ଆଜିଠାରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ

ଅର୍ଗସ ବ୍ୟୁରୋ: ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ଭାରତ ଛାଡ଼ିଥିବା ରୋହିତ ଶର୍ମା ସେନା ବୁଧବାରଠାରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ବୁଧବାର ଆୟର୍ଲାଣ୍ଡ୍ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ଭାରତୀୟ ଦଳକୁ ‘ନୂଆ ବୋତଲରେ ପୁରୁଣା ମଦ’ କୁହାଯାଉଥିଲେ ମଧ୍ୟ ଏଭଳି ସମାଲୋଚନାକୁ ଖେଳାଳିମାନେ ଜବାବ ଦେବେ ବୋଲି ବିଶ୍ବାସ କରାଯାଉଛି। ଦୁଇ ମାସ ଧରି ଆଇପିଏଲ୍ ଖେଳି ବିଶ୍ବକପ୍ ଯାଇଥିବା ଭାରତୀୟ ଖେଳାଳିମାନେ ନିଶ୍ଚିତ ଭାବେ ଭଲରେ ଅଭିଯାନ ଆରମ୍ଭ କରିବାକୁ ଚାହିବେ।
କିନ୍ତୁ କାଉଣ୍ଟି ଷ୍ଟାଡିୟମ୍ରେ ପିଚ୍ ବୋଲରଙ୍କୁ ଅଧିକ ସୁହାଉଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଆଇପିଏଲ୍ ସାରା ବ୍ୟାଟିଂ ପିଚ୍ ପାଇଥିବା ଖେଳାଳିମାନେ ନିଶ୍ଚିତ ଭାବେ ଏଠାକାର ପିଚ୍ରେ ଖାପ୍ ଖୁଆଇବାକୁ ସମୟ ନେବେ। ନସାଉ କାଉଣ୍ଟି ଷ୍ଟାଡିୟମ୍ରେ ସୋମବାର ରାତିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ମାତ୍ର ୭୭ ରନ୍ କରିବା ପରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୭ ଓଭର ପର୍ଯ୍ୟନ୍ତ ନେବା ଫଳରେ ଏହି ଡ୍ରପ୍ ଇନ୍ ପିଚ୍ର ଭୂମିକା ନିର୍ଣ୍ଣାୟକ ହେବ ବୋଲି ଆଭାସ ଦେଇଛି।
ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ପରାଜୟ ପରଠାରୁ ରୋହିତ ଶର୍ମା ତାଙ୍କ ଖେଳ ଜୀବନକୁ ଶେଷ କରିବା ପୂର୍ବରୁ ଏକ ଆଇସିସି ଟ୍ରଫି ଜିତିବାକୁ ସ୍ବପ୍ନ ଦେଖିଛନ୍ତି। ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ଯଶପ୍ରୀତ୍ ବୁମରା, ରବୀନ୍ଦ୍ର ଜାଡ଼େଜା, ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ଅଭିଜ୍ଞ ଖେଳାଳିଙ୍କ ସ୍ଥିର ପ୍ରଦର୍ଶନ ଉପରେ ନିଶ୍ଚିତ ଦଳର ଭାଗ୍ୟ ନିର୍ଣ୍ଣୟ କରିବ। ଭାରତୀୟ ଦଳ ରବିବାର (ଜୁନ୍ ୯ ତାରିଖ) ନିଜର ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ପାକିସ୍ତାନକୁ ଭେଟିବା ପୂର୍ବରୁ ଏହି ମ୍ୟାଚ୍ ଜିତିବା ମଧ୍ୟ ଜରୁରି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍, ୟୁଝବେନ୍ଦ୍ର ଚହଲ।
📱 Get Argus News App
✨ଆୟର୍ଲାଣ୍ଡ୍ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍ରେଲ୍, ଗ୍ରାହାମ ହୁମ୍, ଜୋସ୍ ଲିଟଲ୍, ବାରି ମ୍ୟାକର୍ଥି, ନିଲ୍ ରକ୍ (ୱିକେଟରକ୍ଷକ), ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର (ୱିକେଟରକ୍ଷକ), ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର