ମ୍ୟାଚ୍ ପୂର୍ବରୁ ହୋଇପାରେ ବର୍ଷା, କ'ଣ କହୁଛି ପାଣିପାଗ ବିଭାଗ ! ଜାଣନ୍ତୁ...

ବିଳମ୍ବରେ ଆରମ୍ଭ ହୋଇପାରେ ଆଜିର ମ୍ୟାଚ୍ । ବର୍ଷା ଯୋଗୁଁ ମ୍ୟାଚ୍ ଲେଟ୍ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅପରାହ୍ନ ୨:୩୦ ପୂର୍ବରୁ ୩୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି, ଘଣ୍ଟା ପ୍ରତି ୨୪ କିଲୋମିଟର ବେଗରେ ପବନ ବହିବ। ସମଗ୍ର ମ୍ୟାଚ୍ ସମୟ ମଧ୍ୟରେ ବର୍ଷା ହେବାର ସମ୍ଭାବନା ୩୦ ରୁ ୩୫ ପ୍ରତିଶତ ରହିଛି । ତେଣୁ ମୋହାଲି କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ବାଧା ଦେବାର ଆଶଙ୍କା କରାଯାଉଛି।
୨୦୨୫ ଆଇପିଏଲ୍ର ୩୭ତମ ମ୍ୟାଚ୍ ଆଜି ଅପରାହ୍ନ ୩:୩୦ ରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୋହାଲିରେ ଖେଳାଯିବ। ଏହାପୂର୍ବରୁ ଉଭୟ ଦଳ ବେଙ୍ଗାଲୁରୁରେ ସଂଘର୍ଷ କରିଥିଲେ, ସେହି ମ୍ୟାଚ୍ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ୧୪-୧୪ ଓଭର ପାଇଁ ଖେଳାଯାଇଥିଲା।
ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଆରସିବିକୁ ପରାସ୍ତ କରିଥିଲା, ଯାହାକି ପଞ୍ଜାବର ୭ଟି ମ୍ୟାଚରେ ଏହା ପଞ୍ଚମ ବିଜୟ ଥିଲା। ଶ୍ରେୟସ୍ ଆୟରଙ୍କ ନେତୃତ୍ଵାଧୀନ ପଞ୍ଜାବ ବର୍ତ୍ତମାନ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ରଜତ ପାଟିଦାରଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ଟି ମ୍ୟାଚ ମଧ୍ୟରୁ ୪ଟି ଜିତି ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି।
ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଉଭୟ ଦଳ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତି ନାହାଁନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ମଧ୍ୟରେ ମୋଟ ୩୪ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଆରସିବି ୧୪ଟି ମ୍ୟାଚ୍ ଏବଂ ପଞ୍ଜାବ ୧୮ଟି ମ୍ୟାଚ୍ ଜିତିଛି। ପଞ୍ଜାବ ବିପକ୍ଷରେ ଆରସିବିର ସର୍ବାଧିକ ସ୍କୋର ହେଉଛି ୨୪୧ ରନ୍। ଆରସିବି ବିପକ୍ଷରେ ପଞ୍ଜାବର ସର୍ବାଧିକ ଆଇପିଏଲ୍ ସ୍କୋର ହେଉଛି ୨୩୨ ରନ୍।