବେଶ କରୁ ବୋଲି ଆଶା ରଖିଛନ୍ତି କ୍ରୀଡାପ୍ରେମୀ