ଫୁଟବଲରୁ ସନ୍ନ୍ୟାସ ନେବେ ସୁନୀଲ ଛେତ୍ରି

ଅର୍ଗସ ବ୍ୟୁରୋ: ଫୁଟବଲରୁ ସନ୍ନ୍ୟାସ ନେବେ ସୁନୀଲ ଛେତ୍ରି । ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଅବସର ଗ୍ରହଣ କରିବେ । ଆଜି କୋଲକାତାରେ କୁଏତ ବିରୋଧରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ଏହା ତାଙ୍କର ଶେଷ ମ୍ୟାଚ । ପୂର୍ବରୁ ଏନେଇ ସୁନୀଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ ସୂଚନା ଦେଇଥିଲେ । ୪୦ ବର୍ଷୀୟ ଏହି ଖେଳାଳି ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍ ଏହି ମ୍ୟାଚରେ ସ୍କୋର କରିଥିଲେ। ବର୍ତ୍ତମାନର ଖେଳାଳିମାନଙ୍କ ମଧ୍ୟରେ ସୁନୀଲ ସର୍ବାଧିକ ଗୋଲ ସ୍କୋରରଙ୍କ ଭିତରେ ୩ୟ ସ୍ଥାନରେ ରହିଛନ୍ତି ।
ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର ଲିଓନେଲ୍ ମେସି ୨ୟ ସ୍ଥାନରେ ରହିଛନ୍ତି । ଫୁଟବଲ ପ୍ରତି ଅବଦାନ ହେତୁ ସୁନୀଲଙ୍କୁ ୨୦୧୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୮ ଏଏଫସି ଚାଲେଞ୍ଜ କପ୍, ୨୦୧୧ ଏବଂ ୨୦୧୫ର ସାଫ୍ ଚାମ୍ପିଅନଶିପ୍, ୨୦୦୭, ୨୦୦୯ ଏବଂ ୨୦୧୨ରେ ଅନୁଷ୍ଠିତ ନେହେରୁ କପ୍, ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ କପ୍ରେ ଭାରତ ଟାଇଟଲ ହାସଲ କରିଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର: