ସତ ହେଲା ସୋଏବ ଅଖତାରଙ୍କ ଭବିଷ୍ୟବାଣୀ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବଡ଼ ମ୍ୟାଚ ରବିବାର ଦିନ ଥିଲା। ସବୁଠୁ ବଡ଼ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମ୍ୟାଚ। ଆଉ ଏହି ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକଟେରେ ଭାରତ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭାରତୀୟ ଟିମର ସଙ୍କଟମୋଚକ ସାଜିଥିଲେ ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି। ୧୧୧ ବଲରେ ସୁନ୍ଦର ଶତକ କରିଥିଲେ ବିରାଟ। ଯେଉଁଥିରେ ଥିଲା ୭ଟି ଧୂଆଁଧାର ଚୌକା। କୋହଲି ଦିନିକିଆ କ୍ରିକେଟରେ ୧୫ ମାସ ପରେ ପାକିସ୍ତାନ ବିପକ୍ଷରେ ବଡ଼ କମ ବ୍ୟାକ କରିଛନ୍ତି। ୧୫ ମାସ ପରେ ବଡ଼ ଶତକ କରିଛନ୍ତି। ସେଞ୍ଚୁରୀ ସହ କୋହଲି ନିଜର ଖରାପ ଫର୍ମକୁ ପଛରେ ପକାଇଛନ୍ତି। ଏହାକୁ ନେଇ ପୂର୍ବତନ ପାକିସ୍ତାନ ଖେଳାଳି ସୋଏବ ଅଖତାର କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ। ଯାହା ସତ ମଧ୍ୟ ହେଲା। ଗତ କିଛି ଦିନ ତଳେ ସୋଏବ ଏକ ଇଣ୍ଟରଭ୍ୟୁରେ ଏକ ମଜାଦାର କଥା କହିଥିଲେ। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। କୋହଲିଙ୍କୁ ନେଇ ଏକ ବଡ଼ ଉପାୟ ମଧ୍ୟ ଦେଇଥିଲେ। କୋହଲି ପାକିସ୍ତାନ ବିପକ୍ଷରେ ବଡ଼ ସେଞ୍ଚୁରୀ ଲଗାଇଥିଲେ।
ଅଖତାର ସ୍ପୋର୍ଟ୍ସ ତକ୍ ଚ୍ୟାନେଲକୁ କହିଥିଲେ ଯଦି ଆପଣ କୋହଲିଙ୍କୁ ନିଦରୁ ଉଠାଇବାକୁ ଚାହଚଁଛନ୍ତି କେବଳ ତାଙ୍କୁ ଏତିକି କହିଦିଅନ୍ତୁ ଆପଣଙ୍କର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହ ଅଛି। ମେଲବର୍ଣ୍ଣରେ ଯେଉଁ ପାରି ଖେଳିଥିଲେ ଆପଣ ଦେଖିଛନ୍ତି କି ନାହିଁ। ଫର୍ମକୁ ଫେରିବାକୁ ସେ ସବୁ ଜୋର ଲଗାଇଦେବେ। ଆମେ କୋହଲିଙ୍କର ବଡ଼ କମବ୍ୟାକ ଆଗରୁ କେତେଥର ଦେଖିସାରିଛୁ। ଟି-୨୦ ବିଶ୍ବକପ ଯେତେବେଳେ ମେଲବର୍ଣ୍ଣରେ ଚାଲିଥିଲା ସେତେବେଳେ ବି କୋହଲିଙ୍କର ଫର୍ମ ନ ଥିଲା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପାକିସ୍ତାନ ଟିମ ସହ ଯେଉଁଭଳି ଧୂଆଁଧାର ମାଡ଼ ମାରି ଟିମ ଇଣ୍ଡିଆକୁ ବିଜୟ ଆଣିଦେଇଥିଲେ ସେ ମ୍ୟାଚକୁ କେବେ କେହି ଭୂଲିପାରିବେନି। ଆମେ ପାକିସ୍ତାନୀ ଖେଳାଳି ହେଲେ କଣ ହେଲା ଉଭୟ ଦେଶ ମଧ୍ୟରେ ତିକ୍ତତା ଥାଇପାରେ କିନ୍ତୁ ଖେଳାଳିଙ୍କ ମଧ୍ୟରେ ସେମିତି କିଛି ନ ଥାଏ। ଆମେ ମଧ୍ୟ ବିରାଟ କୋହଲିଙ୍କ ସେଞ୍ଚୁରୀ ଅପେକ୍ଷାରେ ଥିଲୁ। ବିଶ୍ବର ବଡ଼ ପ୍ଲେୟର। ବିରାଟ କୋହଲିଙ୍କୁ ସମସ୍ତେ ଭଲ ପାଆନ୍ତି। ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ। ବ୍ୟକ୍ତିଗତ ଭାବେ ଯଦି କହିବି ମୁଁ ତାଙ୍କର ବଡ଼ ଫ୍ୟାନ। ଦୁନିଆରେ କେବେ ବି ଦ୍ବିତୀୟ ବିରାଟ କୋହଲି ଆସି ପାରିବନି। ତାଙ୍କ ସହ କାହା ତୁଳନା ମଧ୍ୟ ହୋଇପାରିବନି।