Handshake Rules in Cricket / କ୍ରିକେଟରେ ହାତ ମିଳାଇବା କେତେ ଜରୁରୀ ? ଜାଣନ୍ତୁ କ'ଣ ରହିଛି ନିୟମ

Key Points
କ୍ରିକେଟ୍ ମ୍ୟାଚ୍ ବେଳେ କାହିଁକି ହାତ ମିଳାନ୍ତି ଖେଳାଳି ?
ହ୍ୟାଣ୍ଡଶେକ୍ ପାଇଁ ନିୟମ ଏବଂ ପ୍ରୋଟୋକଲ୍ କ'ଣ ରହିଛି ?
ଅଧିନାୟକ ଓ ମ୍ୟାଚ୍ ରେଫରୀଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ?
ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଶେଷ ହୋଇଯାଇଛି। ଯେଉଁଥିରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ବିଜୟୀ ମଧ୍ୟ ହୋଇସାରିଛି। କିନ୍ତୁ ଏହି ମ୍ୟାଚକୁ ନେଇ ଚର୍ଚ୍ଚା ଏବେ ବି ଲାଗି ରହିଛି। କାରଣ ଏହି ମ୍ୟାଚ ବେଳେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ନମିଳାଇବା ଘଟଣାକୁ ନେଇ PCB ବା ପାକିସ୍ତାନ କ୍ରିକେଟ ବୋର୍ଡ ଏକ ବିବାଦ ସୃଷ୍ଟି କରିଛି। ରବିବାର ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟସ୍ ପଡ଼ିବା ବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହିତ ହାତ ମିଳାଇନଥିଲେ। ଖାଲି ସେତିକି ନୁହେଁ, ମ୍ୟାଚ୍ ଶେଷ ପରେ ମଧ୍ୟ ଭାରତୀୟ ଦଳର ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ନମିଳାଇ ଡ୍ରେସିଂ ରୁମକୁ ଚାଲିଯାଇଥିଲେ। ଯାହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଆଇସିସି ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ ଏବଂ ଏସିସି ବା ଏସିଆନ କ୍ରିକେଟ୍ କାଉନସିଲ ପାଖରେ PCB ଅଭିଯୋଗ କରିଥିଲା। ଖାଲି ଅଭିଯୋଗ କରିନି, ବରଂ ଏହି ଘଟଣା ପାଇଁ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଦାୟୀ କରି ତାଙ୍କୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ହଟାଇବାକୁ ଦାବି କରିଥିଲା।
PCBର ଅଭିଯୋଗ ଥିଲା, 'ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟ ICC ଆଚରଣ ସଂହିତା ଏବଂ କ୍ରିକେଟର ଭାବନା ଉଲ୍ଲଂଘନ କରିଛନ୍ତି'। ICC ପାଖରେ କରିଥିବା ଅଭିଯୋଗରେ PCB କହିଥିଲା, 'ପାଇକ୍ରଫ୍ଟ ଟସ୍ ସମୟରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ତାଙ୍କ ଭାରତୀୟ ଅଧିନାୟକଙ୍କ ସହ ହାତ ନିମିଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ'। ଏଥିପାଇଁ PCB ଏସିଆ କପରୁ ମ୍ୟାଚ୍ ରେଫରୀ ପାଇକ୍ରଫ୍ଟଙ୍କୁ ତୁରନ୍ତ ବହିଷ୍କାର କରିବାକୁ ICC ପାଖରେ ଦାବି କରିଛି ବୋଲି PCB ମୁଖ୍ୟ ମୋହସିନ ନକଭି X ରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏହା ବ୍ୟତୀତ, PCB କହିଥିଲା, 'ମ୍ୟାଚ ରେଫରୀ କ୍ରିକେଟ ନିୟମ ସମ୍ବନ୍ଧୀୟ MCCର ଆଇନକୁ ବଜାୟ ରଖିବାରେ ମଧ୍ୟ ବିଫଳ ହୋଇଛନ୍ତି'। 'ଯାହା ଦ୍ବାରା ତାଙ୍କ ଦଳ ଏସିଆ କପରେ ଅପମାନିତ ହୋଇଛି'।
ତେବେ ଏଠାରେ ଜାଣିବା କଥା ଯେ, PCB ମୁଖ୍ୟ ମୋହସିନ ନକଭି ଏବେ ଏସିଆନ କ୍ରିକେଟ୍ କାଉନସିଲର ମୁଖ୍ୟ ଥିବାବେଳେ ଭାରତର ଜୟ ଶାହ ICCର ଅଧ୍ୟକ୍ଷ ରହିଛନ୍ତି। ତଥାପି ଯଦି ଏସିଆ କପ୍ କଥା କୁହାଯାଏ, ତା'ହେଲେ ଏହି ଟୁର୍ଣ୍ଣାମେଣ୍ଟ ICC ପରିବର୍ତ୍ତେ ACC ଅଧିନରେ ଖେଳାଯାଏ। ତେବେ ଏସବୁ ଭିତରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କ୍ରିକେଟ୍ରେ ହାତ ମିଳାଇବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଏଥିପାଇଁ ନିୟମ ଏବଂ ପ୍ରୋଟୋକଲ୍ କ'ଣ ରହିଛି ?
