ଆଇପିଏଲ ସିଜନ ୧୮ ଜିତିବାପରେ ଫ୍ରାଞ୍ଚାଇଜ ବିକ୍ରି କରିବାକୁ ଯୋଜନା କରୁଛି ଆରସିବି

Key Points
ବିକ୍ରି ହେବ ଆରସିବି ଫ୍ରାଞ୍ଚାଇଜ
ଏହି ବିକ୍ରୟ ପାଇଁ ଫ୍ରାଞ୍ଚାଇଜର ମୂଲ୍ୟ ୨ ବିଲିୟନ ଡଲାର
ୟୁନାଇଟେଡ୍ ସ୍ପିରିଟ୍ସର ପ୍ରତିନିଧି ଏହି ବିକ୍ରୟ ସମ୍ପର୍କରେ କୌଣସି ଅଫିସିଆଲ ମନ୍ତବ୍ୟ ଦେଇନାହାନ୍ତି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ଐତିହାସିକ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ମାଲିକ କମ୍ପାନୀ ଡିଆଜିଓ ପିଏଲସି (Diageo Plc) ଫ୍ରାଞ୍ଚାଇଜ୍ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବ୍ରିଟିଶ ଡିଷ୍ଟିଲର କମ୍ପାନୀ ଡିଆଜିଓ ତାଙ୍କ ଭାରତୀୟ ଶାଖା ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (United Spirits Ltd.) ମାଧ୍ୟମରେ ଆରସିବିର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବିକ୍ରୟ ବିଷୟରେ ବିଚାର କରୁଛନ୍ତି। ଏହି ବିକ୍ରୟ ପାଇଁ ଫ୍ରାଞ୍ଚାଇଜର ମୂଲ୍ୟ ୨ ବିଲିୟନ ଡଲାର (ପ୍ରାୟ ୧୬,୮୩୪ କୋଟି ଟଙ୍କା) ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଇପିଏଲ୍ ୨୦୨୫ରେ ଆରସିବି ପଞ୍ଜାବ କିଙ୍ଗସ୍ (ପିବିକେଏସ୍)କୁ ୬ ରନରେ ହରାଇ ପ୍ରଥମ ଥର ପାଇଁ ଟ୍ରଫି ଜିତିଥିଲା। ୧୮ ବର୍ଷର ଲମ୍ବା ଅପେକ୍ଷା ପରେ ଏହି ବିଜୟ ଟିମ୍ ଓ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଥିଲା। ଲିଗ୍ ପର୍ଯ୍ୟାୟରେ ଆରସିବି ୧୪ଟି ମ୍ୟାଚରୁ ୯ଟିରେ ବିଜୟୀ ହୋଇ ୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଆରସିବି ବିଜୟ ହାସଲ କରିଥିଲା। ଆରସିବିର ବିଜୟ ପରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ସମୟରେ ଏକ ଦୁଃଖଦ କଳଙ୍କିତ ଘଟଣାରେ ୧୧ ଜଣ ପ୍ରଶଂସକଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ଫ୍ରାଞ୍ଚାଇଜ୍ ଅନେକ ସମାଲୋଚନା ଶିକାର ହୋଇଥିଲେ ଏବଂ ଇଭେଣ୍ଟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା। ଏହା ସହିତ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇପିଏଲରେ ତମାଖୁ ଓ ମଦ ବ୍ରାଣ୍ଡର ପ୍ରୋତ୍ସାହନ ଉପରେ କଟକଣା ଲଗାଇବାକୁ ଚେଷ୍ଟା କରୁଛି, ଯାହା ଡିଆଜିଓ ଭଳି ଏକ ମଦ କମ୍ପାନୀ ପାଇଁ ଅତିରିକ୍ତ ଚାପ ସୃଷ୍ଟି କରିଛି। ଏହି ସବୁ କାରଣ ବିକ୍ରୟ ନିଷ୍ପତ୍ତିରେ ପ୍ରଭାବ ପକାଇଥାଇପାରେ। ଆଇପିଏଲ୍ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଲିଗ୍ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି, ଯାହାର ମୂଲ୍ୟ ବୃଦ୍ଧି ଫ୍ରାଞ୍ଚାଇଜ୍ ମାଲିକମାନଙ୍କୁ ଏକ ଲାଭଜନକ ସମ୍ପତ୍ତି ଭାବେ ଆକର୍ଷିତ କରୁଛି। ଆରସିବି ବିଶ୍ୱର ସବୁଠାରୁ ଅଧିକ ପ୍ରଶଂସକ ଥିବା କ୍ରିକେଟ ଟିମ୍ ମଧ୍ୟରୁ ଅନ୍ୟତମ ଏବଂ ସୋସିଆଲ ମିଡିଆରେ ଏହାର ଜନପ୍ରିୟତା ଅତୁଳନୀୟ। ବିରାଟ କୋହଲି ଭଳି ତାରକା ଖେଳାଳି ଏବଂ ଏହାର ବ୍ରାଣ୍ଡ ମୂଲ୍ୟ ଏହାକୁ ବିଶ୍ୱସ୍ତରୀୟ ନିବେଶକମାନଙ୍କ ପାଇଁ ଆକର୍ଷଣୀୟ କରିଛି। ୨୦୦୮ରେ ବିଜୟ ମାଲ୍ୟାଙ୍କ ଦ୍ୱାରା ଆରସିବି କିଣାଯାଇଥିବା ବେଳେ ତାଙ୍କ ଆର୍ଥିକ ସଙ୍କଟ ପରେ ଡିଆଜିଓ ଏହାର ମାଲିକାନା ଗ୍ରହଣ କରିଥିଲା। ଡିଆଜିଓ ଏବଂ ୟୁନାଇଟେଡ୍ ସ୍ପିରିଟ୍ସର ପ୍ରତିନିଧି ଏହି ବିକ୍ରୟ ସମ୍ପର୍କରେ କୌଣସି ଅଫିସିଆଲ ମନ୍ତବ୍ୟ ଦେଇନାହାନ୍ତି। ତେବେ ଏହି ଖବର ପ୍ରଶଂସକଙ୍କ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ବିକ୍ରୟ ନିଷ୍ପତ୍ତି ଚୂଡ଼ାନ୍ତ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ତେବେ ଏହି ନିଷ୍ପତ୍ତି ଆଇପିଏଲ୍ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇପାରେ, ଯାହା ଭବିଷ୍ୟତରେ ଅନ୍ୟ ଫ୍ରାଞ୍ଚାଇଜ ଗୁଡ଼ିକ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ।