Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଲକ୍ଷ୍ନୌର ପ୍ରଥମ ବିଜୟ: ମ୍ୟାଚରେ ମୟଙ୍କ ଯାଦବଙ୍କ ଯାଦୁ

Ritu Das
Browse all articles by Ritu Das
·2 years ago·1 min read
ଲକ୍ଷ୍ନୌର ପ୍ରଥମ ବିଜୟ:  ମ୍ୟାଚରେ ମୟଙ୍କ ଯାଦବଙ୍କ ଯାଦୁ

ଅର୍ଗସ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ୨୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ଶେଷ ୧୦ ଓଭରରେ ମ୍ୟାଚ୍ ହାତଛଡ଼ା କରିଛି। ଅଧିନାୟକ ଶିଖର ଧାୱନଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୭୮ ରନ୍‌ରେ ଅଟକି ଯାଇଛି। ଅନ୍ୟପକ୍ଷରେ ପଦାର୍ପଣକାରୀ ଦ୍ରୁତ ବୋଲର ମୟଙ୍କ ୟାଦବ ୩ ୱିକେଟ୍ ନେଇ ଲକ୍ଷ୍ନୌର ପଏଣ୍ଟ ଖାତା ଖୋଲିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

ପ୍ରଥମ ୱିକେଟ୍‌ରେ ଧାୱନ (୭୦) ଓ ଜନି ବେୟାରଷ୍ଟୋ (୪୨) ୧୦୨ ରନ୍ ଯୋଡ଼ିଥିଲେ। ହେଲେ ପରବର୍ତ୍ତୀ ବ୍ୟାଟର୍‌ଙ୍କ ବେପରୁଆ ବ୍ୟାଟିଂ ପାଇଁ ପଞ୍ଜାବ ୩୯ ରନ୍‌ରେ ୫ ୱିକେଟ୍ ହରାଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା‌ କରିଥିଲା। ୧୧.୩ ଓଭର ପର୍ଯ୍ୟନ୍ତ ୱିକେଟ୍‌ଟିଏ ପାଇଁ ସଂଘର୍ଷ କରିଥିବା ଲକ୍ଷ୍ନୌ, ମୟଙ୍କ ୟାଦବଙ୍କ ଯାଦୁରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶନିବାର ଚଳିତ ଋତୁର ଦ୍ରୁତତମ ବଲ୍ ପକାଇଥିବା ୨୧ ବର୍ଷୀୟ ମୟଙ୍କ ବିପଜ୍ଜନକ ବେୟାରଷ୍ଟୋଙ୍କୁ ମାର୍କସ ଷ୍ଟୋଇନିସଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପରେ ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍ ସିଂହ ଓ ଜିତେଶ ଶର୍ମାଙ୍କୁ ଆଉଟ୍ କରି ପଞ୍ଜାବର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। 
ବଢ଼ିବଢ଼ି ଚାଲିଥିବା ରନ୍ ହାରକୁ ନିୟନ୍ତ୍ରଣରେ ରଖିବା ପ୍ରୟାସରେ ଧାୱନ ଆଉଟ୍ ହେବା ପରେ ଏକଦା ଦୃଢ଼ ସ୍ଥିତିରେ ଥିବା ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟାର୍ଦ୍ଧରେ ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ମୟଙ୍କଙ୍କ ସହ ମୋହସିନ ଖାନ୍ (୨/୩୪) ଠିକଣା ସମୟରେ ପଞ୍ଜାବର ଦୁଇ ବ୍ୟାଟର୍‌ଙ୍କୁ ଆଉଟ୍ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lucknow's first win | Argus News