ଲର୍ଡ୍ସ ଟେଷ୍ଟର ଅକୁହା କଥା: ଭାରତ ପରାଜୟର ଥିଲେ ୪ଜଣ ଭିଲେନ

Key Points
ଭାରତ ପରାଜୟର ଥିଲେ ୪ଜଣ ଭିଲେନ
ତୃତୀୟ ଟେଷ୍ଟରେ ଭାରତ ୨୨ ରନରେ ପରାଜିତ ହୋଇଛି
ବିଜୟ ସହ ଇଂଲଣ୍ଡ ସିରିଜ୍ରେ ୨-୧ରେ ଆଗୁଆ ଅଛି
କ୍ରିକେଟର ମକ୍କା ଲର୍ଡ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତ ୨୨ ରନରେ ପରାଜିତ ହୋଇଛି। ବିଜୟ ସହ ଇଂଲଣ୍ଡ ସିରିଜ୍ରେ ୨-୧ରେ ଆଗୁଆ ଅଛି। ଭାରତୀୟ ଦଳକୁ ୧୯୩ ରନର ଟାର୍ଗେଟ ଥିଲା। ହେଲେ ଟପ୍ ଅର୍ଡର ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଭାରତ ଜିତିବା ମ୍ୟାଚ୍କୁ ହାରି ଯାଇଛି। ରବୀନ୍ଦ୍ର ଜାଡ଼େଜା ଏକା ସଂଘର୍ଷ କରି ୬୧ ରନର ଇନିଂସ ଖେଳିଛନ୍ତି।
୮୨ ରନରେ ୭ ଓ୍ଵିକେଟ୍ ପତ୍ତନ ପରେ ବି ଜାଡ଼େଜା ଯେଉଁଭଳି ଭାବେ ବୁମରା ଓ ସିରାଜଙ୍କୁ ସାଥୀ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ, ତାହା ପ୍ରଶଂସାର ଯୋଗ୍ୟ। ତାଙ୍କର ଏହି ଇନିଂସ କୌଣିସ ଯୋଦ୍ଧାଠୁ କମ ନ ଥିଲା। ଶେଷରେ ଭାରତ ପରାଜିତ ହୋଇଛି। ତେବେ ଲର୍ଡ୍ସରେ ଭାରତୀୟ ଦଳର ପରାଜୟ କାହିଁକି ହେଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟତଃ ଚାରୋଟି କାରଣ ପାଇଁ ଇଣ୍ଡିଆ ଏହି ମ୍ୟାଚ ହାରିଗଲା
ତେବେ ପ୍ରଥମ କଥା ହେଲା ଲର୍ଡସ୍ ପରୀକ୍ଷାରେ ବିଫଳ ହେଲେ ଜୟସ୍ୱାଲ
ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଏପର୍ଯ୍ୟନ୍ତ ସିରିଜର ଚାରୋଟି ଇନିଂସରେ ୨୨୦ ରନ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ। ଏବେ ଲର୍ଡସ୍ ଟେଷ୍ଟର ପାଳି ଥିଲା, ଯେଉଁଠାରେ ପିଚ୍ ବଡ଼ ବଡ଼ ବ୍ୟାଟରଙ୍କ ପାଇଁ ଅଗ୍ନିପରୀକ୍ଷା ପାଲଟିଥାଏ। ଜୟସ୍ୱାଲ ଏହି ପରୀକ୍ଷାରେ ବିଫଳ ହୋଇଥିଲେ କାରଣ ସେ ଲର୍ଡସ୍ ଟେଷ୍ଟର ଉଭୟ ଇନିଂସରେ କେବଳ ୧୩ ରନ କରିପାରିଥିଲେ। ତାଙ୍କର ବିଫଳତା ଅନ୍ୟ ଭାରତୀୟ ବ୍ୟାଟର ଉପରେ ଚାପ ସୃଷ୍ଟି କରିଥିଲା।
ନାଇଟଓ୍ଵାଚମ୍ୟାନ ନିଷ୍ପତ୍ତି ଭୁଲ୍ ଥିଲା
