ସୂର୍ଯ୍ୟକୁମାର ଯାଦବଙ୍କ ‘ହାର୍ଟ ବ୍ରେକିଙ୍ଗ୍’ ଇନଷ୍ଟାଗ୍ରାମ୍ ଷ୍ଟୋରୀର ରହସ୍ୟ କ’ଣ?

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗଦେଉଥିବା ୧୦ଟି ଦଳ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ଏପରିସ୍ଥଳେ ମୁମ୍ବାଇ ଇଣ୍ଡିଆନ୍ସର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ନିଜ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ‘ହାର୍ଟ ବ୍ରେକିଙ୍ଗ୍’ ଇମୋଜି ଶେୟାର କରିଛନ୍ତି। ଏହା ପୂର୍ବରୁ ସୂର୍ଯ୍ୟକୁମାର ଏଭଳି ଇମୋଜି ଶେୟାର କରିଥିଲେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ବଦଳେରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ କ୍ୟାପଟେନ ନିଯୁକ୍ତ କରିଥିଲେ। ସେତେବେଳେ ସୂର୍ଯ୍ୟକୁମାର ଏବଂ ଯଶପ୍ରୀତ ବୁମରାଙ୍କର ନକାରାତ୍ମକ ପ୍ରତିକ୍ରିୟା ସମସ୍ତଙ୍କୁ ଚକିତ କରିଥିଲା। ଏଥିରୁ ଜଣାପଡ଼ିଥିଲା ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନାହିଁ। ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ଆଇପିଏଲ ପୂର୍ବରୁ ସ୍ବଦେଶ ଫେରିଲେ ବିରାଟ
କିନ୍ତୁ ଏବେ ପୁଣି ସୂର୍ଯ୍ୟକୁମାର ଯାଦବ ‘ହାର୍ଟ ବ୍ରେକିଙ୍ଗ୍’ ଷ୍ଟୋରୀ ଖବରରେ ରହିଛି। କିନ୍ତୁ ଏବେ ଷ୍ଟୋରୀ ରୋହିତ ଏବଂ ପାଣ୍ଡ୍ୟାଙ୍କୁ ନେଇ ନୁହେଁ। ଏହା କ’ଣ ସେନେଇ ନାନା କଳ୍ପନା ଜଳ୍ପନା କରାଯାଉଛି। କୁହାଯାଉଛି ସୂର୍ଯ୍ୟକୁମାର ଗୋଡ ସମସ୍ୟାରେ ପୀଡ଼ିତ। ବେଙ୍ଗାଲୁରୁ ସ୍ଥିତ ଏନସିଏସରେ ଚିକିତ୍ସା କରାଉଛନ୍ତି। କୁହାଯାଉଛି ମଙ୍ଗଳବାର ମାର୍ଚ୍ଚ ୧୯ରେ ତାଙ୍କର ଫିଟନେସ ଟେଷ୍ଟ୍ ହେବାର ଥିଲା।
ସେ ଏହି ଟେଷ୍ଟରେ ସଫଳ ହୋଇଛନ୍ତି କି ନାହିଁ ସେ ନେଇ ଏବେ ଆଶଙ୍କା ଉପୁଜିଛି। ହୁଏତ ସୂର୍ଯ୍ୟକୁମାର ଟେଷ୍ଟରେ ସଫଳ ନ ହୋଇଥିବାରୁ ଏଭଳି ଇମୋଜି ଦେଇଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଥମ ଦୁଇ ମ୍ୟାଚ୍ ରେ ସୂର୍ଯ୍ୟକୁମାର ଖେଳିବେ କି ନାହିଁ ସେ ସୂଚନା ପ୍ରଦାନ କରାଯାଇ ନାହିଁ।
ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ସୂର୍ଯ୍ୟକୁମାରଙ୍କ ଫିଟନେସ୍ ସଫଳତା ନେଇ କୌଣସି ନିଶ୍ଚିତ ମନ୍ତବ୍ୟ ପ୍ରଦାନ କରି ନାହାନ୍ତି। ତେଣୁ ସୂର୍ଯ୍ୟକୁମାରଙ୍କ ‘ହାର୍ଟ ବ୍ରେକିଙ୍ଗ୍’ ଇନଷ୍ଟାଗ୍ରାମ୍ ଷ୍ଟୋରୀର ରହସ୍ୟ କ’ଣ ସେନେଇ ସୋସିଆଲ ମିଡ଼ିଆରେ ଆଲୋଚନା ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର