Videos
|
Sports

CommonwealthGames / ଇତିହାସ ରଚିଲେ ମୀରାବାଈ ଚାନୁ…ଲଗାତାର ତୃତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ୱର୍ଣ୍ଣ

Ritu Das
Browse all articles by Ritu Das
·1 hour ago·2 min read
ଇତିହାସ ରଚିଲେ ମୀରାବାଈ ଚାନୁ…ଲଗାତାର ତୃତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ୱର୍ଣ୍ଣ
India

Key Points

ମହିଳା ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଲଗାତାର ତିନୋଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଲ୍ଡ ଜିତିବାରେ ପ୍ରଥମ ଭାରତୀୟ ଭାରୋତ୍ତୋଳକ ହେଲେ
ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଈ ଚାନୁଙ୍କ ସଫଳତା। ମହିଳା ୪୮ କିଲୋଗ୍ରାମ ବର୍ଗରେ ଚାମ୍ପିଅନ୍‌ ହୋଇ ଭାରତ ପାଇଁ ଖୋଲିଲେ ସ୍ୱର୍ଣ୍ଣ ପଦକ ଖାତା। ୩୧ ବର୍ଷୀୟା ମୀରାବାଈ ଚାନୁ ରବିବାର ଦିନ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସ୍ତରୀୟ ଓଜନ ଉଠାଇ ମହିଳା ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ନିଜ ନାଁରେ କରି ସାରିଛି। ଚାନୁ ଲଗାତାର ତିନୋଟି ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଭାରୋତ୍ତୋଳକ ହୋଇଛନ୍ତି। ସେ ଇତିହାସ ରଚିଛନ୍ତି । ୨୦୧୮ ଓ ୨୦୨୨ ଓ ୨୦୨୬ ରେ ଚାନୁ ପୂରା ବିଶ୍ୱରେ ତ୍ରିରଙ୍ଗା ଉଡ଼ାଇଛନ୍ତି।

ମୀରାବାଈ ଚାନୁ ସ୍ନାଚରେ ୮୫ କିଲୋଗ୍ରାମ ଓଜନ ଉଠାଇ ରାଜ୍ୟଗୋଷ୍ଠୀ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଭୟ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରି ଥିଲେ। ଏହାପରେ କ୍ଲିନ୍‌ ଆଣ୍ଡ ଜର୍କରେ ୧୦୫ କିଲୋଗ୍ରାମ ଓଜନ ଉଠାଇ ଆଉ ଏକ ନୂଆ ରେକର୍ଡ ସହ ମୋଟ ୧୯୦ କିଲୋଗ୍ରାମ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଈ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ପାଇ ଥିଲେ।୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ନିଜ ନାମରେ କରି ସାରିଛି। ଋଷିକାନ୍ତ ସିଂହ ୬୦ କିଲୋଗ୍ରାମ ୱେଟଲିଫ୍ଟିଂ ବର୍ଗରେ ରୌପ୍ୟ ପଦକ ଜିତିଥିବା ବେଳେ ଝଣ୍ଡୁ କୁମାର ପୁରୁଷ ହେଭିୱେଟ୍‌ ପାରା-ଲିଫ୍ଟିଂରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ମୀରାବାଈ ଚାନୁ ୪୮ କିଲୋଗ୍ରାମ ୱେଟଲିଫ୍ଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତୀୟ ଭାରୋତ୍ତୋଳକମାନେ ୧୯୯୦, ୨୦୦୨, ୨୦୧୮ ଏବଂ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶର ମାନ୍ୟତା ହାସଲ କରି ଥିଲେ। ମୋଟ ୧୩୩ ଟି ପଦକ (୪୬ଟି ସ୍ୱର୍ଣ୍ଣ) ସହ ଭାରତ ଏହି ପ୍ରତିଯୋଗିତାର ଇତିହାସରେ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସଫଳତମ ଦେଶ। ୨୦୨୨ ବର୍ମିଂହାମ୍ ଗେମ୍ସରେ ଭାରତ ୩ଟି ସ୍ୱର୍ଣ୍ଣ ଏବଂ ୩ଟି ରୌପ୍ୟ ସହ ମୋଟ ୧୦ଟି ପଦକ ଜିତି ପଦକ ତାଲିକାର ଶୀର୍ଷରେ ଥିଲା। ଏହି କ୍ରମରେ ଗ୍ଲାସଗୋରେ ମଧ୍ୟ ଦଳ ଠାରୁ ଆଉ ଏକ ଦମଦାର ପ୍ରଦର୍ଶନର ଆଶା କରାଯାଉଛି।

ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଏବଂ ଅଲିମ୍ପିକ୍‌ ରୌପ୍ୟ ବିଜେତା ଚାନୁଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ହେଉଛି ୨୦୫ କିଲୋଗ୍ରାମ (ସ୍ନାଚ୍‌ ୮୯ କିଗ୍ରା ଓ କ୍ଲିନ୍‌ ଆଣ୍ଡ ଜର୍କ ୧୧୬ କିଗ୍ରା), ଯାହାକି ୪୮ କିଲୋଗ୍ରାମ ବର୍ଗର ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଭାରତ ଗ୍ଲାସଗୋରେ ଏପର୍ଯ୍ୟନ୍ତ ମୋଟ ତିନୋଟି ପଦକ ଜିତି ସାରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored