Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India VS England ଟେଷ୍ଟ: ଅତି ଉତ୍ସାହିତ ହେବା କାରଣରୁ ଭାରତ ଏହି ମ୍ୟାଚ ହାରିଲା

Ritu Das
Browse all articles by Ritu Das
·1 year ago·3 min read
India VS England ଟେଷ୍ଟ: ଅତି ଉତ୍ସାହିତ ହେବା କାରଣରୁ ଭାରତ ଏହି ମ୍ୟାଚ ହାରିଲା

Key Points

ନିରାଶ କଲେ ବୋଲର

୩୭୧ ରନକୁ ବି ବଞ୍ଚାଇ ପାରିଲାନି ଭାରତ

ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ପରାଜୟ ଭୋଗିଛି ଭାରତ

ନିରାଶ କଲେ ବୋଲର। ୩୭୧ ରନକୁ ବି ବଞ୍ଚାଇ ପାରିଲାନି ଭାରତ। ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ପରାଜୟ ଭୋଗିଛି ଭାରତ। ବେନ ଡକେଟ୍‌ଙ୍କ ଦମଦାର ୧୪୯ ରନ ଇନିଂସ ବଳରେ ଇଂଲଣ୍ଡ ଐତିହାସିକ ବିଜୟ ହାସଲ କରିଛି। ଭାରତ ଦ୍ଵାରା ଧାର୍ଯ୍ୟ ୩୭୧ ରନର ବିଜୟ ଲକ୍ଷ୍ୟକୁ ୫ ଓ୍ଵିକେଟ୍ ହରାଇ ଶେଷ ଦିନର ଶେଷ ସେସନରେ ହାସଲ କରି ନେଇଛି ଇଂଲଣ୍ଡ। ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଲିଡ୍ସର ହେଡିଂଲିରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ଇତିହାସ ସୃଷ୍ଟି କରିଛି। ବିଡମ୍ବନାର ବିଷୟ ଭାରତର ବ୍ୟାଟର ୫ ଶତକ ମାରି ବି ପରାଜିତ ହୋଇଛି ଶୁଭମନ ଗିଲ୍‌ଙ୍କ ଟିମ୍।


ଦେଖିବାକୁ ଗଲେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାପରେ ଭାରତୀୟ ଟିମର ଏହା ପ୍ରଥମ ମୁକାବିଲା ଥିଲା। ବ୍ୟାଟିଙ୍ଗରେ ତ ସେମାନଙ୍କ ଅନୁପସ୍ଥିତି ଏତେ ଅନୁଭବ ହୋଇ ନ ଥିଲା କିନ୍ତୁ ଫିଲ୍ଡଙ୍ଗରେ ନିଶ୍ଚିତ ଭାବେ ଲିଡସ ଗ୍ରାଉଣ୍ଡ କୋହଲିଙ୍କୁ ମିସ କରିଥିଲା। ଗ୍ରାଉଣ୍ଡରେ କୋହଲି ଖେଳାଳିଙ୍କ ମନୋବଳକୁ ସବୁବେଳେ ଦୃଢ଼ କରିଥାନ୍ତି। ଏବଂ ଏହାସହ ସ୍ଲିପ କର୍ଡନରେ ଜଣେ ବହୁ ଫିଲ୍ଡର ଭାବେ କୋହଲିଙ୍କ ନାଁ ରହିଛି। କୋହଲି ଏବଂ ରୋହିତ ଶର୍ମାଙ୍କ ବିପା ଭାରତୀୟ ଟିମ ପ୍ରଥମ ଟେଷ୍ଟ ପରୀକ୍ଷାରେ ହିଁ ସଫଳ ହୋଇପାରିଲେନି। ଯାହା ଅତ୍ୟନ୍ତ ଦୁଃଖର ବିଷୟ। ଟି-୨୦ ନୁହେଁ ଖେଳାଳିଙ୍କୁ ଆହୁରି ଅଭ୍ୟାସ ଦରକାର। ୭୭ ବର୍ଷ ପରେ କୌଣସି ଦଳ ହେଡିଂଲି ଗ୍ରାଉଣ୍ଡରେ ଏତେ ବଡ଼ ରନ ପିଛା କରିଛି। ପୂର୍ବରୁ ୧୯୪୮ ମସିହାରେ ଏହି ଗ୍ରାଉଣ୍ଡରେ ୪୦୪ ରନର ଟାର୍ଗେଟ ପିଛା କରାଯାଇଥିଲା। ତା’ପରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେବେଠାରୁ ଏହି ଗ୍ରାଉଣ୍ଡରେ ଏତେ ବଡ଼ ଟାର୍ଗେଟ କେବେ ପିଛା କରାଯାଇ ନଥିଲା। ଏବେ ଇଂଲଣ୍ଡ ହେଡିଂଲିରେ ଦ୍ୱିତୀୟ ସର୍ବାଧିକ ରନ ପିଛା କରିଥିବା ଦଳ ପାଲଟିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ୨୦୧୯ ମସିହାରେ, ଇଂଲଣ୍ଡ ହେଡିଂଲିରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୩୬୨ ରନର ଟାର୍ଗେଟ ପିଛା କରିଥିଲା। ତା’ପରେ ବ୍ରିଟିଶମାନେ କଙ୍ଗାରୁମାନଙ୍କୁ ଗୋଟିଏ ୱିକେଟରେ ପରାସ୍ତ କରିଥିଲେ। ସାମଗ୍ରିକ ଭାବରେ, ଏହି ଗ୍ରାଉଣ୍ଡରେ ୩୦୦ ରୁ ଅଧିକ ରନର ଟାର୍ଗେଟ ପିଛା କରିବା ଏହା ପଞ୍ଚମ ଥର। ଇଂଲଣ୍ଡ ପାଖରେ ୩୭୧ ରନ୍‌ର ଟାର୍ଗେଟ ସହଜରେ ହାସଲ କରିଥିଲେ। ଇଂଲଣ୍ଡ ପାଇଁ ବେନ୍ ଡକେଟ ୧୪୯, ଜ୍ୟାକ୍ କ୍ରାଉଲି ୬୫ ଏବଂ ଜୋ ରୁଟ୍ ଅପରାଜିତ ୫୩ ରନ୍‌ କରିଥିଲେ। ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍ ଜେମି ସ୍ମିଥ୍ ୪୪ ରନ୍‌ରେ ଅପରାଜିତ ରହିଥିଲେ। ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ଦରକାର ଥିଲା ୩୫୦ ରନ। ହେଲେ ଶେଷ ଦିନରେ ବେନ ଡକେଟ୍ ଦ୍ରୁତ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ପ୍ରଥମ ଓ୍ଵିକେଟ୍‌ରେ ୧୮୮ ରନ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ଜ୍ୟାକ କ୍ରାଉଲି ୬୫ ରନ କରି ଆଉଟ୍ ହୋଇଥିଲେ।


