Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଶୁକ୍ରବାର ଇଂଲଣ୍ଡ ମାଟିରୁ ଆରମ୍ଭ ହେବ ଗିଲଙ୍କ ଅଧିନାୟକତ୍ବରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ

Ritu Das
Browse all articles by Ritu Das
·1 year ago·3 min read
ଶୁକ୍ରବାର ଇଂଲଣ୍ଡ ମାଟିରୁ ଆରମ୍ଭ ହେବ ଗିଲଙ୍କ ଅଧିନାୟକତ୍ବରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ

Key Points

ଆସନ୍ତାକାଲି ଗିଲଙ୍କ ଅଧିନାୟକତ୍ବରେ ଆରମ୍ଭ ହେବ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ

ତାଙ୍କର ଏହି ଗୌରବମୟ ଯାତ୍ରା ଲିଡ୍‌ସର ହେଡିଂଲେ ପଡ଼ିଆରୁ ଆରମ୍ଭ ହେବ

ଟେଷ୍ଟ ମ୍ୟାଚର ସିଧା ପ୍ରସାରଣ ଜିଓ ହଟଷ୍ଟାରରେ ଦେଖିପାରିବେ

ଶୁକ୍ରବାରରୁ ଭାରତୀୟ କ୍ରିକେଟ୍‌ରେ ନୂଆ ଅଧ୍ୟାୟ ଯୋଡ଼ିହେବ। ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ସହ ବରିଷ୍ଠ ସ୍ପିନର ଆର୍‌ ଅଶ୍ବିନଙ୍କ ଅବସର ପରେ ଶୁଭମନ ଗିଲ୍ ଭାରତୀୟ ଟେଷ୍ଟ୍ ଦଳର ନୂଆ ଅଧିନାୟକ ଭାବେ ନିଜ କ୍ୟାରିୟର ଆରମ୍ଭ କରିବେ। ୨୫ବର୍ଷୀୟ ଗିଲ୍ ଭାରତୀୟ କ୍ରିକେଟ୍ ଦଳର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ରେକର୍ଡ କରି ସାରିଛନ୍ତି। ଏବେ ନିଜ ସଫଳ ନେତୃତ୍ବରେ ଇଂଲଣ୍ଡ ମାଟିରେ ଭାରତକୁ ବିଜୟୀ କରାଇବାର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିବା ଆଶାରେ ଅଛନ୍ତି। ତାଙ୍କର ଏହି ଗୌରବମୟ ଯାତ୍ରା ଲିଡ୍‌ସର ହେଡିଂଲେ ପଡ଼ିଆରୁ ଆରମ୍ଭ ହେବ। ଶୁକ୍ରବାର ଭାରତ ସମୟ ହିସାବରେ ଅପରାହ୍ନ ୩ଟା୩୦ରେ ହେଡିଂଲେରୁ ମ୍ୟାଚ ଆରମ୍ଭ ହେବ। ଆପଣ ଏହି ଟେଷ୍ଟ ମ୍ୟାଚର ସିଧା ପ୍ରସାରଣ ଜିଓ ହଟଷ୍ଟାରରେ ଦେଖିପାରିବେ। ଜିଇଂଲଣ୍ଡକୁ ଏଠାରେ ପରାସ୍ତ କରିବାକୁ କିନ୍ତୁ ଗିଲ୍‌ଙ୍କ ସହ ପୂରା ଟିମ୍ ଇଣ୍ଡିଆକୁ ଶ୍ରେଷ୍ଠ ଓ ଶୀର୍ଷସ୍ତରୀୟ କ୍ରିକେଟ୍ ଖେଳିବାକୁ ହେବ। ବିଶେଷ କରି ଭାରତୀୟ ବୋଲରଙ୍କୁ ଲିଡ୍‌ସର ଶୁଷ୍କ ଓ କଠିନ ପିଚ୍‌ରେ ପ୍ରତିପକ୍ଷ ଦଳର ୨୦ ୱିକେଟ୍ ନେବାର ଦକ୍ଷତା ଦେଖାଇବାକୁ ହେବ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇପାରିଲେ ଆକ୍ରମଣାତ୍ମକ କ୍ରିକେଟ୍ ପାଇଁ ପରିଚିତ ଇଂଲଣ୍ଡକୁ ଅନ୍ୟ ଚାରିଟି ମ୍ୟାଚ୍‌ରେ ଭାରତ ଚାପରେ ରଖି ପାରିବ।


