ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତ

ଅର୍ଗସ ବ୍ୟୁରୋ: ଆସନ୍ତା ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିପାରେ। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ଏହି ପଡ଼ୋଶୀ ଦେଶକୁ ଖେଳିବାକୁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ସେପଟେ ୨୦୦୮ ଏସିଆ କପ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ ମ୍ୟାଚ ଖେଳିନାହିଁ। ସେହିପରି ଭାରତରେ ଶେଷଥର ପାଇଁ ୨୦୧୨-୧୩ରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା। ଏହାପରଠୁ କେବଳ ଆଇସିସି ପ୍ରତିଯୋଗିତା ଗୁଡ଼ିକରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି।
ଶୁକ୍ଳା କହିଛନ୍ତି ଚାମ୍ପିୟନ୍ସ ଟ୍ରଫି ଉପରେ ଭାରତ ସରକାର ଆମକୁ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଆମେ ଆଗକୁ ବଢ଼ିବୁ। ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇନାହାନ୍ତି। ଆମେ ଦଳକୁ ପଠାଇ ପାରିବୁନି ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ କାମ କରିବୁ ବୋଲି ଶୁକ୍ଳା କହିଛନ୍ତି।
ଏସିଆ କପ ବେଳେ ହାଇବ୍ରିଡ ମଡେଲରେ ଭାରତ ତାହାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା। ଏହାପରେ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଖେଳିବାକୁ କହୁଥିଲେ ମଧ୍ୟ ଦଳକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା।
ଭାରତରେ ପାକିସ୍ତାନ ୫ଟି ସ୍ଥାନରେ ଖେଳିଥିଲା। ଏବେ ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ଖେଳିବାକୁ ଯିବାକୁ ଥିବାରୁ ପାକିସ୍ତାନ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାରର ପଦକ୍ଷେପ ନେବ ବୋଲି କହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର