ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ସାଥ୍ ଦେଲାନି ପ୍ରକୃତି !

Key Points
ରାୱଲପିଣ୍ଡିରେ ହେବାକୁ ଥିବା ମ୍ୟାଚ୍କୁ ବର୍ଷା ଧୋଇ ନେଇଛି । ବର୍ଷା ପାଇଁ ଟସ୍ ପଡ଼ି ନ ପାରି ମ୍ୟାଚ୍ ବାତିଲ୍ ହୋଇଛି ।
ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ଆୟୋଜକ ପାକିସ୍ତାନ ହାରି ହାରି ବିଦାୟ ନେଇଛି । ଆଜି ଚାମ୍ପିଅନ୍ସ ଟ୍ରଫିର ନବମ ମ୍ୟାଚ୍ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାର ଥିଲା । ତେବେ ରାୱଲପିଣ୍ଡିରେ ହେବାକୁ ଥିବା ମ୍ୟାଚ୍କୁ ବର୍ଷା ଧୋଇ ନେଇଛି । ବର୍ଷା ପାଇଁ ଟସ୍ ପଡ଼ି ନ ପାରି ମ୍ୟାଚ୍ ବାତିଲ୍ ହୋଇଛି ।
ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ଏକ ଏକ ପଏଣ୍ଟ ମିଳିଛି । ଉଭୟ ଟିମ୍ ପୂର୍ବରୁ ହିଁ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍ ରେସ୍ରୁ ବାଦ୍ ପଡ଼ିଥିଲେ । ଏହା ପୂର୍ବରୁ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ଲାଗି ଅଷ୍ଟ୍ରେଲି ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ମଧ୍ୟ ବାତିଲ୍ ହୋଇଥିଲା ।
ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ଏରେ ଭାରତ, ନ୍ୟୁଜିଲାଣ୍ଡ ସହିତ ବାଂଲାଦେଶ ଓ ପାକିସ୍ତାନ ରହିଥିଲେ । ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ପାଇଁ ସ୍ଥାନ ପକ୍କା କରି ସାରିଥିବା ବେଳେ କିଏ ଗ୍ରୁପ୍-ଏର ପ୍ରଥମ ସ୍ଥାନରେ ରହିବ ମାର୍ଚ୍ଚ ୨ରେ ନିର୍ଣ୍ଣୟ ହେବ । ଗ୍ରୁପ୍-ଏରେ ଥିବା ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ୍ ଜିତି ପ୍ରଥମରେ ଥିବା ବେଳେ ଭାରତ ବି ୨ଟି ମ୍ୟାଚ୍ ଜିତି ଦ୍ଵିତୀୟରେ ରହିଛି । ଉଭୟ ଦଳ ୪ ପଏଣ୍ଟ ଲେକାଏଁ ପାଇଥିବା ବେଳେ ଭାରତ ତୁଳନାରେ ନ୍ୟୁଜିଲାଣ୍ଡର ରନ୍ ରେଟ୍ ଅଧିକ ରହିଛି ।
📱 Get Argus News App
✨ଯେତେବେଳେ କି ଗ୍ରୁପ୍-ଏରେ ଥିବା ବାଂଲାଦେଶ ତୃତୀୟ ସ୍ଥାନରେ ଥିବା ବେଳେ ପାକିସ୍ତାନ ଚତୁର୍ଥ ସ୍ଥାନରେ ଅଛି । ଦୁଇ ଦଳ ଏକ ଏକ ପଏଣ୍ଟ ପାଇଥିବା ବେଳେ ଭଲ ରନ୍ ରେଟ୍ ପାଇଁ ବାଂଲାଦେଶ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ରହିଛି । ଉଭୟ ପାକିସ୍ତାନ ଓ ବାଂଲାଦେଶ କୌଣସି ବିଜୟ ବିନା ଚାମ୍ପିଅନ୍ସ ଟ୍ରଫିରୁ ବାହାର ହୋଇ ଯାଇଛନ୍ତି ।
ପ୍ରଥମ ମୁକାବିଲାରେ ବାଂଲାଦେଶ, ଭାରତ ଠାରୁ ୬ ୱିକେଟ୍ରେ ହାରିଥିଲା । ପରେ ବାଂଲାଦେଶକୁ ୫ ୱିକେଟରେ ହରାଇଥିଲା ନ୍ୟୁଜିଲାଣ୍ଡ । ଅନ୍ୟପଟେ ନ୍ୟୁଜିଲାଣ୍ଡ ସହ ପ୍ରଥମ ମୁକାବିଲାରେ ପାକିସ୍ତାନର ୬୦ ରନ୍ରେ ପରାଜିତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ରେ ପାକିସ୍ତାନକୁ ଭାରତ ୬ ୱିକେଟ୍ରେ ମାତ୍ ଦେଇଥିଲା । ଏବେ ବାଂଲାଦେଶ-ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ବର୍ଷା ଧୋଇ ନେବା ଆୟୋଜକ ପାକିସ୍ତାନକୁ ବଡ଼ ଝଟ୍କା ଦେଇଛି ।