ଦକ୍ଷିଣଆଫ୍ରିକାରେ ଶୁଭିଲା ରାମ ନାମ

ଅର୍ଗସ ବ୍ୟୁରୋ: କୁହାଯାଏ ଆଫ୍ରିକା ସହ ଭାରତର ସମ୍ପର୍କ ନିବିଡ଼। କେବେ ଭାରତ ଓ ଆଫ୍ରିକା ଗୋଟିଏ ଭୂ-ଭାଗର ଅଂଶବିଶେଷ ଥିଲେ। ତେବେ ଯାହା କ୍ରିକେଟ ପଡ଼ିଆରେ ଘଟିଲା ତାହା ସ୍ପଷ୍ଟ କରିଦେଲା ବସୁଧୈବ କୁଟୁମ୍ବକମ ନୀତିରେ ସାରା ବିଶ୍ବ ବାନ୍ଧି ହୋଇ ରହିଛି। ପବନପୁତ୍ର ହନୁମାନ ଅତ୍ର ତତ୍ର ସର୍ବତ୍ର ବେଶ ବନ୍ଦନୀୟ। କ୍ରିକେଟ ପଡ଼ିଆରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ସବୁଠି ଛାଇଯାଇଛି କେଶବଙ୍କ ଚର୍ଚ୍ଚା।
ତୃତୀୟ ଦିନିକିଆରେ ବିଜୟ ସହ ଦିନିକିଆ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୨-୧ରେ ମାତ୍ ଦେଇ ଭାରତ ଏହି ସିରିଜରେ ବିଜୟୀ ହୋଇଛି । ତେବେ ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ କରୁଥିବା ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ବ୍ୟାଟର କେଶବ ମହାରାଜ ପଡିଆକୁ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ପ୍ରଭୁ ଶ୍ରୀରାମଙ୍କ ଭଜନ ଶୁଣିବାକୁ ମିଳିଥିଲା । ଯାହାକୁ ନେଇ ୱିକେଟକିପିଂ କରୁଥିବା ଭାରତୀୟ କ୍ରିକେଟର କେ.ଏଲ ରାହୁଲ କହିଥିଲେ, କେଶବ ଭାଇ ଆପଣ ଯେତେବେଳେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଆସୁଛନ୍ତି ଡିଜେ ରାମ ସିଆ ରାମ ଭଜନ ବଜାଉଛନ୍ତି । କେଶବ ମଧ୍ୟ ରାହୁଲଙ୍କ କଥାରେ ସହମତି ପ୍ରକାଶ କରିଥିଲେ । ଯାହାକୁ ନେଇ ଉଭୟ ରାହୁଲ-କେଶବ ହସିଥିଲେ । ଯାହାର ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ହିନ୍ଦୁ ଧର୍ମରେ ବେଶ ବିଶ୍ୱାସ କରନ୍ତି କେଶବ ମହାରାଜ । ଯାହାର ଝଲକ ବିଶ୍ୱକପ ସମୟରେ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ପରେ ସୋସିଆଲ ମିଡିଆରେ କେଶବ ଲେଖିଥିଲେ, ଭଗବାନଙ୍କ ଉପରେ ମୋର ବିଶ୍ୱାସ ରହିଛି । ଆମ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେଲା । ଜୟ ଶ୍ରୀ ହନୁମାନ। ଆଉ ଗୋଟି କଥା ହେଉଛି ବଜରଙ୍ଗବଲୀଙ୍କର ବଡ ଭକ୍ତ । ଭାରତକୁ ମ୍ୟାଚ୍ ଖେଳିବାକୁ ଆସିଲେ କେଶବ ବିଭିନ୍ନ ମନ୍ଦିର ବୁଲିବାକୁ ଆଦୌ ଭୁଲନ୍ତି ନାହିଁ । ବିଭିନ୍ନ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ଏପରିକି କେଶବ ନିଜ ବ୍ୟାଟରେ ଓଁ ମଧ୍ୟ ଲେଖିଛନ୍ତି । ଯାହାର ଫଟୋ ବିଶ୍ୱକପ ସମୟରେ ଭାଇରାଲ ହୋଇଥିଲା ।
📱 Get Argus News App
✨ଭାରତୀୟ ବଂଶୋଦ୍ଭବ କେଶବ ମହାରାଜଙ୍କର ଉତ୍ତରପ୍ରଦେଶର ସୁଲତାନପୁର ସହ ଘନିଷ୍ଠ ସମ୍ପର୍କ ରହିଛି । ୧୫୦ ବର୍ଷ ପୂର୍ବେ କେଶବଙ୍କ ପୂର୍ବଜ ରୋଜଗାର ଅନ୍ୱେଷଣରେ ଭାରତ ଛାଡି ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲେ । ବିଭିନ୍ନ ସାକ୍ଷାତକାରରେ କେଶବଙ୍କ ବାପା ଏ ବାବଦରେ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିଲେ ମଧ୍ୟ ହିନ୍ଦୁ ରୀତିନୀତିକୁ ବେଶ ମାନନ୍ତି କେଶବ । ଏପରିକି ହିନ୍ଦୁ ଭାବେ ଗର୍ବ ଅନୁଭବ କରନ୍ତି କେଶବ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳୁଥିବା କେଶବ ସ୍ପିନର ଭାବେ ଦମଦାର ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟିଂରେ ଭରସାଯୋଗ୍ୟ କ୍ରିକେଟର ଭାବେ ଉଭା ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିବା କେଶବଙ୍କୁ କିନ୍ତୁ ୨୦୨୩ ଆଇପିଏଲ ନିଲାମୀରେ କୌଣସି ଫ୍ରାଞ୍ଚାଇଜ ନିଜ ଦଳରେ ସାମିଲ କରିନାହାନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର