Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ

Ritu Das
Browse all articles by Ritu Das
·1 year ago·2 min read
ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼ ଝଟ୍‌କା। ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ ହଠାତ ଦକ୍ଷିଣ ଆଫ୍ରିକା ଫେରିଯାଇଛନ୍ତି। ସେ ଶନିବାର ଭାରତୀୟ ଦଳ ସହିତ ଦୁବାଇରେ ପହଞ୍ଚିଥିଲେ। ବୁଧବାରଠାରୁ ଆରମ୍ଭ ହେଉଥିବା Champions Trophy ପୂର୍ବରୁ ପ୍ରାରମ୍ଭିକ ଅଭ୍ୟାସ ଅଧିବେଶନରେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସୋମବାର ଦ୍ୱିତୀୟ ଅଭ୍ୟାସ ଅଧିବେଶନରେ ମୋର୍କେଲ ଦଳ ସହିତ ନ ଥିଲେ। ଯଶପ୍ରିତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ବୋଲିଂକୁ ମଜଭୁତ କରିବାର ଦାୟିତ୍ୱ ତାଙ୍କ କାନ୍ଧରେ ଥିଲା। ଏପରି ପରିସ୍ଥିତିରେ ପାରିବାରିକ କାରଣରୁ ତାଙ୍କର ହଠାତ୍‌ ସ୍ବଦେଶକୁ ଫେରିଯିବା ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟ୍‌କା ପାଲଟିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋର୍କେଲଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି।


ଏହି କାରଣରୁ ତାଙ୍କୁ ଶୀଘ୍ର ଦୁବାଇରୁ ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିଛି। ଗତ ବର୍ଷ ସେପ୍ଟେମ୍ବରରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମୋର୍କେଲଙ୍କୁ ଟିମ ଇଣ୍ଡିଆର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଗତ ଛଅ ମାସ ଧରି ସେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲରମାନଙ୍କ ସହିତ କାମ କରୁଛନ୍ତି। ଭାରତର ପ୍ରମୁଖ ପେସର ଯଶପ୍ରିତ ବୁମ୍‌ରା ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ଫଳରେ ମହମ୍ମଦ ଶାମି, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କ କାନ୍ଧରେ ପେସ ଆକ୍ରମଣର ଦାୟିତ୍ୱ ରହିଛି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳର ଚତୁର୍ଥ ବିକଳ୍ପ ଅଟନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କହିରଖୁଛୁ, ଭାରତୀୟ ଦଳ ଗ୍ରୁପ A ରେ ସ୍ଥାନ ପାଇଛି। ଯେଉଁଥିରେ ତାଙ୍କ ସହିତ ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଦଳ ଅଛନ୍ତି। ଭାରତକୁ ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡିବ। ଦ୍ୱିତୀୟ ମ୍ୟାଚ୍‌ ୨୩ ଫେବୃଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଟିମ ଇଣ୍ଡିଆ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

Sponsored
India gets a big shock before ICC Champions Trophy, suddenly returns home | Argus News