ଏଇ ନିପଟ ଗାଁ ପଡ଼ିଆରୁ ବାହାରିଛନ୍ତି ଅନେକ ଜାତୀୟ-ଅନ୍ତର୍ଜାତୀୟ ଖେଳାଳି !

ଅର୍ଗସ ବ୍ୟୁରୋ: ଯାହାକୁ ଓଡ଼ିଶା ଫୁଟବଲର ଏନ୍ତୁଡ଼ିଶାଳ କୁହାଯାଉଛି, ତାକୁ ସଜାଡ଼ିବାକୁ କେହି ନାହିଁ । ତାର ଦାୟିତ୍ବ ନେବାକୁ କାହାର ଆଗ୍ରହ ନାହିଁ । ଯେଉଁମାଟି ରାଜ୍ୟ ତଥା ଦେଶକୁ ଅନେକ ବଡ଼ ବଡ଼ ଫୁଟବଲ ଖେଳାଳି ଭେଟି ଦେଇଛି, ସେଇ ମାଟି ଏବେ ସବୁଠାରୁ ବେଶି ଅବହେଳିତ ।
ଓଡ଼ିଶା ମହିଳା ଫୁଟବଲର ଏନ୍ତୁଡ଼ିଶାଳ କହିଲେ ବରଗଡ଼ ଜିଲ୍ଲାର କଦଳୀପାଲି ବୁଝାଏ । ଏହି ଗାଁ ଆଉ ଏହି ଗାଁର ପଡ଼ିଆ ବଡ଼ ବଡ଼ ଖେଳାଳିଙ୍କୁ ତିଆରି କରିଛି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଗଢ଼ି ତୋଳିଛି । ସେହି ଗାଁ ପଡ଼ିଆରୁ ବାହାରି ଅନେକ ଖେଳାଳି ବିଦେଶରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଗୋଟେ ନିପଟ ମଫସଲ ଗାଁର ଏହି ପଡ଼ିଆ ଅନେକ ମହିଳା ଖେଳାଳିଙ୍କ ଡେଣାରେ ପର ଯୋଡିଛି। ହେଲେ ଏମାନଙ୍କ ଉଡ଼ାଣକୁ ଅଧାରେ ଅଟକାଇଛି ପ୍ରଶାସନର ଉଦାସୀନତା ଆଉ ଭିତ୍ତିଭୂମିର ଅଭାବ । ଯେଉଁଥିପାଇଁ ବଣ ମଲ୍ଲୀ ବଣରେ ହିଁ ଝାଉଁଳି ଯାଉଛି ।
ସେମିତି ଜଣେ ବଣ ମଲ୍ଲୀ ହେଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କଦଳୀପାଲି ଗାଁର ଉଲାସା ମିର୍ଦ୍ଧା। ଜଣେ ଜାତୀୟସ୍ତରର ଫୁଟବଲ୍ ଖେଳାଳି। ଦିନେ ୟାଙ୍କ କିକର ସାମ୍ନା କରିବାକୁ ଭୟ କରୁଥିଲେ ବିପକ୍ଷ ଦଳର ଗୋଲକିପର୍। ହେଲେ ଏବେ ସେ ନିଜ ସ୍ବପ୍ନରେ ଶିକୁଳି ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି । କାରଣ ତାଙ୍କୁ ସଠିକ୍ ସମୟରେ ମିଳିଲାନି ସୁଯୋଗ ।
ଉଲାସାଙ୍କ ଭଳି ଏମିତି ଅନେକ ବଣ ମଲ୍ଲୀ ଅଛନ୍ତି ଯେଉଁ ସେଇ ପଡ଼ିଆରୁ ଖେଳ ସାରି ଏବେ କେବଳ ଘରକୁ ଫେରୁଛନ୍ତି । ହେଲେ ଗାଁ ବାହାରକୁ ବି ଯାଇପାରୁ ନାହାନ୍ତି । ଆଉ ଯେଉଁମାନେ ବି କଷ୍ଟେମଷ୍ଟେ ବାହାରକୁ ଯାଉଛନ୍ତି, ପ୍ରୋତ୍ସହନ ଅଭାବରୁ ସେମାନେ ଅଧା ରାସ୍ତାରେ ଅଟକି ଯାଉଛନ୍ତି । ପୁଣି ଘରକୁ ଫେରି ଆସୁଛନ୍ତି । ଫୁଟବଲ ଖେଳର ସ୍ବପ୍ନ ଅଧାରେ ରହିଯାଉଛି ।
