ବିଳମ୍ବରେ ଆରମ୍ଭ ହେବ IPL 2025, ଜାଣନ୍ତୁ କାହିଁକି ?

Key Points
ଆଇପିଏଲ୍କୁ ନେଇ ବଡ଼ ଖବର
ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ୍ ମ୍ୟାଚ୍
ମେ ୨୫ରେ ଖେଳାଯିବ ଫାଇନାଲ୍
ଅର୍ଗସ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠାର ଅନ୍ତ । ଆଇପିଏଲ୍କୁ ନେଇ ଆସିଲା ବଡ଼ ଖବର । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍-୨୦୨୫କୁ ନେଇ ବଡ଼ ଖୁଲାସା ହୋଇଛି । କେବେଠୁ ଆଇପିଏଲ୍ ମ୍ୟାଚ ଆରମ୍ଭ ହେବ ଜଣାପଡ଼ିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ରବିବାର ଆଇପିଏଲ୍ ମ୍ଯାଚ୍ ଆରମ୍ଭ ତାରିଖର ଖୁଲାସା କରିଛନ୍ତି ।
ଗଣମାଧ୍ୟମକୁ ରାଜୀବ ଶୁକ୍ଳା ଦେଇଥିବା ସୂଚନା ଅନୁସାରେ, ମାର୍ଚ୍ଚ ୨୩ରୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବ । ଯେତେବେଳେ କି ମେ ୨୫ରେ ଖେଳାଯିବ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ । ରବିବାର ବସିଥିବା ବିସିସିଆଇର ଏଜିଏମ୍ ବୈଠକରେ ଆଇପିଏଲ୍କୁ ନେଇ ଏହି ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି । ତେବେ ଏନେଇ ଔପଚାରିକ ଘୋଷଣା ହୋଇ ନାହିଁ ।
ଆଇପିଏଲ୍-୨୦୨୪ର ପ୍ରଥମ ମ୍ୟାଚ ଆରସିବି ଓ ସିଏସ୍କେ ମଧ୍ୟରେ ମାର୍ଚ୍ଚ ୨୨ରେ ଖେଳା ଯାଇଥିଲା । ମେ ୨୬ରେ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିବା ବେଳେ ଚାମ୍ପିଅନ୍ ହୋଇଥିଲା କୋଲକାତା ନାଇଟ୍ ରାଇଡର୍ସ ।
📱 Get Argus News App
✨ବିଳମ୍ବ କାହିଁକି ?
ସୂଚନା ଅନୁସାରେ, ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବ । ଯେତେବେଳେ କି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ୍ ମାର୍ଚ୍ଚ ୪ ଓ ଦ୍ଵିତୀୟ ସେମି ଫାଇନାଲ୍ ୫ ତାରିଖରେ ଖେଳାଯିବ । ଏହାର ଠିକ୍ ପରେ ପରେ ମାର୍ଚ୍ଚ ୧୪ରେ ଆଇପିଏଲ୍ ଆରମ୍ଭ ହେବାର ଥିଲା । ଏଭଳି ହୋଇଥିଲେ ଖେଳାଳି ଅଧିକ ସମୟ ବିଶ୍ରାମ ପାଇ ନଥାନ୍ତେ । ଏହାଛଡ଼ା ଆଇପିଏଲ୍ ଖେଳୁଥିବା ଅଧିକାଂଶ ବିଦେଶୀ ଖେଳାଳି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଓ ୟୁଏଇରେ ଥିବେ । ତେଣୁ ସେମାନଙ୍କୁ ବିଶ୍ରାମ ମିଳିବ ନାହିଁ । ତେବେ ଆଇପିଏଲ୍ ଆରମ୍ଭ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ କି ଖେଳ ସୂଚି ମଧ୍ୟ ଜାରି କରାଯାଇ ନାହିଁ ।