Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମେଡାଲ୍ ଉପରେ ‘ଓଜନ’ ଭାରୀ ପଡ଼ିଲା

Sports

ମେଡାଲ୍ ଉପରେ ‘ଓଜନ’ ଭାରୀ ପଡ଼ିଲା

Banajyotshna Ray
Browse all articles by Banajyotshna Ray
·1 year ago·3 min read
ମେଡାଲ୍ ଉପରେ ‘ଓଜନ’ ଭାରୀ ପଡ଼ିଲା

ଅର୍ଗସ ବ୍ୟୁରୋ:  ଶୂନ ଉପରେ ସଜେଇ ହେଇଥିବା ସୁନାର ସ୍ବପ୍ନ ଆଜି ତୁନା ହୋଇଛି । ଶବ୍ଦମାନେ ପ୍ରାର୍ଥନା ମୁଦ୍ରା ଛିଡ଼ା ହୋଇଥିବା ବେଳେ ସମୟ ବି ଗୁହାରୀ କରିବାର ଅଧିକାର ଛଡ଼େଇ ନେଇଛି । ଅଲିମ୍ପିକ୍ସରେ ସୁନା ସ୍ବପ୍ନ ଭାଙ୍ଗିଯିବା ପରେ ହତବାକ୍ ଦେଶ, ଦେଶବାସୀ, ସବୁଠାରୁ ବେଶୀ ନିର୍ବାକ ସୁନା ଦାବେଦାର ସୁନାଝିଅ ଭିନେଶ ଫୋଗାଟ୍ । କାଲିର ତିନିଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଏଣ୍ଟ୍ରି କରିଥିଲେ ଭିନେଶ । ଆଶା ଥିଲା ଆଜି ସୁନା ଜିତି ପ୍ୟାରିସରେ ତ୍ରିରଙ୍ଗା ଉଡ଼ାଇବେ । ହେଲେ ରାତି ପାହୁପାହୁ ସମସ୍ତଙ୍କ ହୃଦୟ ଚୁନା ହୋଇଗଲା ।

ନିର୍ଦ୍ଧାରିତ ଓଜନ ଠାରୁ ତାଙ୍କ ଶରୀର ଓଜନ ଅଧିକ ହେବାରୁ ଟୁର୍ଣ୍ଣାମେଣ୍ଟରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ଏଭଳି ଦୁଃଖଦ ଖବର ସମ୍ପର୍କରେର ଜାଣିବା ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପିଟି ଉଷା ତାଙ୍କୁ ଭେଟିବା ସହ ତାଙ୍କୁ ସମର୍ଥନ ଜଣାଇଥିଲେ । ଏଭଳି କଠିନ ପରିସ୍ଥିତିରେ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି।ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ବା ଅନ୍ତର୍ଜାତୀୟ କୁସ୍ତି ସଂଘର ନିୟମାନୁସାରେ ମ୍ୟାଚ ଦିନ ସକାଳେ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ରେସଲରମାନଙ୍କର ଓଜନ ମପାଯିବା ବାଧ୍ୟତାମୂଳକ । ଗତକାଲି ମ୍ୟାଚ୍ ପୂର୍ବରୁ ୫୦ କେଜି ଫ୍ରିଷ୍ଟାଇଲ ଇଭେଣ୍ଟରେ ଭାଗ ନେଇଥିବା ଭିନେଶଙ୍କର ଓଜନ ମପାଯାଇଥିଲା ଏବଂ ଓଜନ ଥିଲା ୪୯ କେଜି ୯୦୦ ଗ୍ରାମ । ତେବେ ଏହା ପୂର୍ବରୁ ସାରା ରାତି ନ ଶୋଇ, ନଖାଇ, ନପିଇ କଡ଼ା ପରିଶ୍ରମ କରିଥିଲେ ଭିନେଶ । ପରେ ମ୍ୟାଚ୍ ପାଇଁ ପାଣି ସହ ଆବଶ୍ୟକୀୟ ନ୍ୟୁଟ୍ରିସନ ବି ନେଇଥିଲେ ।