ଗାଁ ଲୋକଙ୍କ କହିବା କଥା, ଏହି ଗାଁ ପଡ଼ିଆରେ ଖେଳି ଜଣେ ଅନ୍ତର୍ଜାତୀୟ, ୧୧ ଜଣ ଜାତୀୟ ଓ ୬୨ ଜଣ ରାଜ୍ୟସ୍ତରରେ ନିଜ ପ୍ରତିଭା ଦେଖାଇସାରିଛନ୍ତି। ନିକିତା ବିଶି, ତରସା ମିର୍ଦ୍ଧା, ମୁସ୍କାନ ପୋଢ଼, ସ୍ବପ୍ନ ଖମାରୀ, ଅନିସା କୁମ୍ଭାର ଏମିତି ଅନେକ ନାଁ ଜାତୀୟସ୍ତରର ଫୁଟବଲର୍ ବନିସାରିଛନ୍ତି। ହେଲେ କିଛିବାଟ ଗଲା ପରେ ଏମାନଙ୍କ ସ୍ୱପ୍ନ ଆଗରେ ପ୍ରାଚୀର ହୋଇ ଛିଡ଼ା ହୋଇଯାଏ ଭିତ୍ତିଭୂମିର ଅଭାବ।
ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବରଗଡ଼ ଜିଲ୍ଲାରେ କେବଳ ଏହି ଗୋଟିଏ ଗାଁରେ ହିଁ ମହିଳା ଫୁଟବଲରଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଆଉ ଏମାନଙ୍କୁ ଫୁଟବଲ ଖେଳ ଶିଖାଇବା ସହ ଜର୍ସି ଆଉ ଜୋତା, ସବୁ କିଛିର ବ୍ୟବସ୍ଥା କରିଥାନ୍ତି ସମ୍ପୂର୍ଣ୍ଣ ଭୋଇ । ଶ୍ରୀ ଭୋଇ ଦୀର୍ଘ ୧୫ ବର୍ଷ ହେବ ଏଠାରେ ମହିଳାଙ୍କୁ ଫୁଟବଲ ଖେଳର ତାଲିମ ଦେଇ ଆସୁଛନ୍ତି ।
ହେଲେ ଭିତ୍ତିଭୂମିର ଅଭାବ ଧୀରେ ଧୀରେ ତାଙ୍କ ମନୋବଳକୁ ମଧ୍ୟ ଦୁର୍ବଳ କରିବାରେ ଲାଗିଛି । କାରଣ ଏଠାରେ ପଡ଼ିଆର ଅବସ୍ଥା ଆଉ ଭଲ ନାହିଁ । ଖେଳାଳିଙ୍କ ପାଇଁ କିଛି ସୁବିଧା ନାହିଁ । ପ୍ରଶାସନ ବି ଦେଉନି ଗୁରୁତ୍ବ । ଗୁହାରି କଲେ ବି କେହି କିଛି ଶୁଣୁନାହାନ୍ତି । ପଡ଼ିଆରେ ନା ଆଛି ପାଚେରୀ ନା ଅଛି ଏହି ଝିଅ ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା।
ଖେଳାଳି ଓ ଖେଳ ପ୍ରେମୀଙ୍କ କହିବା କଥା ଏଠାରେ ଗୋଟିଏ ଫୁଟବଲ ଏକାଡେମୀ ସ୍ଥାପିତ ହେଲେ ଏଠାକାର ମହିଳା ଖେଳାଳିଙ୍କ ପାଇଁ ବରଗଡ଼ରୁ ଅନ୍ତର୍ଜାତୀୟସ୍ତରର ରାସ୍ତା ଆଉ ଟିକେ ସହଜ ହୋଇପାରିବ । ବଣ ମଲ୍ଲୀ ଆଉ ବଣ ଝାଉଁଳିବନି ।