📱 Get Argus News App
✨କ୍ରିକେଟ୍ ପରମ୍ପରା ଅନୁଯାୟୀ, ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳର ଦୁଇ ଖେଳାଳି ପଡ଼ିଆ ଛାଡ଼ିବା ପୂର୍ବରୁ ଫିଲ୍ଡିଂ କରୁଥିବା ଦଳର ଖେଳାଳି ଏବଂ ଅମ୍ପାୟାରଙ୍କ ସହିତ ହାତ ମିଳାଇଥାନ୍ତି। ସେହିପରି, ବ୍ୟାଟିଂ କରୁଥିବା ଦଳର ଖେଳାଳି ମାନେ ପ୍ରତିପକ୍ଷ ଦଳ ସହିତ ହାତ ମିଳାଇବା ପାଇଁ ପଡ଼ିଆରେ ପ୍ରବେଶ କରିବା ବର୍ତ୍ତମାନ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏକ ସାଧାରଣ କଥା। କାରଣ ହାତ ମିଳାଇବା, ଦଳଗୁଡ଼ିକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବେ ମ୍ୟାଚ୍ ଶେଷ କରିବା ଏବଂ ଉତ୍ସାହଜନକ ବାକ୍ୟ ବିନିମୟ କରିବାର ଏକ ଆନୁଷ୍ଠାନିକ ଉପାୟ । ତେବେ ଟସ୍ ପୂର୍ବରୁ ମଧ୍ୟ ଉଭୟ ଦଳର ଅଧିନାୟକ ପରସ୍ପର ସହ ହାତ ମିଳାଇଥାନ୍ତି। ଯାହା ପିଚ୍ରେ ମ୍ୟାଚ୍ ରେଫରୀଙ୍କ ଦ୍ୱାରା ପରିଚାଳିତ ହୁଏ ଏବଂ ପ୍ରାୟତଃ ଏହାର ସିଧା ପ୍ରସାରଣ କରାଯାଏ। ଏହା ବ୍ୟତୀତ ଏହି ସମୟରେ ଦୁଇ ଦଳର କ୍ୟାପ୍ଟେନ୍ ଏବଂ ମ୍ୟାଚ୍ ରେଫରି ଦଳର ଲାଇନଅପ୍ କିମ୍ବା ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିବେ। ଖାଲି ସେତିକି ନୁହେଁ, ମ୍ୟାଚ୍ ରେଫରୀ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଅଧିନାୟକ, ମୁଖ୍ୟ ପ୍ରଶିକ୍ଷକ କିମ୍ବା ଦଳ ପରିଚାଳକଙ୍କ ସହିତ ସାକ୍ଷାତ କରିପାରିବେ।
ତେବେ ପାକିସ୍ତାନୀ ଖେଳାଳିଙ୍କ ସହିତ ଭାରତୀୟ ଖେଳାଳିମାନେ କାହିଁକି ହାତ ମିଳାଇ ନଥିଲେ, ତା'ର ଉତ୍ତର ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦେଇ ସାରିଛନ୍ତି। ତାଙ୍କ କହିବା ଅନୁସାରେ, ଗତ ଏପ୍ରିଲ ମାସରେ ଜାମ୍ମୁ କାଶ୍ମୀର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ତେଣୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ନଖେଳିବା ପାଇଁ ଭାରତରେ ଦାବି ହେଉଥିଲା। କିନ୍ତୁ ଯଦିଓ ମ୍ୟାଚ୍ ଖେଳିବା ପାଇଁ ସେମାନଙ୍କୁ ବାଧ୍ୟ ବାଧ୍ୟକତା ରହିଥିଲା କିନ୍ତୁ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇବା ପାଇଁ ସେମାନେ ବାଧ୍ୟ ନଥିଲେ। କାରଣ ଭାରତୀୟ କ୍ରିକେଟ୍ ଟିମ୍, ପହଲଗାମ୍ ଆକ୍ରମଣର ପୀଡ଼ିତ ପରିବାରଙ୍କ ଦୁଃଖ ଅନୁଭବ କରୁଛି ଏବଂ ସେମାନଙ୍କ ପରିଜନଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛି। ତେଣୁ ସେମାନେ ପାକିସ୍ତାନ ଖେଳାଳିଙ୍କ ସହିତ ହାତ ମିଳାଇନଥିଲେ । ଏହା ସହ ଶତ୍ରୁଙ୍କୁ ଆଲିଙ୍ଗନ କରିପାରିବେ ନାହିଁ ବୋଲି ମଧ୍ୟ ରୋକଠୋକ୍ କହିଦେଇଥିଲେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ସୂର୍ଯ୍ୟକୁମାର।
Related Topics
Explore more stories