Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସେମିଫାଇନାଲ୍ ହାରିବା ପରେ ଅଷ୍ଟ୍ରେଲିଆକୁ ଝଟ୍‌କା, ODIକୁ ବାଏ ବାଏ କହିଲେ ଅଧିନାୟକ

Sports

ସେମିଫାଇନାଲ୍ ହାରିବା ପରେ ଅଷ୍ଟ୍ରେଲିଆକୁ ଝଟ୍‌କା, ODIକୁ ବାଏ ବାଏ କହିଲେ ଅଧିନାୟକ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସେମିଫାଇନାଲ୍ ହାରିବା ପରେ ଅଷ୍ଟ୍ରେଲିଆକୁ ଝଟ୍‌କା, ODIକୁ ବାଏ ବାଏ କହିଲେ ଅଧିନାୟକ

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ହାରିବା ପରେ ଦଳକୁ ଲାଗିଛି ଝଟ୍‌କା । ଭାରତ ଠାରୁ ୪ ୱିକେଟ୍‌ରେ ହାରିବା ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ । ଏନେଇ ବୁଧବାର ସୂଚନା ଦେଇଛି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ । ତେବେ ଦିନିକିଆକୁ ବାଏ ବାଏ କହିଥିବା ସ୍ମିଥ୍ ଟେଷ୍ଟ ଓ ଟି-ଟ୍ଵେଣ୍ଟି ଖେଳିବେ ।


୩୫ ବର୍ଷୀୟ ଷ୍ଟିଭ୍‌, ଭାରତ ଠାରୁ ହାରିବା ପରେ ତାଙ୍କ ନିଷ୍ପତ୍ତି ନେଇ ସାଥୀ ଖେଳାଳିଙ୍କୁ ଜଣାଇଥିଲେ । ସ୍ମିଥ୍ କହିଥିଲେ, ଏବେ ଏମିତି ଲାଗୁଛି ଯେମିତି ଅବସର ନେବାର ସମୟ ଆସି ଗଲାଣି । ଏହି ଯାତ୍ରା ବେଶ୍ ରୋମାଞ୍ଚକର ଥିଲା ଏବଂ ମୁଁ ପ୍ରତି ମିନିଟ୍‌ର ଆନନ୍ଦ ନେଇଛି । ଅନେକ ଅଭୁଲା ମୁହୂର୍ତ୍ତ ଓ ସ୍ମୃତି ରହିଛି । ୨ଟି ବିଶ୍ଵକପ୍ ଜିତିବା ବଡ଼ ଉପଲବ୍ଧି ।



ଷ୍ଟିଭ୍ ସ୍ମିଥ କହିଛନ୍ତି, ଟେଷ୍ଟ କ୍ରିକେଟ୍‌କୁ ଏବେ ବି ପ୍ରାଥମିକତା ଦେଉଛି । ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍, ଶୀତରେ ୱେଷ୍ଟଇଣ୍ଡିଜ୍ ଏବଂ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ନେଇ ଉତ୍ସାହିତ ରହିଛି । ମୋତେ ଲାଗୁଛି ମୁଁ ଆହୁରି ଅନେକ ଯୋଗଦାନ ଦେବି, ଆଗକୁ ଆହୁରି କିଛି କରିବି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଯୋଗ୍ୟ, ପ୍ୟାଟ୍ କମିନ୍ସ ଆହାତ ହେବା ପରେ ଷ୍ଟିଭ୍ ସ୍ମିଥ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ । ଆଉ ସେମି ହାରିବା ପରେ ସ୍ମିଥ୍ କହିଥିଲେ, ମୁସ୍କିଲ୍ ୱିକେଟ୍ ଥିଲା ଓ ବ୍ୟାଟିଂ କରିବା ସହଜ ନ ଥିଲା । ତାଙ୍କ ଅନୁସାରେ, ଦଳ ୨୮୦ ରନ୍‌ରୁ ଅଧିକ ସ୍କୋର୍ କରିଥିଲେ, ମ୍ୟାଚ୍‌ର ଫଳାଫଳ ଅଲଗା ହୋଇଥାନ୍ତା ।


ସ୍ମିଥ୍‌ଙ୍କ ଦିନିକିଆ ରେକର୍ଡ


ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ୍ ସ୍ମିଥ୍ ୧୭୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୪୩.୨୮ ହାର, ୮୬.୯୬ ଷ୍ଟ୍ରାଇକ୍ ରେଟ୍‌ରେ ସ୍ମିଥ୍ ୫୮୦୦ ରନ୍ ସ୍କୋର କରିଛନ୍ତି । ୧୨ଟି ଶତକ, ୩୫ଟି ଅର୍ଦ୍ଧଶତକ ମାରିଛନ୍ତି ସ୍ମିଥ୍ । ଦିନିକିଆରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୬୪ ରନ୍ । ଯାହାକି ୨୦୧୬ରେ ସିଡନୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଥିଲେ । ଏହା ଛଡ଼ା ସେ ଦିନିକିଆରେ ୨୮ଟି ୱିକେଟ୍ ନେଇଛନ୍ତି ।


୬୪ଟି ଦିନିକିଆରେ ଅଷ୍ଟ୍ରେଲିଆ ଦଳର ନେତୃତ୍ଵ ନେଇଥିଲେ ସେ । ତାଙ୍କ ନେତୃତ୍ଵରେ କଙ୍ଗାରୁ ଦଳ ୩୨ଟି ମ୍ୟାଚ୍ ଜିତିଥିବା ବେଳେ ୨୮ଟି ହାରିଥିଲା । ୪ଟି ମ୍ୟାଚ୍ ଅମୀମାଂଶିତ ରହିଥିଲା । ୨୦୧୫ ଓ ୨୦୧୩ ଦିନିକିଆ ବିଶ୍ଵକପ୍ ବିଜେତା ଦଳରେ ଥିଲେ ଷ୍ଟିଭ୍ ।


ଦୁବାଇରେ ଭାରତ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍‌ରେ ସ୍ମିଥ୍ ୯୬ ବଲ୍‌ରେ ୭୩ ରନ୍‌ର ଲଢୁଆ ପାଳି ଖେଳିଥିଲେ । ୪ଟି ଚଉକା, ଗୋଟିଏ ଛକ୍କା ମାରିଥିବା ବେଳେ ସାମିଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ।

Sponsored
Steve Smith retires from ODIs | Argus News