ଚତୁର୍ଥ ଦିନ ଖେଳରେ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ୧୯୨ ରନରେ ଅଲଆଉଟ୍ ହୋଇଥିଲା। ଲର୍ଡସର ପିଚ୍ ବ୍ୟାଟିଂ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ମାତ୍ର ୫୮ ରନ କରିଥିଲା। ପ୍ରାରମ୍ଭିକ ତିନୋଟି ୱିକେଟ ଖସିବା ପରେ, ଟିମ୍ ଇଣ୍ଡିଆ ଆକାଶଦୀପଙ୍କୁ ନାଇଟ୍ ଓ୍ଵାଚମ୍ୟାନ ଭାବରେ ବ୍ୟାଟିଂ କରିବାକୁ ପଠାଇଥିଲା, ଯିଏ ଦିନର ଶେଷ ଓଭରରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ନାଇଟ୍ ଓ୍ଵାଚମ୍ୟାନପଠାଇବା ପ୍ରମାଣ କରିଥିଲା ଯେ ଟିମ୍ ଇଣ୍ଡିଆ ଆତ୍ମରକ୍ଷା ମୋଡକୁ ଆସିଛି। ଚତୁର୍ଥ ଦିନ ଶେଷରେ ଋଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ କିମ୍ବା ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ବ୍ୟାଟିଂ ପାଇଁ ପଠାଯାଇପାରିଥାନ୍ତା। ଚତୁର୍ଥ ଦିନ ଇଂଲଣ୍ଡର ବୋଲରମାନେ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇବା ଆରମ୍ଭ କରିଥିଲେ। ଏହାର ମୁକାବିଲା ପାଇଁ ଭାରତକୁ ଜଣେ ବ୍ୟାଟରଙ୍କୁ ବ୍ୟାଟିଂ ପାଇଁ ପଠାଇବା ଉଚିତ ହୋଇଥାନ୍ତା। ଯାହାକି ହୋଇପାରିଲାନି।
ଚାପରେ ଥିଲେ ଇଣ୍ଡିଆର ଯୁବ କ୍ୟାପଟେନ ଶୁଭମନ ଗିଲ
ଏହା ସତକଥା ଯେ, ଯେ ଯଦି ଦଳର କ୍ୟାପଟେନ କନଫିଡେଣ୍ଟ ଥାଆନ୍ତି, ତେବେ ସେହି ଦଳର ଅନ୍ୟ ଖେଳାଳିମାନେ କନଫିଡେଣ୍ଟ ଦେଖାଯାଆନ୍ତି। କିନ୍ତୁ ଲର୍ଡସ୍ ଟେଷ୍ଟରେ, କ୍ୟାପଟେନ ଶୁଭମନ ଗିଲ୍ ପ୍ରେସରରେ ଦେଖାଯାଉଥିଲେ, ଯିଏ ଉଭୟ ଇନିଂସରେ ମିଶି ମାତ୍ର ୨୨ ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ, ଗିଲ୍ ୯ଟି ବଲ୍ ସାମ୍ନା କରିଥିଲେ, ଯେଉଁଥିରେ ସେ ଅଧାରୁ ଅଧିକ ବଲ୍ ଠିକରେ ଖେଳି ପାରି ନ ଥିଲେ।
ଟେଷ୍ଟରେ କରୁଣ ନାୟର ବାରମ୍ବାର ବିଫଳ
ଦୀର୍ଘ ୮ ବର୍ଷ ପରେ ଟେଷ୍ଟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିବା କରୁଣ ନାୟର ବାରମ୍ବାର ବିଫଳ ହେବା ଭାରତୀୟ ଦଳର ମଧ୍ୟକ୍ରମରେ ଚାପ ସୃଷ୍ଟି କରିଥିଲା। ସିରିଜର ୬ଟି ଇନିଂସରେ କରୁଣ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଯଦି ଲର୍ଡ୍ସ ଟେଷ୍ଟରେ ସେ ୪୦/୫୦ ରନ କରି ପାରିଥାନ୍ତେ ତେବେ ଦଳକୁ ଆଜି ଏମିତି ଦଶା ଭୋଗିବାକୁ ପଡ଼ି ନ ଥାନ୍ତା। ସର୍ବଦା ଭଲ ଆରମ୍ଭ କରି ଗୁରୁତ୍ଵପୂର୍ଣ୍ଣ ସମୟରେ କରୁଣ ନାୟର ଆଉଟ୍ ହେବା ଦଳକୁ ଏବେ ମହଙ୍ଗା ପଡ଼ିଛି। ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ କରୁଣ ୪୦ ରନ ଓ ଦ୍ଵିତୀୟ ଇନିଂସରେ ମାତ୍ର ୧୪ ରନ କରିଥିଲେ।