Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍: ମାଞ୍ଚେଷ୍ଟର୍ ମ୍ୟାଚ୍‌ ଭାରତ ଲାଗି କର ବା ମର ସ୍ଥିତି

Ritu Das
Browse all articles by Ritu Das
·11 months ago·2 min read
ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍: ମାଞ୍ଚେଷ୍ଟର୍ ମ୍ୟାଚ୍‌ ଭାରତ ଲାଗି କର ବା ମର ସ୍ଥିତି

Key Points

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି

ଡ’ସନ୍ ୮ବର୍ଷ ପରେ ଇଂଲଣ୍ଡ ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଚତୁର୍ଥ ଟେଷ୍ଟ ଓଲ୍ଡ ଟ୍ରାଫର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଏଣୁ ଶୃଙ୍ଖଳା ବଞ୍ଚାଇବା ଲାଗି ମାଞ୍ଚେଷ୍ଟର୍ ମ୍ୟାଚ୍‌ ଭାରତ ଲାଗି କର ବା ମର ସଦୃଶ ହେବ। ଅର୍ଥାତ୍ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ଭାରତୀୟ କ୍ରିକେଟ୍ ଦଳକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ ରଖିବାକୁ ପଡ଼ିବ। ଅନ୍ୟଥା ଇଂଲଣ୍ଡ ୩-୧ର ଅପରାଜେୟ ଅଗ୍ରଣୀ ଲାଭ କରି ‘ଦି ଓଭାଲ’ଠାରେ ଜୁଲାଇ ୩୧ ତାରିଖରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମୁକାବିଲା ପୂର୍ବରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ପ୍ରଥମ ବିଜେତା ହେବା ପକ୍କା କରିନେବ। ସ୍ପିନର୍ ସୋଏବ ବଶିର ଆହତ ହେବା ପରେ ଇଂଲଣ୍ଡ ଏକମାତ୍ର ପରିବର୍ତ୍ତନ ଭାବେ ଭେଟେରାନ୍ ସ୍ପିନର ଲିଆମ ଡ’ସନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ଡ’ସନ୍ ୮ବର୍ଷ ପରେ ଇଂଲଣ୍ଡ ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।


ଭାରତ ପାଇଁ କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଲାଗି ଦଳ ବାଛିବା କାଠିକର ପାଠ ହେବାକୁ ଯାଉଛି। ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ଏବଂ ଦୁଇ ଦ୍ରୁତ ବୋଲର ଆକାଶ ଦୀପ ଓ ଅର୍ଶଦୀପ ସିଂହ ଏହି ମ୍ୟାଚ୍‌ରୁ ବାଦ୍ ପଡ଼ିସାରିଛନ୍ତି। ବି‌ଶେଷ କରି ବର୍ମିଂହାମ ଟେଷ୍ଟ୍‌ରେ ୧୦ ୱିକେଟ୍ ଅକ୍ତିଆର କରିଥିବା ଆକାଶ ଦୀପ ମାଞ୍ଚେଷ୍ଟର୍‌ ଟେଷ୍ଟ୍‌ରୁ ବାଦ୍ ପଡ଼ିବା ଭାରତ ପାଇଁ ବହୁତ ବଡ଼ ଝଟ୍‌କା ହୋଇଛି। ତାଙ୍କ ସ୍ଥାନ ନେବାକୁ ଥିବା ଅର୍ଶଦୀପ ସିଂହ ଉପଲବ୍ଧ ନହେବା ଟିମ୍ ଇଣ୍ଡିଆ ପାଇଁ ଆ‌ଉ ଏକ ମସ୍ତବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଣୁ ହରିୟାଣାର ଯୁବ ବୋଲର ଅଂଶୁଲ କମ୍ବୋଜଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜ ପୂରା ଫିଟ୍ ଥିବା ଅଧିନାୟକ ଶୁଭମନ୍ ଗିଲ୍ ସ୍ପଷ୍ଟ କରିଛନ୍ତି। ଭାରତ ଯଦି ତିନି ଜଣ ପେସର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଏ, ତାହେଲେ ଅଂଶୁଲ ଏବଂ ପ୍ରଥମ ଦୁଇ ଟେଷ୍ଟ୍‌ରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ନଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭିତରୁ ଜଣଙ୍କୁ ସୁଯୋଗ ମିଳିପାରେ। ମାଞ୍ଚେଷ୍ଟର୍‌ରେ ଅଂଶୁଲ ‌ଟେଷ୍ଟ୍ ପଦାର୍ପଣ କରିବାର ଅତି ନିକଟରେ ଅଛନ୍ତି ବୋଲି ଗିଲ୍ କହିସାରିଛନ୍ତି। ଏଣୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରିବର୍ତ୍ତେ ଅଂଶୁଲ ଏହି ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ପିନର କୁଲଦୀପ ୟାଦବଙ୍କୁ ଖେଳାଇବା ଦାବି ଜୋର ଧରିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପନ୍ତ ୱିକେଟ୍ ରକ୍ଷଣ ଦାୟିତ୍ବ ତୁଲାଇଲେ ନୀତୀଶ କୁମାର ରେଡ୍ଡୀଙ୍କ ବଦଳରେ ସଂରକ୍ଷିତ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲ କିମ୍ବା ସାଇ ସୁଦର୍ଶନ ତାଙ୍କ ସ୍ଥାନ ନେଇ ପାରନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, କରୁଣ ନାୟର, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌ରକ୍ଷକ, ଉପଅଧିନାୟକ), ଧ୍ରୁବ ଜୁରେଲ/ସାଇ ସୁଦର୍ଶନ, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ, ଅଂଶୁଲ କମ୍ବୋଜ।


ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍‌ରକ୍ଷକ), ଲିଆମ ଡ’ସନ୍, କ୍ରିସ୍ ଓକ୍ସ, ବାଏଡନ୍ କାର୍ସ, ଜୋଫ୍ରା ଆର୍ଚର।

Sponsored
india-england-fourth-test-from-today-manchester-match-a-do-or-die-situation-for-india | Argus News