Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କୋଲକାତାକୁ ୨ ୱିକେଟ୍‌ରେ ହରାଇଲା ରାଜସ୍ଥାନ

Ritu Das
Browse all articles by Ritu Das
·2 years ago·2 min read
କୋଲକାତାକୁ ୨ ୱିକେଟ୍‌ରେ ହରାଇଲା ରାଜସ୍ଥାନ

ଅର୍ଗସ ବ୍ୟୁରୋ: ସୁନୀଲ ନାରାୟଣ (୫୬ ବଲ୍‌ରୁ ୧୦୯ ରନ୍‌)ଙ୍କ ଶତକକୁ ଫିକା କରିଦେଲା ଜୋସ୍ ବଟଲର୍‌ଙ୍କ ଶତକ (୬୦ ବଲ୍‌ରୁ ୧୦୭)। ଏଥି ସହ ଘରୋଇ କୋଲକାତା ନାଇଟ୍ ରାଇଡର୍ସକୁ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଶୀର୍ଷସ୍ଥାନ ଦୃଢ଼ କରିଛି। ସପ୍ତମ ମ୍ୟାଚ୍‌ରୁ ସଂଜୁ ସାମ୍‌ସନଙ୍କ ଦଳ ଷଷ୍ଠ ବିଜୟ ହାସଲ କରିଥିବା ବେଳେ କୋଲକାତା ଅଳ୍ପକେ ଶୀର୍ଷକୁ ଉଠିବାରୁ ବଞ୍ଚିତ ହୋଇଛି। ତଥାପି କୋଲକାତା ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛି। କୋଲକାତାର ୨୨୩ ରନ୍‌କୁ ପିଛା କରି ୧୩ ଓଭର ବେଳକୁ ୧୨୧/୬ରେ ସଂଘର୍ଷ କରିଥିଲା। କିନ୍ତୁ ରୋଭ୍‌ମାନ ପାୱେଲ ୧୩ ବଲ୍‌ରୁ ୨୬ ରନ୍ ଆଦାୟ କରିବା ପରେ ଅବଶିଷ୍ଟ କାମକୁ ଚତୁରତାର ସହ ଶେଷ କରିଥିଲେ ଇଂଲିସ୍ ବ୍ୟାଟର୍‌ ଜୋସ ବଟ୍‌ଲର।

ରନ୍ ପାଇଁ ସଂଘର୍ଷ କରୁଥିବା ଏହି ଶାନ୍ତ ସ୍ବଭାବର ଖେଳାଳି ୩୬ ବଲ୍‌ରୁ ୫୦ ଟପିଥିଲେ ମଧ୍ୟ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୧୯ ବଲ୍ ଖେଳିଥିଲେ। ଏଥି ସହ ୯ ନମ୍ବର ବ୍ୟାଟର୍‌ ‌ଆୱେସ ଖାନ୍ (୦)ଙ୍କୁ ବଲ୍ ଖେଳିବାକୁ ନ ଦେଇ ନବମ ୱିକେଟ୍ ପାଇଁ ଶେଷ ୧୫ ବଲ୍‌ରୁ ୩୮ ରନ୍ ଯୋଡ଼ି ବିଜୟ ଛଡ଼ାଇ ଆଣିଥିଲେ। 
ଶେଷ ଓଭର ବୋଲିଂ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଛକା ମାରି ଶତକ ପୂର୍ଣ୍ଣ କରିବା ସହ ଶେଷ ବଲରୁ ଏକ ରନ୍ ସଂଗ୍ରହ କରି ବଟଲର ମ୍ୟାଚ୍‌କୁ ଶେଷ କରିଥିଲେ। ଯଶସ୍ବୀ ଜୟସ୍ବାଲ, ରିୟାନ ପରାଗଙ୍କ ସହ ସଂଜୁ ସାମ୍‌ସନ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ପାୱେଲ ଓ ବଟଲର୍‌ଙ୍କ ପାଳି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ବଟ୍‌ଲର୍‌ ଚଳିତ ସିଜନ୍‌ରେ ଦ୍ବିତୀୟ ଶତକ ସହ ମୋଟ ଉପରେ ସପ୍ତମ ଶତକ ମାରି ଆଇପିଏଲ୍‌ ଅଗ୍ରଣୀ ତାଲିକାରେ ଦ୍ବିତୀୟକୁ ଉଠିଛନ୍ତି। ସେ କ୍ରିସ୍ ଗେଲ୍ (୬)ଙ୍କୁ ଅତିକ୍ରମ କରିଥିବାବେଳେ ଏବେ ଶୀ‌ର୍ଷରେ ଥିବା ବିରାଟ କୋହଲି (୮)ଙ୍କ ପଛରେ ପହଞ୍ଚିଯାଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajasthan royals | Argus News