Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚତୁର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ହରାଇଲା ଭାରତ, ସିରିଜ୍ କବଜା କଲା

Ritu Das
Browse all articles by Ritu Das
·1 year ago·2 min read
ଚତୁର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ହରାଇଲା ଭାରତ, ସିରିଜ୍ କବଜା କଲା

ଅର୍ଗସ ବ୍ୟୁରୋ: ବ୍ୟାଟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ପୁଣେରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ହରାଇଛି। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୧ରେ ଅଗ୍ରଣୀ ହାସଲ କରିବା ସହ ସିରିଜ୍ କବଜା କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୩ ରନ ଓ ଶିବମ ଦୁବେଙ୍କ ୫୩ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୯ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଜବାବରେ ଭ୍ରମଣକାରୀ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ୍ ହୋଇଛି। ହାରି ବ୍ରୁକଙ୍କ ୫୧ ରନର ଇନିଂସ ବୃଥା ହୋଇଥିବା ବେଳେ ବେନ ଡକେଟ୍ ୩୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବୋଲିଂରେ ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିତ ରାଣା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏହିପରି ଡେବ୍ୟୁ ମ୍ୟାଚ୍‌ରେ ହର୍ଷିତ ୩ ଓ୍ଵିକେଟ୍ ନେଇ ଚମକିଛନ୍ତି।


୧୮୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଦୁଇ ଓପନର ଫିଲିପ୍ ସଲ୍ଟ ଓ ବେନ ଡକେଟ୍ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଆରମ୍ଭ ଦେଇଥିଲେ। ଉଭୟ ୬ ଓଭରରେ ୬୨ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଭାରତ ପାଇଁ ବିପଦ ପାଲଟି ଆସୁଥିବା ବେନ ଡକେଟ୍‌ଙ୍କୁ ଆଉଟ୍ କରି ଭାରତ ଶିବିରକୁ ଆଶ୍ଵସ୍ତି ଦେଇଥିଲେ ରବି ବିଷ୍ଣୋଇ। ଡକେଟ୍‌ ୧୯ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୩୯ ରନ କରିଥିଲେ। ଏହା ପରେ ଫିଲିପ୍ ସଲ୍ଟ(୨୩ ରନ) ଅକ୍ଷରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମଧ୍ୟକ୍ରମରେ ହ୍ୟାରି ବ୍ରୁକଙ୍କୁ ବାଦ୍ ଦେଲେ ଅନ୍ୟ କେହି ବ୍ୟାଟର ତାଙ୍କୁ ସହଯୋଗ କରି ନ ଥିଲେ। ଅଧିନାୟକ ଜୋସ୍ ବଟଲର ୨ ରନ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ। ଲିୟାମ ଲିଭିଙ୍ଗଷ୍ଟୋନ(୯ ରନ) ସିରିଜରେ ନିଜର ଖରାପ ପ୍ରଦର୍ଶନ ବଜାୟ ରଖିଛନ୍ତି। ହ୍ୟାରି ବ୍ରୁକ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଜେମି ଓଭରଟନ ୧୯ ରନ ଓ ଆଦିଲ ରଶିଦ ୧୦ ରନ କରିଥିଲେ। ଭ୍ରମଣକାରୀ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ଭାରତ ପକ୍ଷରୁ ରବି ବିଷ୍ଣୋଇ ୪ ଓଭରରେ ୨୮ ରନ ବ୍ୟୟ କରି ୩ ଓ୍ଵିକେଟ୍ ଓ ହର୍ଷିତ ରାଣା ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India beat England by 15 runs in the fourth T20I, clinch the series | Argus News