ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆରେ ସାଉଥଆଫ୍ରିକାକୁ ପରାସ୍ତ କଲା ଭାରତ

ଅର୍ଗସ ବ୍ୟୁରୋ: ବିଶ୍ବକପ୍-୨୦୨୩ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ରବିବାରଠାରୁ ଖେଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରସ୍ ଷ୍ଟାଡିୟମରେ ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଫଳରେ ଭାରତ ବୋଲିଂ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂରା ଟିମ୍ ୨୭.୩ ଓଭରରେ ଅଲ୍ଆଉଟ୍ ହୋଇ ୧୧୬ ରନ୍ କରିପାରିଥିଲେ। ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୧୭ ରନ୍ ଦରକାର ଥିଲା। ଅର୍ଶଦୀପ ସିଂ ଓ ଅଭେଶ ଖାନଙ୍କ ଘାତକ ବୋଲିଂ ପରେ ସାଇ ସୁଦଶନ ଓ ଶ୍ରେୟସ ଆୟରଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନିକିଆକୁ ଏକତରଫା ଭାବେ ୮ ଓ୍ବିକେଟରେ ଜିତି ନେଇଛି।
ଏହି ଶୃଙ୍ଖଳା ପାଇଁ ଭାରତୀୟ ଦଳ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେଇଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର