India vs Pakistan / ICC ନିକଟରେ ଭାରତୀୟ ଟିମ୍ ନାଁରେ ଅଭିଯୋଗ ଦାଖଲ କରିବେ ନକ୍ଭୀ

Key Points
ଏଥର ବି ହଟହଟା ହେଲେ ନକ୍ଭୀ । ACC ସଭାପତି ମୋହସିନ ନକଭି ରବିବାର ପୁଣି ବିଶ୍ୱ ଦରବାରରେ ହଟହଟା ହୋଇଛନ୍ତି । ସେ ସେମିତି ଷ୍ଟେଜ୍ ଉପରେ ଛିଡ଼ା ହୋଇଥିଲେ, ଆଉ ଭାରତୀୟ ଖେଳାଳି ତାଙ୍କୁ ଇଗ୍ନୋର କରିଥିଲେ । ରନର୍ସ ଅପ୍ ଟ୍ରଫି ଗ୍ରହଣ କରିବାକୁ ମଞ୍ଚରେ ଚଢ଼ିଲାନି ଭାରତୀୟ ଟିମ୍ । ମଞ୍ଚକୁ ଚଢ଼ିଲେନି ଭାରତୀୟ ଖେଳାଳି କିନ୍ତୁ ପୋଡିୟମ ନିକଟରେ ICCର ଆସୋସିଏଟ୍ ସଦସ୍ୟ ନିର୍ଦ୍ଦେଶକ ମୁବାଶିର ଉସମାନିଙ୍କଠାରୁ ଗ୍ରହଣ କଲେ ପଦକ ।
ଭାରତୀୟ ଖେଳାଳିଙ୍କ ଏଭଳି ବ୍ୟବହାର ଯୋଗୁଁ ନକଭୀ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି । ସେ କହିଛନ୍ତି ICC ସମ୍ମୁଖରେ ଏକ ଅଭିଯୋଗ ଦାଖଲ କରିବେ । ଏମିତି ବ୍ୟବହାର ଖେଳାଳିଙ୍କ ପକ୍ଷେ ଶୋଭା ପାଉନାହିଁ । କ୍ରିକେଟ ଓ ପଲିଟିକ୍ସ ଦୁଇଟା ଯାକ ଅଲଗା ଅଲଗା ଜିନିଷ । ଖେଳରେ ରାଜନୀତି ପଶିବା ଅଦୌ ଗ୍ରହଣୀୟ ନୁହେଁ । ଫାଇନାଲ ମ୍ୟାଚ୍ରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ହିଁ ବିପକ୍ଷ ଖେଳାଳିଙ୍କୁ ଉସ୍କାଇବାକୁ ଚେଷ୍ଟା କରିଛନ୍ତି । ତେଣୁ ଏନେଇ ଏକ ବିଦ୍ଧିବଦ୍ଧ ଅଭିଯୋଗ କରାଯିବ ।
ଗତ ସେପ୍ଟେମ୍ବର ମାସରେ ହୋଇଥିବା ସିନିୟର ଏସିଆ କପରେ ଭାରତ ଚାମ୍ପିଅନ ହେବା ପରେ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା । ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଓ ବିବାଦ ଏବେ ବି ଜାରି ରହିଛି । ସେଇ ଟ୍ରଫି ଏବେ ସୁଦ୍ଧା ଭାରତ ହାତକୁ ଫେରିନାହିଁ । BCCIର ଚାପ ସତ୍ତ୍ବେ ନକଭି ଏବେ ବି ଟ୍ରଫିକୁ ଭାରତକୁ ପ୍ରଦାନ କରିନାହାନ୍ତି ।
ରବିବାର ୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ସେଥିରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତକୁ ୧୯୧ ରନ୍ରେ ପରାସ୍ତ କରିଛି ପାକିସ୍ତାନ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍ର ଏକ ବିଶାଳ ସ୍କୋର କରିଥିଲା । ୩୪୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଟିମ୍ ମଇଦାନକୁ ଓହ୍ଲାଇଥିଲା । ହେଲେ ଭାରତ ମାତ୍ର ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା । ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ।
ଭାରତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିବା ବେଳେ ଶେଷରେ ଏମିତି ଶୋଚନୀୟ ପ୍ରଦର୍ଶନ କରିବ ବୋଲି କେହି କେବେ ଭାବିନଥିଲେ । ତେବେ ଫାଇନାଲରେ ପରାଜୟ ପରେ ଭାରତ ରନର୍ସ ଅପ୍ ଟ୍ରଫି ଆଣିବା କଥା । କିନ୍ତୁ ପାକିସ୍ତାନର ମୋହସିନ୍ ନକ୍ଭୀଙ୍କଠାରୁ ଟିମ୍ ଟ୍ରଫି ଗ୍ରହଣ କଲାନି । ଯାହାଫଳରେ ପୁଣି ଥରେ ମଞ୍ଚ ଉପରେ ବେଜ୍ଜିତ ହେଲେ ନକଭୀ । ଆଉ ଏହାକୁ ନେଇ ଏବେ ପୁଣି ବିବାଦ ଆରମ୍ଭ ହୋଇଛି ।
ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ରନର୍ସ ଅପ୍ ପାଇଁ ଦଳର ଅଧିନାୟକ ଆୟୁଷ ମହାତ୍ରେ ଏବଂ ମୁଖ୍ୟ ପ୍ରଶିକ୍ଷକ ଋଷିକେଶ କାନିତକରଙ୍କଠାରୁ କୈଫତ ମଗାଯିବ । କ୍ରିକବଜ ଅନୁଯାୟୀ, ସୋମବାର (ଡିସେମ୍ବର ୨୨) ବୋର୍ଡର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ସଦସ୍ୟ ଅନୁଭବ କରିଛନ୍ତି ଯେ ଏଥିପାଇଁ ଏକ ସମୀକ୍ଷା ଆବଶ୍ୟକ।
ଫାଇନାଲରେ ବଏଜ ଇନ ବ୍ଲୁ ୧୯୧ ରନ୍ରେ ପାକିସ୍ତାନଠାରୁ ହାରିଥିଲା। ଏହା ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ଏକମାତ୍ର ପରାଜୟ ଥିଲା। ସେମାନେ ଗ୍ରୁପ ପର୍ଯ୍ୟାୟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଶେଷ ଚାମ୍ପିଅନମାନଙ୍କୁ ମଧ୍ୟ ପରାସ୍ତ କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ BCCI ଜାନୁଆରୀ-ଫେବୃଆରୀ ୨୦୨୬ରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ ପୂର୍ବରୁ ବିଚାର କରି ଯେକୌଣସି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଚାହୁଁଛି।
📱 Get Argus News App
✨Related Topics
Explore more stories