IPL 2025ରେ ଜିତିଥିଲେ ‘ପର୍ପଲ କ୍ୟାପ୍’, କିନ୍ତୁ ଏସିଆ କପ୍ ଦଳରେ ମିଳିଲାନି ସ୍ଥାନ

Key Points
ଏସିଆ କପ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନି ।
କ୍ରିଷ୍ଣାଙ୍କ ବଦଳରେ ହର୍ଷିତ ରାଣାଙ୍କ ଦଳରେ ସ୍ଥାନ ମିଳିଛି ।
ଶେଷ ହୋଇଛି ସବୁ କଳ୍ପନା ଜଳ୍ପନାର ଅନ୍ତ । ଶେଷରେ ଆଜି ଏସିଆ କପ୍ ପାଇଁ ଘୋଷଣା ହୋଇଛି ଟିମ୍ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏସିଆ କପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ସବୁଠୁ ବଡ଼ କଥା ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2025) ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ପ୍ରସିଦ୍ଧ କ୍ରିଷ୍ଣା । ଏମିତି କି IPL ୨୦୨୫ରେ ସେ ପର୍ପଲ କ୍ୟାପ୍ ମଧ୍ୟ ଜିତିଥିଲେ । କିନ୍ତୁ ଏସିଆ କପ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନି । କ୍ରିଷ୍ଣାଙ୍କ ବଦଳରେ ହର୍ଷିତ ରାଣାଙ୍କ ଦଳରେ ସ୍ଥାନ ମିଳିଛି ।
IPL ୨୦୨୫ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ପରେ ସମସ୍ତେ ଆଶା କରୁଥିଲେ ତାଙ୍କୁ ଏସିଆ କପ୍ ପାଇଁ ଦଳରେ ସାମିଲ କରାଯିବ । ଏମିତି କି ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଏସବୁ ସତ୍ତ୍ବେ ତାଙ୍କୁ ଏସିଆ କପ୍ ଦଳରେ ସ୍ଥାନ ମିଳିନି । ତାଙ୍କ ସ୍ଥାନରେ ଦଳରେ ତୃତୀୟ ପେସର ଭାବେ ହର୍ଷିତ ରାଣାଙ୍କୁ ସ୍ଥାନ ମିଳିଛି । ତେବେ ପ୍ରସିଦ୍ଧଙ୍କୁ ବାଦ୍ ଦେଇ ରାଣାଙ୍କୁ ସୁଯୋଗ ଦେବା ପଛରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ହାତ ଥିବା କୁହାଯାଉଛି । କାହିଁକି ନା ଗୌତମ ଗମ୍ଭୀର କ୍ୟାରିଅର ଆରମ୍ଭରୁ ଖୋଲାଖୋଲି ଭାବରେ ରାଣାଙ୍କୁ ସମର୍ଥନ କରିଆସିଛନ୍ତି ।
ସୂଚନା ଅନୁସାରେ, IPL 2025ରେ ପ୍ରସିଦ୍ଧ କ୍ରିଷ୍ଣା ଦମଦାର ବୋଲିଂ କରିଥିଲେ । ସେ ନିୟମିତ ଭାବେ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ବୋଲିଂ କରୁଥିଲେ । ଚଳିତ ସିଜିନ୍ରେ ୧୫ ମ୍ୟାଚ୍ରେ ୫୯ ଓଭର ବୋଲିଂ କରି ସର୍ବାଧିକ ୨୫ ଓ୍ବିକେଟ ଅକ୍ତିଆର କରିଥିଲେ । ଆଇପିଏଲରେ ଏତେ ଭଲ ପ୍ରଦର୍ଶନ ମଧ୍ୟ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ଦେଇପାରିଲା ନାହିଁ ।
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂ, ହର୍ଷିତ ରାଣା