ହେଡିଂଲେ ଟେଷ୍ଟ୍ ଶୁକ୍ରବାରରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏହା ପୂର୍ବରୁ ବନ୍ଦ ଦ୍ବାର ଭିତରେ ଆନ୍ତଃଦଳୀୟ ଅଭ୍ୟାସ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଖୋଲା ପଡ଼ିଆରେ ଅଭ୍ୟାସ କରିଛି। ‌କୋହଲିଙ୍କ ସ୍ଥାନ କିଏ ନେବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି। ସେହିଭଳି ରୋହିତଙ୍କ ଅଭାବକୁ ପୂରଣ କରିବା ମଧ୍ୟ ଦଳ ପାଇଁ ସେତେଟା ସହଜ ହେଲା ଭଳି ମନେ ହେଉନି। ତେବେ ଦଳର ଅଧିକାଂଶ ଖେଳାଳିଙ୍କର ଇଂଲଣ୍ଡରେ ଖେଳିବାର କିଛି ନା କିଛି ଅଭିଜ୍ଞତା ଥିବାରୁ ଇଂଲଣ୍ଡକୁ ଯୁବ ଭାରତୀୟ ଦଳ ପୂରା ଶୃଙ୍ଖଳାରେ ନିଶ୍ଚିତ ଭାବେ କଡ଼ା ଟକ୍କର ଦେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଏହି ଶୃଙ୍ଖଳାରୁ ନିଜ ୨୦୨୫-୨୭ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଆରମ୍ଭ କରିବ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଦୃଷ୍ଟିରୁ ଘରୋଇ ଇଂଲଣ୍ଡ ପାଇଁ ମଧ୍ୟ ଏହି ଶୃଙ୍ଖଳାର ଢେର୍‌ ମହତ୍ତ୍ବ ରହିବ। ଏଭଳି ସ୍ଥିତିରେ ବ୍ୟାଟର୍ ଓ ବୋଲରଙ୍କ ସହ ଅଲରାଉଣ୍ଡର୍‌ଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଭାରତ ପାଖରେ ରବୀନ୍ଦ୍ର ଜାଡ଼େଜାଙ୍କ ରୂପରେ ଜଣେ ଅଭିଜ୍ଞ ଓ ଦକ୍ଷ ଅଲରାଉଣ୍ଡର୍ ଅଛନ୍ତି। ସେହିପରି ଇଂଲଣ୍ଡ ପାଇଁ ଅଧିନାୟକ ବେନ୍ ଷ୍ଟୋକ୍ସ ସବୁଠୁ ବଡ଼ ଅସ୍ତ୍ର ହେବେ। ଘରୋଇ ପରିବେଶରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି। ଯଶପ୍ରୀତ୍ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭାରତୀୟ ବୋଲିଂକୁ ସୁଦୃଢ଼ କରୁଛନ୍ତି। ଶେଷ ମୁହୂର୍ତ୍ତରେ ହର୍ଷିତ ରାଣାଙ୍କୁ ସାମିଲ କରି ଭାରତ ମଧ୍ୟ ଆଉଏକ ମାଷ୍ଟର ‌ଷ୍ଟ୍ରୋକ୍ ଖେଳିଛି।


୭ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କରୁଣ ନାୟରଙ୍କ ପାଇଁ ଏହି ମ୍ୟାଚ୍ ସର୍ବାଧିକ ଗୁରୁତ୍ବ ବହନ କରିବ। ଯଶସ୍ବୀ ଜୟସ୍ବାଲ, ଗିଲ୍, ଉପଅଧିନାୟକ ଋଷଭ ପନ୍ତଙ୍କ ସଫଳତା ଉପରେ ମଧ୍ୟ ଭାରତର ସଫଳତା ନିର୍ଭରଶୀଳ ରହିବ। ହେଡିଂଲେ ଟେଷ୍ଟ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ପୁଣି ଥରେ ମିଳିଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସାଥ୍। ମା’ ସୀମା ଗମ୍ଭୀରଙ୍କ ହୃଦ୍‌ଘାତ ପରେ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥିବା ଗମ୍ଭୀର ବୁଧବାର ପୁଣି ଥରେ ଦଳ ସହ ଯୋଗ ଦେଇଛନ୍ତି। ତେବେ ଦେଖାଯାଉ ରୋହିତ ଆଉ ବିରାଟଙ୍କ ବିନା ନୂଆ ଯୁବପିଢ଼ି କଣ କରୁଛନ୍ତି। ଗିଲଙ୍କ ଅଧିନାୟକତ୍ବରେ ଦଳ ଇଂଲଣ୍ଡକୁ ମାତ ଦେବ ବୋଲି ଆଶା କରାଯାଉଛି।

Sponsored
the-five-match-test-series-under-gills-captaincy-will-begin-on-friday-in-england | Argus News