ଭାରତ-ଜିମ୍ବାୱେ: ଆଜି ତୃତୀୟ ଟ୍ବେଣ୍ଟି-୨୦

ଅର୍ଗସ ବ୍ୟୁରୋ: ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଘରୋଇ ଦଳ ବିପକ୍ଷରେ ତୃତୀୟ ଟ୍ବେଣ୍ଟି-୨୦ ଖେଳିବ। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ସଂପ୍ରତି ୧-୧ ସମାନ ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତର ବ୍ୟାଟିଂ ବିଫଳ ହେବାରୁ ହାରିଥିଲା। ହେଲେ ଦ୍ବିତୀୟ ମ୍ୟାଚ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨୩୫ ରନ୍ର ବଡ଼ ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରିବାକୁ ଯାଇ ଜିମ୍ବାୱେ ମାତ୍ର ୧୩୪ ରନ୍ରେ ଅଲ୍ଆଉଟ୍ ହୋଇ ୧୦୦ ରନ୍ରେ ପରାଜୟ ବରଣ କରିଥିଲା। ଭାରତର ଯୁବ ବ୍ୟାଟର୍ ଅଭିଷେକ ଶର୍ମା (୧୦୦, ୪୬ ବଲ୍) ନିଜର ଦ୍ବିତୀୟ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ।
ଏବେ ବିଶ୍ବବିଜେତା ଦଳରେ ଥିବା ଯଶସ୍ବୀ ଜୟସ୍ବାଲ, ସଂଜୁ ସାମ୍ସନ୍ ଓ ଶିବମ ଦୁବେ ଦଳ ସହ ଯୋଗଦେଇଛନ୍ତି। ଫଳରେ ବୁଧବାର ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପ୍ରଥମ ଦୁଇ ମ୍ୟାଚ୍ରେ ଅଧିନାୟକ ଶୁବମନ ଗିଲ୍ଙ୍କ ସହ ଅଭିଷେକ ଓପନିଂ କରିଥିଲେ। ଅଭିଷେକ ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ଶତକ ଅର୍ଜନ କରି ନିଜର ଦମ୍ ଦେଖାଇଥିଲେ। ଜୟସ୍ବାଲ ଦଳକୁ ଫେରିଥିବାରୁ ଏବେ ଓପନିଂ ନେଇ ତାଙ୍କର ଦଳ ଚିନ୍ତାରେ ପଡ଼ିଛି। ଜୟସ୍ବାଲ କି ଅଭିଷେକ, କିଏ ଓପନିଂ କରିବ କିମ୍ବା ବାହାରେ ବସିବ ତାହାକୁ ନେଇ ଗିଲ୍ ଦ୍ବନ୍ଦ୍ବରେ ଅଛନ୍ତି। ଶତକ ଅର୍ଜନ କରିଥିବା
ଅଭିଷେକଙ୍କୁ ନ ବସାଇ ଜୟସ୍ବାଲଙ୍କ ସହ ଓପନିଂ ସୁଯୋଗ ଦେଇ ନିଜେ ମଧ୍ୟ ଭାଗରେ ଖେଳିବାକୁ ପସନ୍ଦ କରିପାରନ୍ତି ଗିଲ୍। ଯଦି ଦୁଇ ବାମହାତୀ ଓପନିଂ କରନ୍ତି ତେବେ ତୃତୀୟରେ ରାଜସ୍ଥାନ ରୟାଲ୍ସ ପାଇଁ ବ୍ୟାଟିଂ କରୁଥିବା ସଂଜୁ ସାମସନ ପଞ୍ଚମରେ ଏବଂ ଋତୁରାଜ ଗାଏକ୍ବାଡ ଚତୁର୍ଥରେ ଖେଳିପାରନ୍ତି। ପ୍ରଥମ ଦୁଇ ମ୍ୟାଚ୍ରେ ଖେଳିଥିବା ବି ସାଇ ସୁଦର୍ଶନଙ୍କ ସ୍ଥାନ ଜୟସ୍ବାଲ ନେବେ ଏବଂ ୱିକେଟ୍ରକ୍ଷକ ଧ୍ରୁବ ଜୁରେଲଙ୍କ ବଦଳରେ ଚୂଡ଼ାନ୍ତ ଦଳରେ ସାମସନ ଖେଳିବାର ସମ୍ଭାବନା ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର