ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: କ୍ୟାପଟେନ କୁଲ ଟ୍ରେଡମାର୍କ ପାଇଁ କଲେ ଆବେଦନ

Key Points
ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି
କ୍ୟାପଟେନ କୁଲ ଟ୍ରେଡମାର୍କ ପାଇଁ କଲେ ଆବେଦନ
ଧୋନୀ ଏହି ଟ୍ରେଡ୍ମାର୍କ ପଞ୍ଜିକରଣ କରିଛନ୍ତି
ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୋକପ୍ରିୟ ନାଁ 'କ୍ୟାପ୍ଟେନ କୁଲ୍' ଉପରେ ଆଇନତଃ ଅଧିକାର ପାଇପାରନ୍ତି । ଧୋନୀ କିଛି ଦିନ ପୂର୍ବେ 'କ୍ୟାପ୍ଟେନ କୁଲ୍' ନାଁ ପାଇଁ ଟ୍ରେଡ୍ମାର୍କ ପଞ୍ଜିକରଣ ଆବେଦନ କରିଥିଲେ, ଯାହାକୁ ଏବେ ଅନୁମୋଦନ କରାଯାଇଛି । ଖେଳ ପ୍ରଶିକ୍ଷଣ, ପ୍ରଶିକ୍ଷଣ ସୁବିଧା ଓ ସ୍ପୋର୍ଟ୍ସ କୋଚିଂ ସେବା ପାଇଁ କ୍ଲାସ୍ ୪୧ ଅଧିନରେ ଧୋନୀ ଏହି ଟ୍ରେଡ୍ମାର୍କ ପଞ୍ଜିକରଣ କରିଛନ୍ତି । ଏହି ଟ୍ରେଡ୍ମାର୍କ ତାଙ୍କ ନାଁକୁ ଆଇନର ସୁରକ୍ଷା ଦେବା ସହ ତାଙ୍କ ବ୍ରାଣ୍ଡ ଭେଲ୍ୟୁ ଓ ପରିଚୟକୁ ମଧ୍ୟ ମଜଭୁତ କରିବ।
ଧୋନୀଙ୍କଠାରୁ ଏ ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ମିଳି ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରଭା ସ୍କିଲ ସ୍ପୋର୍ଟସ (ଓପିସି) ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ପୂର୍ବରୁ ଏହି ଲୋକପ୍ରିୟ ନାମ ପାଇଁ ଟ୍ରେଡମାର୍କ ଆବେଦନ କରିଥିଲା, କିନ୍ତୁ ତାହାର ସ୍ଥିତି ‘ସଂଶୋଧନ ଦାଖଲ’ ରହିଛି। ଚଳିତ ମାସ ଆରମ୍ଭରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ସହ ୨୦୨୫ ପାଇଁ ଆଇସିସି ହଲ୍ ଅଫ ଫେମରେ ସାମିଲ କରାଯାଇଛି। ଆଇସିସି ଧୋନୀଙ୍କୁ ତାଙ୍କର ଶାନ୍ତ ମନୋଭାବ, ଅସାଧାରଣ ନେତୃତ୍ୱ ଓ କ୍ରୀଡ଼ାରେ ଦୀର୍ଘସ୍ଥାୟୀ ଯୋଗଦାନ ପାଇଁ ପ୍ରଶଂସା କରିଛି। ସେ କେବଳ ସଂଖ୍ୟାରେ ନୁହେଁ, ବରଂ ସ୍ଥିରତା, ଫିଟନେସ ଓ କ୍ଷୁରଧାର କୌଶଳ ଦ୍ୱାରା କ୍ରିକେଟ ଜଗତରେ ଏକ ଅମାପ ଛାପ ଛାଡ଼ିଛନ୍ତି।