ବିରାଟଙ୍କ ଶତକକୁ ଫିକା କରିଦେଇଛନ୍ତି ଜୋସ୍ ବଟଲର୍

ଅର୍ଗସ ବ୍ୟୁରୋ: ବିରାଟ କୋହଲିଙ୍କ ଶତକକୁ ଫିକା କରିଦେଇଛନ୍ତି ଇଂଲିସ ବ୍ୟାଟର ଜୋସ୍ ବଟଲର୍। ଆର୍ସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନ୍ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍ ଜିତିନେଇଛି। ବଟଲର୍ ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଛନ୍ତି। ଫଳରେ ରାଜସ୍ଥାନ ଲଗାତାର ୪ ମ୍ୟାଚ୍ ଜିତି ୮ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିଛି। ଆର୍ସିବି ହ୍ୟାଟ୍ରିକ୍ ପରାଜୟ ପାଇ ଅଷ୍ଟମ ସ୍ଥାନରେ ସଂଘର୍ଷ ଜାରି ରଖିଛି। ତେବେ ଆଇପିଏଲ୍ରେ ଆର୍ସିବି ବ୍ୟାଟର୍ ବିରାଟ କୋହଲି ନୂଆ ମାଇଲ୍ଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍ ଇତିହାସରେ ସର୍ବାଧିକ ସ୍କୋରର୍ ହୋଇସାରିଥିବା କୋହଲି ଶନିବାର ୭୫୦୦ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି।
ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଆଇପିଏଲ୍ର ଅଷ୍ଟମ ଶତକ ଅର୍ଜନ କରିବା ସହ ୭୨ ବଲ୍ରୁ ୧୧୩* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। କିନ୍ତୁ ଯେତେବେଳେ ସେ ୩୪ ରନ୍ କରିଥିଲେ, ସେତେବେଳେ ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ତାଙ୍କର ମୋଟ୍ ରନ୍ ୭୫୭୯ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଇପିଏଲ୍ରେ ଛକା ମାରିବାରେ ସେ ସିଏସ୍କେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ଶନିବାର ମ୍ୟାଚ୍ ପୂର୍ବରୁ କୋହଲି ଧୋନିଙ୍କ ସମକକ୍ଷ (୨୪୨) ହୋଇଥିଲା ବେଳେ ଏହି ମ୍ୟାଚ୍ରେ ସେ ୪ ଛକା ଓ ୧୨ ଚୌକା ମାରିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର: