India vs New Zealand / ୧୫୪ ରନକୁ ୧୦ ଓଭରରେ ଜିତିଗଲା ଭାରତ, ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ

Key Points
୧୫୪ ରନକୁ ୧୦ ଓଭରରେ ଜିତିଗଲା ଭାରତ, ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ ।
ଲାଗୁଥିଲା ମ୍ୟାଚ୍ ନୁହେଁ ବରଂ ହାଇଲାଇଟ୍ ଚାଲିଛି । ସାମ୍ନାରେ ଥିଲା ୧୫୪ ରନ୍ର ବିଜୟଲକ୍ଷ୍ୟ । କିନ୍ତୁ ଛକା-ଚୌକାର ବର୍ଷା ନୁହେଁ ତ ପଡିଆରେ ଛକା-ଚୌକାର ଝଡ଼ ଦେଖିବାକୁ ମିଳୁଥିଲା । ପ୍ରତି ଓଭରରେ ଛକା-ଚୌକାର ଝଡ଼ । ୧୫୪ ରନ୍ ବିଜୟଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ହିଁ ଜିତିନେଇଛି ଭାରତ । ଅଭିଷେକ ଶର୍ମା ଏବଂ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ଭୟଙ୍କର ବ୍ୟାଟିଂରେ ତ୍ରାହି ତ୍ରାହି ଡାକିଛନ୍ତି ନ୍ୟୁଜିଲାଣ୍ଡ ବୋଲର ।
ରେକର୍ଡ କରିଛି ଭାରତ । ଏତେ କମ୍ ଓଭରରେ ରନ୍ ଚେଜ୍ କରିବା କ୍ରିକେଟ ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ଯାହାକି କରି ଦେଖାଇଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ଟିକିଆ ଟି୨୦ ସିରିଜକୁ ଆଗୁଆ ୩-୦ରେ ଜିତିନେଇଛି ଟିମ୍ ଇଣ୍ଡିଆ । ବିଶ୍ବକପ୍ ପୂର୍ବରୁ ଭୟଙ୍କର ବ୍ୟାଟିଂ କରୁଛନ୍ତି ଟିମ୍ ଇଣ୍ଡିଆ ବ୍ୟାଟର ।
ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୫୩ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଜବାବରରେ ଭାତର ମାତ୍ର ୧୦ ଓଭରରେ ୬୦ ବଲ ଖେଳି ୨ ଓ୍ବିକେଟ ହରାଇ ହିଁ ୧୫୫ ରନ୍ କରିନେଇଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ଆଉଟ ହୋଇଥିବା ବେଳେ ଇଶାନ କିଷନ ୧୩ ବଲରେ ୩ ଚୌକା ଓ ୨ ଛକା ସହାୟତାରେ ୨୮ ରନ୍ କରି ଆଉଟ ହୋଇଥିଲେ ।
ଏପଟେ ଭୟଙ୍କର ବ୍ୟାଟିଂ କରୁଥିଲେ ଅଭିଷେକ ଶର୍ମା । ମାତ୍ର ୨୦ ବଲ ଖେଳି ୩୪୦ ଷ୍ଟ୍ରାଇକ୍ ରେଟ୍ ସହ ୭ ଚୌକା ଏବଂ ୫ ଛକା ସହାୟତାରେ ୬୮ ରନ୍ କରି ନଟଆଉଟ ଥିଲେ ଅଭିଷେକ । ସେହିଭଳି ଏପଟେ ଛକା ଚୌକାର ଝଡ଼ ଲଗାଇ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମାତ୍ର ୨୬ ବଲ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୫୭ ରନ୍ କରି ନଟଆଉଟ ଥିଲେ ।
ନ୍ୟୁଜିଲାଣ୍ଡର ଏମିତି କୌଣସି ଜଣେ ବୋଲର ନଥିଲେ ଯେଉଁ ଓଭରରେ ଛକା କିମ୍ବା ଚୌକା ଦେଖିବାକୁ ମିଳିନଥିଲା । ମାଟ୍ ହେନରୀ ୨ ଓଭରରେ ୨୮ ରନ୍ ଦେଇ ୧ ଓ୍ବିକେଟ ନେଇଥିବା ବେଳେ ଜାକୋବ ଡଫି ୨ ଓଭରରେ ୩୮ ରନ୍, କାଇଲ ଜେମିସନ୍ ୧ ଓଭରରେ ୧୭ ରନ୍, ଇଶ୍ ସୋଢି ୨ ଓଭରରେ ୨୮ ରନ୍ ୧ ଓ୍ବିକେଟ, ମିଚେଲ ସାଣ୍ଟନର ୨ ଓଭରରେ ୨୮ ରନ୍, ଗ୍ଲେନ୍ ଫିଲିପ୍ସ ୧ ଓଭରରେ ୧୬ ରନ୍ ଦେଇଥିଲେ ।
୩ୟ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୫୩ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲା । ତଥାପି ଲାଗୁଥିଲା ଲଢେଇ କରିବ ନ୍ୟୁଜିଲାଣ୍ଡ । କିନ୍ତୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଏକାପାଖିଆ ହୋଇଥିଲା ।
ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କୋନଓ୍ବେ ମାତ୍ର ୧ ରନ୍ କରି ପୁଣି ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ । ସେହିଭଳି ଟିମ୍ ସେୟଫର୍ଟ ୧୨ ରନ୍, ରଚିନ ରବିନ୍ଦ୍ର ୪ ରନ୍ କରି ସହଳ ପ୍ୟାଭିଲିୟନ ଫେରିଥିଲେ । ଗ୍ଲେନ୍ ଫିଲିପ୍ସ ଦମଦାର ବ୍ୟାଟିଂ କରିଥିଲେ ବି ଅର୍ଦ୍ଧଶତକ ପୂର୍ବରୁ ହିଁ ୪୮ ରନ୍ କରି ଆଉଟ ହୋଇଥିଲେ । ମାର୍କ ଚାପମାନ୍ ୩୨ ରନ୍, ଡାରିଲ ମିଚେଲ ୧୪ ରନ୍, ଅଧିନାୟକ ମିଚେଲ ସାଣ୍ଟନର ୨୭ ରନ୍, କାଇଲ ଜେମିସନ ୩ ରନ୍, ମାର୍ଟ ହେନରୀ ୧ ରନ୍ କରି ଆଉଟ ହୋଇଥିଲେ । ଇଶ୍ ସୋଢି ୨ ରନ୍ ଓ ଜାକୋବ ଡଫି ୪ ରନ୍ କରି ନଟଆଉଟ ଥିଲେ ।
📱 Get Argus News App
✨Related Topics
Explore more stories