ଅହମ୍ମଦାବାଦର ଶ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ହେବ ଫାଇନାଲ ମ୍ୟାଚ୍

Key Points
ଆଇପିଏଲ୍କୁ ଏଥର ମିଳିବ ନୂଆ ବିଜେତା
ପଞ୍ଜାବ କିଙ୍ଗସ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଭେନ୍ୟୁ- ଶ୍ରୀନରେନ୍ଦ୍ର ମୋଦି ଷ୍ଟାଡିଅମ, ଅହମ୍ମଦାବାଦ, ସମୟ- 7:30PM
ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୫ର ଫାଇନାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡ଼ିଅମରେ ଖେଳାଯାଇଥିବା କ୍ବାଲିଫାୟର-୨ରେ ପଞ୍ଜାବ କିଙ୍ଗ୍ସ ୫ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପହଞ୍ଚିବା ସହ ଟ୍ରଫିଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଶେଷ ଥର ପାଇଁ ୨୦୧୪ରେ ଫାଇନାଲ ଖେଳିଥିଲା। ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ବିଦାୟ ନେଇଥିବାବେଳେ ଆଇପିଏଲକୁ ଏଥର ନୂଆ ବିଜେତା ମିଳିବ।
ବେଙ୍ଗାଳୁରୁ କିମ୍ବା ପଞ୍ଜାବ ପୂର୍ବରୁ କେବେ ବି ଆଇପିଏଲ ଟ୍ରଫି ହାତେଇ ନାହାନ୍ତି। ଆରସିବି ଚତୁର୍ଥ ଥର ଲାଗି ଆଇପିଏଲ ଫାଇନାଲ ଖେଳିବ। ପୂର୍ବରୁ ଦଳ ୨୦୦୯, ୨୦୧୧ ଏବଂ ୨୦୧୬ରେ ଉପବିଜେତା ପାଲଟିଥିଲା। ଆରସିବି ଡେକାନ ଚାର୍ଜର୍ସ, ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା। ଆଇପିଏଲ ଫାଇନାଲ ଖେଳିବା ତୁଳନାରେ ଆରସିବି ପଞ୍ଜାବଠାରୁ ଆଗରେ ରହିଛି। କାରଣ ପଞ୍ଜାବ ଟିମ ଥରେ ମାତ୍ର ୨୦୧୪ରେ ଫାଇନାଲ ଖେଳିଛି। ସେତେବେଳେ କୋଲକାତା ନାଇଟ ରାଇଡର୍ସଠାରୁ କିଙ୍ଗସ ଇଲେଭେନ ପଞ୍ଜାବ ପରାସ୍ତ ହୋଇଥିଲା। ତେବେ ଅଧିନାୟକ ଭାବେ ଆଇପିଏଲ ଫାଇନାଲ ଖେଳିବାରେ ଶ୍ରେୟସ ଆୟର ପଛରେ ନାହାନ୍ତି। ସେ ୨୦୨୦ରେ ଦିଲ୍ଲୀ ପକ୍ଷରୁ ଫାଇନାଲ ଖେଳିଥିବା ବେଳେ ୨୦୨୪ରେ କେକେଆରକୁ ଟାମ୍ପିଅନ କରାଇଥିଲେ।
ଗ୍ରୁପ ପର୍ଯ୍ୟାୟରେ ପଞ୍ଜାବ ଓ ଆରସିବି ଟେବୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ। ଉଭୟ ଦଳ ୧୪ଟି ମ୍ୟାଚରୁ ୯ଟି ବିଜୟ, ୪ଟି ପରାଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବିହୀନ ରହିଥିଲା। ଗ୍ରୁପ ପର୍ଯ୍ୟାୟରେ ବେଙ୍ଗାଳୁରୁରେ ପଞ୍ଜାବ ଦଳ ଆରସିବିକୁ ପରାସ୍ତ କରିଥିଲା। ଏହାପରେ ମୁଲ୍ଲାନପୁରରେ ଆରସିବି ପଞ୍ଜାବକୁ ହରାଇଥିଲା। କିନ୍ତୁ ପ୍ଲେ-ଅଫରେ ବାଜି ମାରିନେଇଥିଲା ଆରସିବି। କ୍ବାଲିଫାୟାର-୧ରେ ଜବରଦସ୍ତ ପ୍ରଦର୍ଶନ କରି ପଞ୍ଜାବକୁ ଆରସିବି ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏବେ କ୍ବାଲିଫାୟାର-୨ରେ ମୁମ୍ବାଇକୁ ହରାଇ ପଞ୍ଜାବ ଫାଇନାଲ ଟିକେଟ ପାଇଛି। ଆସନ୍ତାକାଲି ଅହମ୍ମଦାବାଦର ଶ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବ ଫାଇନାଲ। ।