ଟିମ୍ ଇଣ୍ଡିଆର ବଡ଼ ବିଜୟ

ସୁପର ସନଡେ’ର ସୁପର ଫାଇଟରେ ପାକିସ୍ତାନକୁ ହରାଇଲା ଭାରତ। ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ୬ ଓ୍ବିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂରେ ବିପର୍ଯ୍ୟସ୍ତ ହୋଇ ପଡିଲେ ପାକିସ୍ତାନ ବୋଲର। ୨୪୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ୪୫ ବଲ୍ ବାକିଥାଇ ମ୍ୟାଚକୁ ଜିତି ନେଇଛି ଭାରତ। ୫୧ ତମ ଦିନିକିଆ ଶତକ ହାସଲ କରିଛନ୍ତି ବିରାଟ।
ପାକିସ୍ତାନୀ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ହାରି ସାରିଛି। ଏବେ ଭାରତ ବିପକ୍ଷରେ ବି ମ୍ୟାଚ ହାରିଛି। ଆଜି ମ୍ୟାଚରେ ସୌଦ ଶକିଲଙ୍କ ଅର୍ଦ୍ଧଶତକ ପାଳି ସତ୍ତ୍ୱେ ପାକିସ୍ତାନ ଦଳ ୨୫୦ ରନ ସ୍କୋର ମଧ୍ୟ ପହଞ୍ଚି ପାରି ନଥିଲା ।
📱 Get Argus News App
✨ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାବର ଆଜମ ଭଲ ଆରମ୍ଭ କରିଥିଲେ କିନ୍ତୁ ୨୩ ରନ କରିବା ପରେ ଆଉଟ ହୋଇଥିଲେ। ଇମାମ ଉଲ ହକ ମଧ୍ୟ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ୪୭ ରନରେ ୨ଟି ୱିକେଟ ହରାଇବା ପରେ, ମହମ୍ମଦ ରିଜୱାନ ଏବଂ ସୌଦ ଶକିଲ ମିଶି ପାକିସ୍ତାନ ପାଇଁ ୧୦୪ ରନ ଯୋଡିଥିଲେ। ଶକିଲ ୬୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ୨୪୧ ରନରେ ଅଲ ଆଉଟ୍ ହୋଇ ୨୪୨ ରନର ବିଜୟ ଲକ୍ଷ୍ୟ ଦେଇଥିଲେ ଭାରତକୁ।
ତେବେ ଭାରତ ପକ୍ଷରୁ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରି ୧୧୧ ବଲରେ ଯୋଡିଥିଲେ ୧୦୦ ରନ୍। ସେପଟେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଭାରତକୁ ବିଜୟ ଅଭିମୁଖେ ନେଇଥିଲା। ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ସହ ସେମିରେ ନିଜର ସ୍ଥାନ ପକା କରିଛି ଭାରତ।