ତେବେ ଗତକାଲି ତିନିଟି ଯାକ ମ୍ୟାଚ୍ ସରିବା ପରେ ଓଜନ ରୁମକୁ ଯାଇ ଓଜନ୍ ହେବା ବେଳେ ତାଙ୍କ ଓଜନ ଥିଲା ୫୨ କେଜି ୭୦୦ ଗ୍ରାମ । ଇଏ ହେଉଛି ସେହି ସମୟର ଏକ୍ସକ୍ଲୁସିଭ୍ ଫଟୋଚିତ୍ର ଯେତେବେଳେ ସେ ମ୍ୟାଚ୍ ପରେ ଓଜନ ରୁମକୁ ତରବରିଆ ଭାବେ ଯାଉଛନ୍ତି । ପରେ ଆରମ୍ଭ ହୋଇଥିଲା ଟ୍ରେନିଂ । ରାତି ସାରା ଉଜାଗର ରହି ୫୦ କେଜି ଓଜନ ଭିତରେ ନିଜ ଓଜନ ରଖିବା ପାଇଁ ନଖାଇ, ନପିଇ ସାଇକ୍ଲିଂ, ସ୍କିପିଂ କରିବା ଠାରୁ ଆରମ୍ଭ କରି ଯଥାସମ୍ଭବ ଚେଷ୍ଟା କରିଥିଲେ । ଟୁର୍ଣ୍ଣାମେଣ୍ଟର ନିୟମାନୁସାରେ ଆଜି ସକାଳେ ଅଫିସିଆଲି ତାଙ୍କ ଓଜନ ମପାଯାଇଥିବା ବେଳେ ଓଜନ କଣ୍ଟାରେ ଏହା ଥିଲା ୫୦ କେଜି ୧୦୦ ଗ୍ରାମ । ଅର୍ଥାତ୍ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଭିନେଶଙ୍କର ସୁନା ସ୍ବପ୍ନ ଚୁରମାର୍ ହୋଇଯାଇଛି । ହୁଏତ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ କି ଆହତ ହେବାର ବାହାନା କରିଥିଲେ ତାଙ୍କୁ ହୁଏତ ରୌପ୍ୟ ପଦକ ମିଳିଥାନ୍ତା ବୋଲି କିଛି ଭାବି ପାରନ୍ତି । ହେଲେ ସତ କଥା ହେଉଛି ଏମିତି ହୋଇଥିଲେ ବି ସେ ଡିସକ୍ବାଲିଫାଏ ହୋଇଥାନ୍ତେ । ପରେ ଘଟଣାକୁ ନେଇ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ନିକଟରେ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ ଅପିଲ କରିଥିଲେ ବି ଫଳ କିଛି ହେବନି ବୋଲି ସ୍ପଷ୍ଟ କରିଛି UWW । ଆପଣ ବିଶ୍ବାସ କରିବେନି ଓଜନ କମାଇବା ପାଇଁ ଭିନେଶ ନିଜ ଚୁଟି ବି କାଟି ଦେଇଥିଲେ । ଏହାଠାରୁ ଅଧିକ ଆଗକୁ ଯାଇଥିଲେ ହୁଏତ ତାଙ୍କ ଜୀବନ ପ୍ରତି ବିପଦ ଉତ୍ପନ୍ନ ହୋଇଥାନ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏଭଳି ସମୟରେ ସାରା ଦେଶ ଭିନେଶଙ୍କ ପଛରେ ଛିଡ଼ା ହୋଇଛି । ପ୍ରଧାନମନ୍ତ୍ରୀ ତତକ୍ଷଣାତ୍ ଘଟଣାର ସଂଜ୍ଞାନ ନେବା ସହ ସାରା ଦେଶ ତାଙ୍କ ସହ ଥିବା ନେଇ ଟ୍ବିଟ୍ କରିଥିଲେ । ଏହା ସହ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନର ମୁଖ୍ୟ ପିଟି ଉଷାଙ୍କ ସହ କଥା ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଯାଏଁ, ସମସ୍ତେ ଭିନେଶଙ୍କ ପଛରେ ଛିଡ଼ା ହୋଇଛନ୍ତି । ଏପରିକି ସଂସଦରେ ବକ୍ତବ୍ୟ ରଖି ସରକାର ସମ୍ପୂର୍ଣ୍ଣ ରୂପେ ତାଙ୍କ ପଛରେ ଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।ପ୍ୟାରିସ ଅଲିମ୍ପିକ୍ସ ମିଶାଇଲେ ଏହା ଥିଲା ଫୋଗାଟଙ୍କର ତୃତୀୟ ଟୁର୍ଣ୍ଣାମେଣ୍ଟ । ପୂର୍ବରୁ ଇନଜୁରୀ ପାଇଁ ସେ ମେଡାଲ୍ ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ ଏଥର ଓଜନ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ଏଭଳି ସ୍ଥିତିରେ ଦେଶ ତାର ଏହି ସୁନା ଝିଅ ପାଇଁ ଗର୍ବିତ ଓ ଏକ ହୋଇ ଛିଡ଼ା ହୋଇଛି ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus Whatsapp Channel Mobile Top
Sponsored
The 'weight' fell heavily on the medal | Argus News