ଓଲି ପପ ୮ ରନ କରି ପାଭିଲିୟନ ଫେରିଥିଲେ। ଡକେଟ୍ ୧୭୦ ବଲରୁ ୨୧ ଚୌକା ଓ ୧ ଛକା ସହ ୧୪୯ ରନ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ୫୫ମ ଓଭରରେ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ଵିକେଟ୍ ନେଇ ଭାରତ ପାଇଁ ଆଶା ସଞ୍ଚାର କରିଥିଲେ ହେଁ ଜୋ ରୁଟ୍ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ବେନ ଷ୍ଟୋକ୍ସ ୩୩ ରନ ଓ ଜେମି ସ୍ମିଥ ୪୪ ରନର ଦ୍ରୁତ ଇନିଂସ ଖେଳି ଦଳକୁ ସହଜ ବିଜୟ ଦେଇଛନ୍ତି।  ଏହି ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭାରତୀୟ ଦଳ ୪୭୧ ରନ୍ କରିଥିଲା। ଭାରତ ପାଇଁ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୧୦୧, ଶୁଭମନ ଗିଲ୍ ୧୪୭ ଏବଂ ରିଷଭ ପନ୍ତ ୧୩୪ ରନ୍ କରିଥିଲେ। ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନ୍ କରିଥିଲା। ଇଂଲଣ୍ଡ ପାଇଁ ଓଲି ପୋପ୍ ୧୦୬ ଏବଂ ହ୍ୟାରି ବ୍ରୁକ୍ ୯୯ ରନ୍ କରିଥିଲେ। ଏହା ପରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩୬୪ ରନ କରି ଇଂଲଣ୍ଡକୁ ୩୭୧ ରନ୍‌ର ଟାର୍ଗେଟ ଦେଇଥିଲା। ଭାରତ ପାଇଁ କେଏଲ୍ ରାହୁଲ ୧୩୭ ଏବଂ ରିଷଭ ପନ୍ତ ୧୧୮ ରନ୍ କରିଥିଲେ। ଉଭୟ ଇନିଂସ୍‌ରେ ପନ୍ତ ଶତକ କରିଥିଲେ।

Sponsored
india-vs-england-test-india-lost-this-match-due-to-being-overly-excited | Argus News