ମହମ୍ମଦ ସାମି-ସୂର୍ଯ୍ୟ କୁମାର ଫ୍ଲପ୍; ଏହି ୫ କାରଣରୁ ହାରିଲା ଭାରତ

ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ଵେଣ୍ଟି ସିରିଜ୍ର ତୃତୀୟ ମ୍ୟାଚକୁ ଜିତି ନେଇଛି ଭ୍ରମଣକାରୀ ଦଳ । ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍କୁ ଇଂଲଣ୍ଡ ୨୬ ରନ୍ରେ ଜିତି ନେଇଛି । ତେବେ ସିରିଜ୍ର ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମ୍ ଭାରତକୁ ୧୭୨ ରନ୍ର ଟାର୍ଗେଟ୍ ଦେଇଥିଲା । ଜବାବରେ ଭାରତୀୟ ଦଳ ୯ ୱିକେଟ୍ ହରାଇ ୧୪୬ ରନ୍ କରି ମ୍ୟାଚ୍ ହାରିଥିଲା । ତେବେ ତୃତୀୟ ଟି-ଟ୍ଵେଣ୍ଟି କାହିଁକି ହାରିଲା ଭାରତ । ଆସନ୍ତୁ ନଜର ପକାଇବା...
୨୦୨୩ ଦିନିକିଆ ବିଶ୍ଵକପ୍ର ପ୍ରାୟ ୧୪ ମାସ ପରେ କ୍ରିଜ୍କୁ ଫେରିଥିଲେ ପେସ୍ ବୋଲର ମହମ୍ମଦ ସାମି । ତେବେ ତାଙ୍କ ବୋଲିଂରେ ସେ ସେଭଳି କିଛି ଚକ୍ମା ଦେଖାଇ ପାରି ନଥିଲେ । ୩ ଓଭରରେ ୨୫ ରନ୍ ଦେଇଥିବା ମହମ୍ମଦ ସାମି ନେଇ ପାରି ନଥିଲେ ଗୋଟିଏ ବି ୱିକେଟ୍ । ଯାହା ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହୋଇଥିଲା ।
ସେହିଭଳି ଲେଗ୍ ସ୍ପିନର ରବି ବିଷ୍ଣୋଇ ମଧ୍ୟ ପ୍ରଦର୍ଶନରେ ବିଫଳ ହୋଇଛନ୍ତି । ବିଷ୍ଣୋଇ ୪ ଓଭର ବଲ୍ ପକାଇ ୪୬ ରନ୍ ଦେଇଛନ୍ତି । ବିଷ୍ଣୋଇଙ୍କ ଓଭରରେ ଇଂଲଣ୍ଡ ଖେଳାଳି ସର୍ବାଧିକ ୫ଟି ଛକ୍କା ମାରିଛନ୍ତି । ସିରିଜର ୩ଟି ଯାକ ମ୍ୟାଚରେ ରବି ବିଷ୍ଣୋଇ ମାତ୍ର ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
📱 Get Argus News App
✨ଏହା ଛଡ଼ା ଭାରତୀୟ ଦଳର ଟପ୍ ଅର୍ଡର ପୂରା ଫ୍ଲପ୍ ହୋଇଥିଲେ । ଆରମ୍ଭରୁ ଭାରତୀୟ ଦଳର ପ୍ରଦର୍ଶନ ଖରାପ ରହିଥିଲା । ଦଳଗତ ସ୍କୋର୍ ୩୧ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ସଞ୍ଜୁ ସାମସନ । ଏହା ପରେ ଅଭିଷେକ ଶର୍ମାଙ୍କ ୱିକେଟ୍ ବି ଖସିଥିଲା । ସଞ୍ଜୁ ୩ ଓ ଅଭିଷେକ ୨୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ସୂର୍ଯ୍ୟ କୁମାର ମାତ୍ର ୧୪ ରନ୍ କରି ପ୍ୟାଭିଲୟନ୍ ଫେରିଥିଲେ । ଆରମ୍ଭରୁ ଏଭଳି ଝଟ୍କା ପରେ ଆଉ ମ୍ୟାଚ୍କୁ ଫେରି ପାରି ନଥିଲା ଭାରତ ।
ବ୍ୟାଟିଂରେ ଟପ୍ ଅର୍ଡର ଫ୍ଲପ୍ ହେବା ପରେ ସମସ୍ତଙ୍କ ଆଶା ମିଡିଲ୍ ଅର୍ଡର ଉପରେ ରହିଥିଲା । କିନ୍ତୁ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା ଏବଂ ନିରାଶ କରିଥିଲେ ମିଡିଲ୍ ଅର୍ଡର । ତିଲକ ବର୍ମା ୧୮, ୱାଂଶିଟନ୍ ସୁନ୍ଦର ୬, ଅକ୍ଷର ପଟେଲ୍ ୧୫ ରନ୍ ସ୍କୋର କରିଥିଲେ ।
ଦଳର ଅଧିନାୟକ ସୂର୍ଯ୍ୟ କୁମାର ଓ ୱିକେଟ୍ ରକ୍ଷକ ସଞ୍ଜୁ ସାମସନ ଲଗାତାର ବ୍ୟାଟିଂରେ ବିଫଳ ହେଉଛନ୍ତି । ପ୍ରଥମ ମ୍ୟାଚରେ ଖାତା ଖୋଲି ପାରି ନଥିବା ସୂର୍ଯ୍ୟ କୁମାର ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ୧୨ ଓ ୧୪ ରନ୍ କରିଛନ୍ତି । ସେହିଭଳି ସଞ୍ଜୁ ସାମସନ ମଧ୍ୟ ଓପନିଂରେ ଫ୍ଲପ୍ ରହିଛନ୍ତି । ପ୍ରଥମ ମ୍ୟାଚ୍ରେ ୨୬ ରନ୍ କରିଥିବା ବେଳେ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ୫ ଓ ୩ ରନ୍ରେ ଆଉଟ୍ ହୋଇଛନ୍ତି ।